କଳିଙ୍ଗ ଷ୍ଟାଡିଅମରେ ଟିମ୍ ଇଣ୍ଡିଆର ଚମତ୍କାର ପ୍ରଦର୍ଶନ । ବେଲଜିୟମକୁ ହରାଇ ରିଓ ଅଲମ୍ପିକର ନେଲା ବଦଲା

45

କନକ ବ୍ୟୁରୋ : ରିଓ ବଦଲା ଭୁବନେଶ୍ୱରରେ । ବିଶ୍ୱ ହକି ଲିଗ ଫାଇନାଲର ସେମିଫାଇନାଲରେ ଟିମ ଇଣ୍ଡିଆ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ଶକ୍ତିଶାଳୀ ବେଲଜିଅମକୁ ସଡନ ଡେଥରେ ପରାସ୍ତ କରିଛି ଭାରତୀୟ ହକି ଦଳ । ଦୁଇ ଦଳ ମଧ୍ୟରେ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଥିଲା । ତେବେ ଚଳିତ ଟୁର୍ଣ୍ଣାମେଂଟରେ ସବୁଠାରୁ ଦମଦାର ପ୍ରଦର୍ଶନ କରିଥିଲା । ମ୍ୟାଚ ଶେଷ ସୁଦ୍ଧା ୩-୩ରେ ବରାବର ରହିଥିଲା । ତେଣୁ ସୁଟ ଆଉଟ କରାଯାଇଥିଲା ।

ଏହା ମଧ୍ୟ ୨-୨ରେ ବରାବର ରହିଲା । ଫଳରେ ସଡନ ଡେଥ ନିଷ୍ପତି ନେଇଥିଲେ ଅମ୍ପରୟାର । ଏଥିର ପ୍ରଥମ ବଲରେ ହରମିନପ୍ରିତ ସୁନ୍ଦର ଗୋଲ ସ୍କୋର କରି ଦଳକୁ ଆଗୁଆ କରିଥିଲେ । ପରେ ବେଲଜିଅମ ଖେଳାଳି ଆର୍ଥର ଡୋରେନଙ୍କ ସଟ୍ ଚମତ୍କାର ଢଙ୍ଗରେ ରୋକିଥିଲେ କିପର ଆକାଶ ଚିକତେ । ଭାରତ ଏହି ମ୍ୟାଚକୁ ୩-୨ ଗୋଲରେ ଜିତି ନେଇ ସେମିଫାଇନାଲରେ ପହଂଚିଛି । ଲିଗ ପର୍ଯ୍ୟାୟରେ ଟିମ ଇଣ୍ଡିଆର ପ୍ରଦର୍ଶନକୁ ନେଇ ପ୍ରଶଂସକ ନିରାଶ ହୋଇପଡିଥିବା ବେଳେ ଏହି ବିଜୟ ଦଳର ମାନସିକ ସ୍ଥିତିକୁ ଦୃଢ କରିଛି । ଘରୋଇ ଦର୍ଶକଙ୍କ ସମର୍ଥନ ଭିତରେ ଟିମ ଇଣ୍ଡିଆ ଚମକ୍ରାର ଖେଳ ପ୍ରଦର୍ଶନ କରି ଅଲମ୍ପିକରେ ରୌପ୍ୟ ପଦକ ବିଜେତାକୁ ପରାସ୍ତ କରିଛି । ସେହିପରି ବେଲଜିଅମ ଓ ଭାରତ ମଧ୍ୟରେ ପ୍ରଥମ ଥର ପାଇଁ ସୁଟ ଆଉଟ କରାଯାଇଥିଲା ।

ଭାରତ, ଭାରତ ରଡ଼ିରେ କମ୍ପୁଥିଲା କଳିଙ୍ଗ । ଭରପୁର ଷ୍ଟାଡିୟମରେ୮ ହଜାର ଦର୍ଶକ ଭାରତ ଜିତିବାର ଶୁଭ ମନାସୁଥିଲେ। ମନରେ କିନ୍ତୁ ଆଶା ଓ ଆଶଙ୍କା ଭରି ରହିଥିଲା। ଲିଗ ପ ର୍ଯ୍ୟାୟରେ ତିନିଟି ଯାକ ମ୍ୟାଚ ଜିତି କ୍ୱାର୍ଟରକୁ ଯାଇଥିବା ବେଲଜିୟମକୁ କିଭଳି ଓ କେମିତି ଭାରତ ହରାଇବ ସେ ଅଙ୍କକଶା ବି ଆରମ୍ଭ ହୋଇ ଯାଇଥିଲା। ଘରୋଇ ଦର୍ଶକଙ୍କ ଉତ୍ସାହ ଏବଂ ଉନ୍ମାଦନାରେ ଭାରତୀୟ ଖେଳାଳି ଯେମିତି ନୂଆ ଶକ୍ତି ଓ ସାହସ ପାଇଯାଇଥିଲେ।

