ଜମ୍ମୁ-କଶ୍ମୀର ବସଷ୍ଟାଣ୍ଡରେ ଆତଙ୍କୀ ଆକ୍ରମଣ ! ବସ ଉପରକୁ ଗ୍ରେନେଡ ମାଡ଼, ୧ମୃତ, ୩୦ରୁ ଅଧିକ ଆହତ ।

96

କନକ ବ୍ୟୁରୋ : ଜମ୍ମୁରେ ଆତଙ୍କୀ ହାମଲା । ଜମ୍ମୁ ବସଷ୍ଟାଣ୍ଡରେ ଛିଡା ହୋଇଥିବା ଏକ ବସ ଉପରକୁ ଗ୍ରେନେଡ ମାଡ ହୋଇଛି । ଏହି ହମଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ଜଣ ଆହତ ହୋଇଛନ୍ତି । ଏହା ସହ ୩ଜଣ ଆହତଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଆହତଙ୍କୁ ଜମ୍ମୁ ମେଡିକାଲ କଲେଜରେ ଭର୍ତି କରାଯାଇଛି । ଏହି ଘଟଣାରେ ପୁଲିସ ୧୦ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି । ତେବେ ବସ୍ ଉପରକୁ ଗ୍ରେନେଡ ମାଡ କରିଥିବା ସନ୍ଦିଗ୍ଧକୁ ଗିରଫ କରିଛି ପୁଲିସ । ଆଜି ସକାଳ ୧୧ଟା ୩୦ ମିନିଟ ସମୟରେ ଏହି ହାମଲା ହୋଇଛି ।

ପ୍ରଥମେ ବସ ଉପରକୁ ଗ୍ରେନେଡ ମାଡ ହୋଇଥିଲା । ଏହାପରେ ବସ ଭିତରେ ଏକ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ଜମ୍ମୁକଶ୍ମୀର ପୁଲିସ ଘଟଣାସ୍ଥଳରେ ପହଁଚି ପୁରା ଅଂଚଳକୁ ସିଲ କରି ଛାନଭିନ କରୁଛି । ଏହି ଘଟଣା ପରେ ପରେ ପୁରା ସହରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିଦିଆଯାଇଛି । ସ୍ଥାନୀୟ ଲୋକଙ୍କୁ ବିସ୍ଫୋରଣ ନେଇ ପଚରାଉଚରା କରିଛି ପୁଲିସ । ତେବେ କିଏ ଓ କିଭଳି ଏହି ବିସ୍ଫୋରଣ ଘଟିଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଏହି ଘଟଣାର ଏକ ସିସିଟିଭି ଭିଜୁଆଲ ମଧ୍ୟ ମିଳିଛି । ବିସ୍ଫୋରଣ ପରେ ଲୋକେ ଭୟଭୀତ ହୋଇ ସେହି ସ୍ଥାନରୁ ଦୌଡି ପଳାଇ ଯାଉଥିବାର ଦେଖିବାକୁ ମିଳିଛି । ଏହି ଘଟଣାରେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଛି । ମୃତକ ଜଣକ ଉତରାଖଣ୍ଡ ହରିଦ୍ୱାରର ନିବାସୀ ୧୭ବର୍ଷୀୟ ମୋହମ୍ମଦ ଶାରିକ ବୋଲି ଜଣାପଡିଛି ।