ତେଜୁଛି ଶିକ୍ଷକ ଆନ୍ଦୋଳନ : ଚାକିରୀ ସର୍ତ୍ତାବଳୀ ନେଇ ୨୫ ତାରିଖ ସୁଦ୍ଧା ଚୂଡାନ୍ତ ନିଷ୍ପତି ନନେଲେ ଅସମ୍ଭାଳ ହେବ ବିକ୍ଷୋଭ

29

କନକ ବ୍ୟୁରୋ : ତେଜୁଛି ଶିକ୍ଷକ ଆନ୍ଦୋଳନ । ଚାକିରୀ ସର୍ତ୍ତାବଳୀ ନେଇ ୨୫ ତାରିଖ ସୁଦ୍ଧା ଚୂଡାନ୍ତ ନିଷ୍ପତି ନନେଲେ ଅସମ୍ଭାଳ ହେବ ବିକ୍ଷୋଭ । କର ବା ମର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଶିକ୍ଷକ ଅଧ୍ୟାପକ ମିଳିତ ମଂଚ । ଭୁବନେଶ୍ୱର ଲୋୟର ପିଏମଜିରେ ଅହୋରାତ୍ର ଧାରଣାରେ ବସିଛନ୍ତି ସ୍କୁଲ ଓ କଲେଜ ଅଧ୍ୟାପକ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶିକ୍ଷକମାନେ ବିଦ୍ୟାଳୟକୁ ଫେରିବେନି ବୋଲି ନିଷ୍ପତି ନେଇଛନ୍ତି । ବ୍ଲକ୍ଗ୍ର୍ରାଂଟ୍ ଉଚ୍ଛେଦ ଓ ପୂର୍ଣ୍ଣ ଅନୁଦାନ ଦାବି ନେଇ ଗତ ୧୬ ତାରିଖରୁ ଶିକ୍ଷକ ମାନେ ଧାରଣାରେ ବସିଛନ୍ତି । ଆସନ୍ତା ୨୫ ତାରିଖ ଭିତରେ ଦାବି ପୂରଣ ନହେଲେ ଗାଁଠୁ ସହର ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଶିକ୍ଷକ ।

ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ୭ ଦିନ ହେଲା ରାଜରାସ୍ତାରେ ବସିଛନ୍ତି। ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ସେମାନଙ୍କ ରାତି କଟୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କର ଏଥିପ୍ରତି ଧ୍ୟାନ ନାହିଁ। ଦାବି ପୂରଣ କରିବା ତ ଦୂରର କଥା ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟମାନେ ଏପର୍ଯ୍ୟନ୍ତ ଶିକ୍ଷକମାନଙ୍କ ସହ ଆଲୋଚନା କରିନାହାନ୍ତି। ସେପଟେ ଶିକ୍ଷକ ଓ ଅଧ୍ୟାପକମାନେ ଆନ୍ଦୋଳନରେ ସାମିଲ ହୋଇଥିବାରୁ ୩୦ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହୋଇଛି। ୪ ହଜାର ବିଦ୍ୟାଳୟ ଓ ଦେଢ଼ ହଜାର କଲେଜରେ ଶିକ୍ଷାଦାନ ବନ୍ଦ ରହିଛି ବୋଲି ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି।

ମିଳିତ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଶିକ୍ଷକଙ୍କ ଦାବି ସମ୍ପର୍କରେ ଆଲୋଚନା ପାଇଁ ମଙ୍ଗଳବାର ବସିଥିବା ମନ୍ତ୍ରୀସ୍ତରୀୟ କମିଟି ବୈଠକ ମାତ୍ର ୭ ମିନିଟ୍ ମଧ୍ୟରେ ଶେଷ ହୋଇଗଲା। ୩୦ ବର୍ଷ ଧରି ଚାକିରି କରୁଥିବା ଶିକ୍ଷକଙ୍କ ପେନସନ୍ ବାବଦରେ ଆଲୋଚନା ନକରି ଶିକ୍ଷୟିତ୍ରୀ ଓ ଅଧ୍ୟାପିକାଙ୍କୁ ପ୍ରସବକାଳୀନ ଛୁଟି ବିଷୟରେ ଆଲୋଚନା ହୋଇଛି। ଅବସର ନେବାକୁ ଯାଉଥିବା ୫୫ରୁ ୬୦ ବର୍ଷ ବୟସର ଶିକ୍ଷୟିତ୍ରୀଙ୍କୁ ପ୍ରସବକାଳୀନ ଛୁଟି ଦେବାର ବିଚାର ବିମର୍ଶ କରିବା ଏକ ହାସ୍ୟାସ୍ପଦ ଘଟଣା। ମୂଳ ଦାବିକୁ ଟାଳିଦେଇ ଶିକ୍ଷକଙ୍କୁ ପୁଣିଥରେ ପ୍ରତାରିତ କରିବାର ଅପଚେଷ୍ଟାକୁ ଶିକ୍ଷକମାନେ ସହଜରେ ହଜମ କରିପାରୁନାହାନ୍ତି। ରାଜ୍ୟ ସରକାର ଯାହା ପ୍ରତିଶ୍ରୁତିଦେଇଥିଲେ ତାହା ପୂରଣ କରନ୍ତୁ।