୬ରୁ ୪ ପେନାଲ୍ଟି ଗୋଲ

ଭାରତ ଆଜି ବି ଆରମ୍ଭରୁ ଆକ୍ରମଣ କରିଥିଲା। ଚତୁର୍ଥ ମିନିଟରେ ହିଁ ପେନାଲ୍ଟି କର୍ନର ଅର୍ଜନ କରି ନେଇଥିଲା। ହେଲେ ସେହି ପେନାଲ୍ଟିକୁ ଗୋଲରେ ରୂପାନ୍ତର କରିବାର ପୁରୁଣା ଦୁର୍ବଳତା ପାଇଁ ଆଗୁଆ ହେବାରୁ ବଞ୍ଚିତ ହୋଇଥିଲା ମନପ୍ରୀତ ସିଂହଙ୍କ ଧୁରନ୍ଧରମାନେ ପୁଣି ଥରେ ଏଥିରେ ବିଫଳ ହୋଇଥିଲା। ପରବର୍ତୀ ୧୧ ମିନିଟ ପର୍ଯ୍ୟନ୍ତ କିନ୍ତୁ ଭାରତୀୟ ଖେଳାଳିମାନେ ବିଶ୍ୱ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ବେଲଜିୟମକୁ ପାଣି ପିଆଇ ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଏହି ସ୍ଥିତି ଅପରିବର୍ତିତ ରହିଥିଲା।

ଭାରତୀୟ ଖେଳାଳି ଆକ୍ରମଣ କରୁଥିଲା ବେଳେ ବେଲଜିୟମ ଖେଳାଳିଙ୍କ ରକ୍ଷଣାତ୍ମକ ଖେଳ ଜାରି ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଭାରତ ଅବଶ୍ୟ ଅପେକ୍ଷାକୃତ ଭଲ ହକି ଖେଳିଥିଲା। ୨୭ ମିନିଟରେ ଭାରତୀୟ ଗୋଲ ରକ୍ଷକ ସୁରଜ କରକେରା ୨୭ ମିନିଟରେ ଏକ ନିଶ୍ଚିତ ଗୋଲକୁ ରୋକି ଭାରତୀୟ ଖେଳାଳିଙ୍କ ମନୋବଳ ବଢ଼ାଇଥିଲେ। ଫଳରେ ଦ୍ୱିତୀୟ କ୍ୱାର୍ଟର ଶେଷ ହେବାର ମାତ୍ର ୩ ମିନିଟ ପୂର୍ବରୁ ଭାରତ ଦ୍ୱିତୀୟ ପେନାଲ୍ଟି କର୍ନର ଅର୍ଜନ କରି ନେଇଥିଲା।

ଅଧିନାୟକ ମନପ୍ରୀତ ସିଂହଙ୍କ ଫ୍ଲିକକୁ ଭାରତ ହାତରୁ ଏହି ସୁଯୋଗ ବି ଖସି ଯାଇଥିଲା ବିରତିରେ ଗୁରୁମନ୍ତ୍ର ସହ ନୂତନ ରଣନୀତି ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ତା’ର ଆକ୍ରମଣର ଧାରାକୁ ଆହୁରି ତୀବ୍ର କରି ନେଇଥିଲା। ଯୁବ ଖେଳାଳିମାନେ ଏହାର ନେତୃତ୍ୱ ନେଇଥିଲେ। ମାତ୍ର ୧ ମିନିଟ ଭିତରେ ହିଁ ଏହାର ସୁଫଳ ମିଳି ଯାଇଥିଲା। ଡି’ ଅଞ୍ଚଳରୁ ମନପ୍ରୀତ ମାରିଥିବା ସଟ ଗୋଲ ପୋଷ୍ଟରେ ବାଜି ଫେରି ଆସୁଥିଲା ବେଳେ ଗୁରଜନ୍ତ ସିଂହ ଏହାକୁ ଚତୁରତାର ସହ ପୁଣି ଥରେ ପୋଷ୍ଟ ଭିତରେ ପୂରା ଭାରତକୁ ପ୍ରତୀକ୍ଷିତ ଗୋଲ ଉପହାର ଦେଇଥିଲେ। କଳିଙ୍ଗ ଷ୍ଟାଡିୟମ କମ୍ପି ଉଠିଥିଲା। ଦର୍ଶକ ଯେକିତି ମତୁଆଲା ହୋଇ ଯାଇଥିଲେ।

