କାନ୍ଦୁଛି ଗାଁ, ଝୁରୁଛି ମାଆ… ଦୁର୍ଘଟଣା ପରେ ଦୁଇଟି ପରିବାର ଉପରେ ଅଜାଡି ହୋଇପଡିଛି ଦୁଃଖର ପାହାଡ… କିଏ ଛାତି ପିଟି କାନ୍ଦୁଛି ତ କିଏ ମାଟି ଉପରେ ମୁଣ୍ଡ ପିଟି ଭାଗ୍ୟକୁ ନିନ୍ଦୁଛି… ପରିବାର ଲୋକଙ୍କ ଲୁହକୋହରେ ବତୁରିଗଲା ପୂରା ଗାଁ…

764

କନକ ବ୍ୟୁରୋ: ଦୁର୍ଘଟଣା ପରେ ଦୁଇଟି ଗାଁରେ ଶୋକାକୂଳ ପରିବେଶ । ପୁଅ ଅଶୋକଙ୍କ ଗାଁ ଡଙ୍ଗଲପାଡୁରେ ଲୁହର ବନ୍ୟା ସୃଷ୍ଟି ହୋଇଥିବା ବେଳେ ସମସ୍ତଙ୍କ ମୁହଁରୁ ହସ ଛଡାଇ ନେଇଛି ମୃତ୍ୟୁ । ତେବେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କର ଏକାଠି ଜଳିଛି ଜୁଇ । ଗାଁ ମଶାଣିରେ ଏକା ସାଙ୍ଗରେ ଜଳିଛି ୮ ଜଣଙ୍କ ଚିତା । ଡଙ୍ଗଲପାଡୁ ଗାଁରେ ୮ ଜଣଙ୍କ ଅନ୍ତିମ ସଂସ୍କାର ହୋଇଥିବା ବେଳେ ଅନ୍ୟ ଜଣେ ମୃତକଙ୍କ ସକ୍ରାର ଅନ୍ୟ ଏକ ଗାଁରେ ହୋଇଛି ।

ତେବେ ଗୋଟିଏ ଗାଁରେ ଆଠ ଆଠ ଜଣଙ୍କ ଚିତା ଜଳିବା ପରେ ପୂରା ଗାଁ ବାକଶୂନ୍ୟ ହୋଇଛି । ନିଜ ପ୍ରିୟ ଜନଙ୍କୁ ହରାଇ ତମାମ ଗାଁ ତୁନି ହୋଇ କଇଁ କଇଁ କାନ୍ଦୁଛି । କିଏ ପୁଅକୁ ହରାଇଛି, ତ କିଏ ଦୁଇ ଦୁଇଟି ଝିଅକୁ ତ ପୁଣି କିଏ ଶଙ୍ଖା ସିନ୍ଦୂରକୁ ହରାଇ ମାଟି ଉପରେ ମୁଣ୍ଡ ପିଟି କାନ୍ଦୁଛି ।

ସେପଟେ ଝିଅଘରେ ବି ସମାନ ଅବସ୍ଥା । ଘର ଅଗଣାରେ ମୁରୁଜ ପଡିଛି, ଦାଣ୍ଡ ଦୁଆରେ ଟେଣ୍ଟ ବନ୍ଧା ହୋଇଛି ଆଉ କାନ୍ଥରେ ଲେଖା ହୋଇଛି ପଲ୍ଲବୀ ୱେଡ୍ସ ଅଶୋକ । ସୋମବାର ରାତି ପାହିଥିଲେ ମଙ୍ଗଳବାର ହୋଇଥାନ୍ତା ମହାମିଳନ । ହୋମ ନିଆଁକୁ ସାକ୍ଷୀ ରଖି ଦୁହେଁ ଦୁହିଁକୁ ବିବାହ କରିଥାନ୍ତେ । ମଙ୍ଗଳବାର ବିବାହ ଥିବାରୁ ରବିବାର ନିର୍ବନ୍ଧ ପାଇଁ ସବୁ ପ୍ରସ୍ତୁତିରେ ପୂର୍ଣ୍ଣଚ୍ଛେଦ ଟାଣି ପୁଅପକ୍ଷଙ୍କୁ ଅପେକ୍ଷା କରିଥିଲେ ପଲ୍ଲବୀଙ୍କ ପରିବାର ।

ଆଉ ମାତ୍ର କିଛି ଦୂର ଥିଲା, କିଛି କ୍ଷଣ ଥିଲା । ୬ କିଲୋମିଟର ଗଲା ପରେ ନିର୍ବନ୍ଧ ହୋଇଥାନ୍ତା । ଦୁଇ ପରିବାର ଏକାଠି ହୋଇଥାନ୍ତେ । ମହାପ୍ରସାଦକୁ ସାକ୍ଷୀ ରଖି ପତି-ପତ୍ନୀ ହେବାକୁ ପଲ୍ଲବୀ ଅଶୋକଙ୍କ ନାଁରେ ସୁନାମୁଦି ପିନ୍ଧିଥାନ୍ତେ । ହେଲେ ତାଙ୍କର ସବୁତକ ସ୍ୱପ୍ନ ନିମିଷକରେ ଭାଙ୍ଗିରୁଜି ଚୁରମାର ହୋଇଗଲା, ଅଧା ବାଟରେ ଅଟକିଗଲା ବସରେ ବସି ଆସୁଥିବା ପଲ୍ଲବୀଙ୍କ ଖୁସି ।

ବରଘରର ଛାତିଥରା ଦୁର୍ଘଟଣାର ଖବର ଶୁଣି ପଲ୍ଲବୀଙ୍କ ପରିବାର ଭାଙ୍ଗି ପଡିଛି । କିଏ କାନ୍ଥକୁ ଆଉଜି ବସି ପଡିଛି ତ ଆଉ କିଏ ବାଲୁବାଲୁ କରି ଚାହିଁଛି । ବରପକ୍ଷଙ୍କ ପାଇଁ ହୋଇଥିବା ସବୁତକ ରୋଷେଇ ସେମିତି ରହିଛି । ରୋଷେଇ ଶାଳରେ ରନ୍ଧା ଯାଇଥିବା ସୁସ୍ୱାଦୁ ଖାଦ୍ୟ ସ୍ୱାଦହୀନ ହୋଇଛି ।