ଚାଷୀ ମୁଣ୍ଡରେ ଚକଡା ଚଡକ : ଚାଷ ଜମିର ସ୍ଥିତି ଅନୁଧ୍ୟାନ ପାଇଁ ବରଗଡରେ ସରକାରଙ୍କ ତିିନି ଜଣିଆ ଟିମ୍

34

 କନକ ବ୍ୟୁରୋ : ବରଗଡ ଗସ୍ତରେ ରାଜ୍ୟ ସରକାରଙ୍କ ତିନିଜଣିଆ ଟିମ୍ । ଚାଷୀ ମୃତ୍ୟୁ ଓ ଚକଡା ପୋକ ଲାଗି ଫସଲ ନଷ୍ଟ ଘଟଣାର ତଦନ୍ତ କରିବେ ଏହି ତିନି ଜଣିଆ ଟିମ୍ । ବରଗଡରେ ପହଂଚିଛନ୍ତି କୃଷି ଉପନିର୍ଦେଶକ ପ୍ରମୋଦ ମହାନ୍ତିଙ୍କ ସମେତ ତିନି ଜଣିଆ ଟିମ୍ । ଏହି ଟିମ୍ ମୃତ ଚାଷୀ ବୃନ୍ଦାବନ ସାହୁଙ୍କ ଘରକୁ ଯାଇ ତାଙ୍କ ଆତ୍ମହତ୍ୟାର ସତ୍ୟାସତ ଖୋଜିବେ । ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଏମାନେ ଚାଷୀର ଜମିକୁ ଯାଇ ଚାଷର କ୍ଷୟକ୍ଷତି ବାବଦରେ ମଧ୍ୟ ତଥ୍ୟ ସଂଗ୍ରହ କରିବେ । ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ସେପଟେ  ଜମିରେ ନିଆଁ ଲଗାଇବା ପରେ ଆତ୍ମହତ୍ୟା କରିଥିବା ଚାଷୀ ବୃନ୍ଦାର ମୃତଦେହ ରଖି ବରଗଡର କଳାପାଣିରେ ଚାଲିଥିବା ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି । ପ୍ରାୟ ୧୬ ଘଂଟା ଧରି ରାସ୍ତାରୋକ ଚାଲିଥିଲା । ଗତକାଲି ରାତିରେ ଶବ ବ୍ୟବଚ୍ଛେଦ ହେବା ପରେ ମୃତଦେହ କଳାପାଣିକୁ ଅଣାଯାଇଥିଲା । ଏହା ପରେ ଆରମ୍ଭ ହୋଇଯାଇଥିଲା ରାସ୍ତାରୋକ । କୃଷକ ନେତା ଲିଙ୍ଗରାଜଙ୍କ ନେତୃତ୍ୱରେ ଲୋକମାନେ ମୃତଦେହଙ୍କୁ ୫୩ ନମ୍ବର ଜାତୀୟ ରାଜପଥରେ ରଖି ରାସ୍ତାରୋକ କରିଥିଲେ ।

ଚକଡା ପୋକ ନିରାକରଣ ପାଇଁ ଚାଷୀମାନେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ବି କିଛି ପଦକ୍ଷେପ ନିଆଯାଉନାହିଁ । ତେଣୁ ଖୋଦ କୃଷିମନ୍ତ୍ରୀ ଆସି ଆଲୋଚନା କରିବାକୁ ଆନ୍ଦୋଳନକାରୀମାନେ ଦାବି କରିଥିଲେ । ଆନ୍ଦୋଳନ ଯୋଗୁଁ ୫୩ ନମ୍ବର ଜାତୀୟ ରାଜପଥରେ ଶହ ଶହ ଗାଡି ଅଟକି ରହିଥିଲା । ପରସ୍ଥିତି ଦୃଷ୍ଟିରେ ରଖି ଜିଲ୍ଲାପାଳ, ଏସପି ଓ ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ବିଧାୟକ ଘଟଣାସ୍ଥଳରେ ପହଂଚିଥିଲେ । ମୃତ ଚାଷୀଙ୍କ କ୍ଷତିପୂରଣ ମିଳିବ ବୋଲି ପ୍ରତିଶ୍ରୃତି ମିଳିବା ପରେ ଭୋର ୪ଟାରେ ରାସ୍ତାରୋକ ହଟିଥିଲା । ପରେ ମୃତ ଚାଷୀ ବୃନ୍ଦାଙ୍କ ଶବତ୍ସକାର କରାଯାଇଛି । ଚକଡା ପୋକ ଯୋଗୁଁ ବୃନ୍ଦା ମଙ୍ଗଳବାର ଦିନ ନିଜ ଜମିରେ ନିଆଁ ଲଗାଇଦେବା ପରେ ଗତକାଲି ଆତ୍ମହତ୍ୟା କରିଥିଲେ ।