୩ ମିନିଟ ପରେ କଳିଙ୍ଗ ଦର୍ଶକଙ୍କୁ ଖୁସି ହେବାର ଆଉ ଏକ ମୌକା ମିଳି ଯାଇଥିଲା ୩୪ ମିନିଟରେ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲ୍ କରି ଭାରତ ୨-୦ରେ ଆଗୁଆ ହୋଇ ଯାଇଥିଲା। ବେଲିଜୟମ ଯେମିତି କିଛି ବୁଝି ପାରି ନଥିଲା। ଏଥର ଯୁବ ବୀର ହରମନପ୍ରୀତ ତାଙ୍କ ଯାଦୁ ଦେଖାଇଥିଲେ। ବଲକୁ ଗୋଲ ପୋଷ୍ଟ ଭିତରକୁ ପଠାଇବାରେ ସେ କୌଣସି ତ୍ରୁଟି କରି ନଥିଲେ। ୩୭ ମିନିଟ ଭିତରେ ଚୁପ ରହିଥିବା ବେଲଜିୟମ ୩୮ରେ ମ୍ୟାଚକୁ ଫେରିଥିଲା। ପ୍ରଥମ ପେନାଲ୍ଟି କର୍ନରକୁ ଗୋଲକରି ସ୍ଥିତି ୨-୧ କରି ନେଇଥିଲା। ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଏହି ସ୍ଥିତି ବଜାୟ ରହିଥିଲା। ଆଶା ଓ ଆଶଙ୍କା ଭିତରେ ଆରମ୍ଭ ହୋଇଥିଲା ଚତୁର୍ଥ କ୍ୱାର୍ଟର ଏକ ମିନିଟ ଭିତରେ ବେଲଜିୟମ ପେନାଲ୍ଟି କର୍ନରକୁ ଗୋଲ କରି କଳିଙ୍ଗ ଦର୍ଶକଙ୍କ ମନ ଭାଙ୍ଗି ଦେଇଥିଲା।

ହେଲେ ୬ ମିନିଟ ପରେ ଭାରତ ରୂପିନ୍ଦର ପାଲ ସିଂହଙ୍କ ଗୋଲ ବଳରେ ପୁଣି ଥରେ ଆଗୁଆ ହୋଇ ଯାଇଥିଲା। କଳିଙ୍ଗ ଦର୍ଶକଙ୍କ ମୁହଁକୁ ହସି ବି ଫେରି ଆସିଥିଲା। ବେଲଜିୟମ ରେଫରାଲ ବି ଏହି ଗୋଲକୁ ରୋକି ପାରି ନଥିଲା। ହେଲେ ବେଲଜିୟମ ବି କିଛି କମ ନଥିଲା । ଆମାଉରି କ୍ୟୁର୍ଷ୍ଟଙ୍କ ଫିଲ୍ଡ ଗୋଲ୍ ପାଇଁ ନିର୍ଧାରିତ ସମୟ ଭିତରେ ସ୍ଥିତି ୩-୩ ରହିଥିଲା। ସବୁଠାରୁ ବଡ଼ କଥା ହେଲା ଆଜି ମୁକାବିଲାର ହୋଇଥିବା ୬ ଗୋଲ ମଧ୍ୟରୁ ୪ ପେନାଲ୍ଟି କର୍ନରରୁ ଆସିଥିଲା।

ପେନାଲ୍ଟି ସୁଟଆଉଟର ଶେଷ ପ୍ରୟାସରେ ବେଲଜିୟମ ଖେଳାଳି ବିଫଳ ହେବା ପରେ ଭାରତୀୟ ଖେଳାଳିଙ୍କ ସହ ପୂରା କଳିଙ୍ଗ ଷ୍ଟାଡିୟମ୍ ଝୁମି ଉଠିଥିଲା । ଦର୍ଶକଙ୍କଠାରୁ ଖେଳାଳି ପର୍ୟ୍ୟନ୍ତ ସମସ୍ତେ ନାଚି ଉଠିଥିଲେ। ଏପରିକି କିଛି ଗଣମାଧ୍ୟମ ପ୍ରତିନିଧି ଢେର ସମୟ ପର୍ୟ୍ୟନ୍ତ ନାଚ ଜାରି ରଖିଥିଲେ। ଷ୍ଟାଡିୟମ୍ ବାହାର ବି ଉତ୍ସବ ମୁଖର ହୋଇ ଉଠିଥିଲା। ଦର୍ଶକମାନେ ପରସ୍ପରକୁ ବଧେଇ ଜଣାଇବା ସହ ଢେର ସମୟ ପର୍ୟ୍ୟନ୍ତ ଭାରତ, ଭାରତ ରଡି ଛାଡ଼ିଥିଲେ।