ଶିକ୍ଷକମାନଙ୍କ ପାଇଁ ବଡ ଖବର ! ନିର୍ବାଚନ କାମରୁ ମୁକ୍ତି ଦେବା ପାଇଁ ବିଚାର କରୁଛନ୍ତି ସରକାର, ସୁଦୃଢ ହେବ ଶିକ୍ଷା ବ୍ୟବସ୍ଥା ।

205

ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଶିକ୍ଷାର ଗୁଣାବତ୍ତାରେ ସୁଧାର ଆଣିବା ପାଇଁ ଏଣିକି ସରକାର ଶିକ୍ଷକମାନଙ୍କୁ କେବଳ ଶିକ୍ଷାଦାନ କରିବା ବ୍ୟତୀତ ଅନ୍ୟ ସବୁ କାମରୁ ମୁକ୍ତି ଦେବା ପାଇଁ ଚେଷ୍ଟିତ ଅଛନ୍ତି । ଆଉ ଏଥିରେ ନିର୍ବାଚନ ସମୟରେ ଶିକ୍ଷକ ମାନେ କରୁଥିବା ଡ୍ୟୁଟିକୁ ପ୍ରାଧାନ୍ୟ ଦିଆଯାଉଥିବା ଜଣାପଡିଛି । ଏଣିକି ଶିକ୍ଷକମାନଙ୍କୁ ସରକାର ଏହି କାମରୁ ମୁକ୍ତି ଦେଇପାରନ୍ତି ।

ତେବେ ଏହି ବାବଦରେ ସରକାର ନିକଟରେ ନିର୍ବାