ଐତିହାସିକ ବିଜୟ ପରେ ପଡିଆରେ ନାଚିଲା ଟିମ୍ ଇଣ୍ଡିଆ ! ଦେଖନ୍ତୁ ଭିଡିଓ ।

563

୭୨ ବର୍ଷର ଲମ୍ବା ଅପେକ୍ଷାକୁ ଶେଷ କରିବା ସହ ଭାରତୀୟ କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ପଡିଆରେ ପ୍ରଥମ ଥର ପାଇଁ ଟେଷ୍ଟ ସିରିଜ ଜିତି କ୍ରିକେଟ୍ ଇତିହାସରେ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡିଛି । ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ବର୍ଷା ବାଧକ ସାଜିବାରୁ ମ୍ୟାଚଟି ଡ୍ର ହୋଇଥିଲା । ଆଉ ଏହା ୨-୧ରେ ସିରିଜ ଜିତିନେଇଛି ବିରାଟ ବାହିନୀ ।

ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ବିଜୟ ପରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନିଜ ଖେଳାଳୀମାନଙ୍କୁ ଦମଦାର ଡାନ୍ସ କରାଇଥିଲେ । କ୍ରିକେଟ୍ ଅଷ୍ଟ୍ରେଲିଆର ଅଫିସିଆଲ୍ ୱେବସାଇଟ୍ cricket.com.au ପକ୍ଷରୁ ଟିମ୍ ଇଣ୍ଡିଆର ଏହି ବିଜୟ ପରେ ସେମାନଙ୍କର ଡାନ୍ସ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି କିଛି ନିଆରା ଅନ୍ଦାଜରେ ବିରାଟ କୋହଲି ସାଥୀ ଖେଳାଳୀଙ୍କ ସମେତ ଡାନ୍ସ କରୁଛନ୍ତି ।

ଦୀର୍ଘ ୭୦ ବର୍ଷର ଭାରତ-ଅଷ୍ଟେ୍ଲିିଆ କ୍ରିକେଟ ସଂପର୍କରେ ଭାରତ ପ୍ରଥମ ଥର ପାଇଁ ଟେଷ୍ଟ ଶୃଙ୍ଖଳା ଜିତିବାର ରେକର୍ଡ କରିଛି । ବର୍ଷା ବାଧିତ ସିଡନୀ ଟେଷ୍ଟ ମ୍ୟାଚକୁ ଅମୀମାଂସିତ ଘୋଷଣା କରିବା ପରେ ଐତିହାସିକ ବିଜୟର ସ୍ୱାଦ ଚାଖିଛି କୋହଲି ବାହିନୀ । ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରଜରେ ପୂର୍ବରୁ ଭାରତ ୨-୧ରେ ସିରିଜ ଅଗ୍ରଣୀ ଥିଲା । ସିଡନୀରେ ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଖେଳାଯାଇଥିଲା ।

ଭାରତ ପ୍ରଥମେ ବ୍ୟାଟିଂ କରି କଙ୍ଗାରୁ ଦଳ ଆଗରେ ୬୨୨ରନର ବିଶାଳ ସ୍କୋର ରଖିଥିଲା । ଚେତେଶ୍ୱର ପୂଜାରଙ୍କ ଚମକ୍ରାର ୧୯୩ ରନ, ମୟଙ୍କ ଅଗ୍ରୱାଲଙ୍କ ଦମଦାର ୭୭ ରନ ବଳରେ ୬୨୨ ରନର ସ୍କୋର କରିପାରିଥିଲା ଭାରତ । ଏହାପରେ ଘରୋଇ ଦଳ ଭାରତୀୟ ବୋଲରଙ୍କୁ ମୁକାବିଲା କରିନପାରି ମାତ୍ର ୩ ଶହ ରନରେ ଅଲଆଉଟ ହୋଇ ଫଲୋଅନ ହୋଇଥିଲେ । କୁଲଦୀପ ଯାଦବ ୫ ୱିକେଟ ନେଇ କଙ୍ଗାରୁ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । କାଲି ପୁଣି କଙ୍ଗାରୁ ଦଳ ବ୍ୟାଟିଂ ଆରମ୍ଭ କରି ମାତ୍ର ୪ ଓଭର ଖେଳି ୬ ରନ କରିଥିଲା । ଏହାପରେ ଖରାପ ପାଗ ଯୋଗୁଁ ଖେଳ ବନ୍ଦ କରିଥିଲେ ଅମ୍ପାୟାର । ଫଳରେ ଭାରତ ୩୧୬ରନରେ ଆଗୁଆ ରହିଥିଲା । ଆଜି ବର୍ଷା ଯୋଗୁଁ ଖେଳକୁ ଅମୀମାଂସିତ ଘୋଷଣା କରାଯାଇଛି । ଆଉ ଭାରତ କଙ୍ଗାରୁ ଗଡରେ କଙ୍ଗାରୁ ଦଳକୁ ହରାଇବାର ଗୌରବ ଅର୍ଜନ କରିଛି ।