୪ରେ ଖୋଲିବ ରତ୍ନଭଣ୍ଡାର ! ରତ୍ନ ନୁହେଁ ଭଣ୍ଡାର ଦେଖିବେ, ଜାଣନ୍ତୁ ଭଣ୍ଡାରଘର ଭିତରକୁ କେମିତି ଯିବେ ସଦସ୍ୟ । ପୂରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

92

କନକ ବ୍ୟୁରୋ : ଆସନ୍ତା ୪ ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏନେଇ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଜଣାଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଏହା ସହିତ ରତ୍ନଭଣ୍ଡାର ଯାଂଚ ପରେ କେବେ ଓ କିପରି ଏହାର ମରାମତି କରାଯିବ ସେନେଇ ସତ୍ୟପାଠ ଦାଖଲ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେପଟେ ଏନେଇ ଅଧିକ ଆଲୋଚନା ପାଇଁ ଆଜି ବସୁଛି ଛତିଶା ନିଯୋଗ ବୈଠକ ।

ratna bhandarଶେଷରେ ରତ୍ନଭଣ୍ଡାର ଭିତରେ ପ୍ରବେଶ ପାଇଁ ତାରିଖ ଓ ସମୟ ଧାର୍ଯ୍ୟ କଲା ଶ୍ରୀମନ୍ଦିର ପ୍ରଶାସନ । ବର୍ଷ ବର୍ଷ ଧରି ରହସ୍ୟ ଘେରରେ ରହି ଆସିଥିବା ରତ୍ନଭଣ୍ଡାରର ମଂଜ ରହସ୍ୟ କିନ୍ତୁ ଖୋଲିବ ନାହିଁ । କାରଣ ଭିତରକୁ ପ୍ରବେଶ କରି ସଦସ୍ୟମାନେ କେବଳ ସ୍ଥିତି ପରଖିବେ, ରତ୍ନକୁ ଦେଖିବେ ନାହିଁ । ଆଉ ଯେଉଁମାନେ ଭଣ୍ଡାର ଘର ଭିତରକୁ ଯିବେ ସେମାନଙ୍କ ପାଇଁ ଏକ ବଡ ନିୟମାବଳୀ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ପ୍ରଶାସନ ।

ଯେଉଁମାନେ ଭଣ୍ଡାର ଘର ଭିତରକୁ ଯିବେ ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ କଟକଣା ଜାରି କରିଛି ପ୍ରଶାସନ । କେବଳ ଧୋତି ଓ ଗାମୁଛା ପିନ୍ଧି ରତ୍ନ ଭଣ୍ଡାର ମଧ୍ୟକୁ ପ୍ରବେଶ କରିବେ ସଦସ୍ୟ । ଏହାସହ ଦେହରେ କୌଣସି ଅଳଙ୍କାର, ମୁଦି କିମ୍ବା ଅନ୍ୟ କୌଣସି ପ୍ରସାଧନ ସାମଗ୍ରୀ ରହିବ ନାହିଁ । ଆଉ ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ସମସ୍ତଙ୍କ ତନଖି କରାଯିବ । ଏମିତିକି ଯେଉଁ ଧୋତି ଓ ଗାମୁଛା ପିନ୍ଧି ରତ୍ନଭଣ୍ଡାରକୁ ପ୍ରେବଶ କରିବେ, ସେ ପରିଧାନ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ।ଏହାଛଡା ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ସମସ୍ତଙ୍କର ସ୍କାନିଂ ଓ ଫେସ୍କିଂ କରାଯିବ । ଯେପରି ଭିତରକୁ ବାହରର କୌଣସି ଜିନିଷ ନ ଯାଏ ।

ରତ୍ନଭଣ୍ଡାରର ବିଭିନ୍ନ ଗୃହ, ଘନ ଅନ୍ଧକାର ଭିତରେ ଥିବାରୁ ପ୍ରବେଶ ବେଳେ ମୁଣ୍ଡରେ ଏଲଇଡି ଲାଇଟ୍ ଲଗାଇବାକୁ ବ୍ୟବସ୍ଥା କରାଯିବ । ଖଣି ଅଂଚଳରେ ବ୍ୟବହାର ହେଉଥିବା ଏହି ଏଲଇଡି ଲାଇଟ୍ , ଖୁବ ଉଜ୍ଜଳ ଭାବେ ଜଳୁଥିବାରୁ ଏହା ବାଟ କଢେଇନେବ । ଆଉ ଏହି ସବୁ ଗତିବିଧିର ଭିଡିଓଗ୍ରାଫ୍ କରାଯିବ । ଯାହା ମନ୍ଦିର ପ୍ରଶାସନର ତତ୍ୱାବଧାନରେ ସଂରକ୍ଷିତ ରଖାଯିବ । ସେହିଭଳି ରତ୍ନଭଣ୍ଡାର ଭିତରକୁ ଯାଇଥିବା ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ଡାକ୍ତରୀ ଦଳ ମହଜୁଦ ରହିବେ । ଯଦି ଆବଶ୍ୟକ ପଡେ ସ୍ନେକ ହେଲ୍ପଲାଇନର ମଧ୍ୟ ସହାୟତା ଲୋଡାଯିବ ।

ବଡ଼ କଥା ହେଉଛି ଏହି ଭିଡିଓଗ୍ରାଫ କେବଳ ରତ୍ନଭଣ୍ଡାରର ସୁରକ୍ଷା ପାଇଁ ଆବଶ୍ୟକ ହେଉଥିବା କାନ୍ଥ ଓ ଛାତ ଆଦିର କରାଯିବ । ରତ୍ନଭଣ୍ଡାରେ ଥିବା କୌଣସି ସାମଗ୍ରୀ କିମ୍ବା ଅଳଙ୍କାରର କୌଣସି ଚିତ୍ର ଉତୋଳନ ହେବ ନାହିଁ । ରତ୍ନ ଭଣ୍ଡାର ପ୍ରବେଶ ସମୟରେ ସେଠାରେ କଣ ଅଛି ତାହା ଉପରେ ସଦସ୍ୟ ମାନେ ନଜର ପକାଇବେ ନାହିଁ ଓ ବାହାରେ କାହାକୁ ଏ ବାବଦରେ କୌଣସି ସୂଚନା ଦେବେ ନାହିଁ ବୋଲି ଭଣ୍ଡାର ଘରେ ପ୍ରବେଶ କରିବାକୁ ଥିବା ସଦସ୍ୟଙ୍କୁ ସତର୍କ କରାଇ ଦିଆଯିବ । ଆଉ ଏସବୁ ଭିତରେ ଅପେକ୍ଷା ଆସନ୍ତା ୪ ତାରିଖକୁ, ଯେତେବେଳେ ଖୋଲାହେବ ରତ୍ନଭଣ୍ଡାର ।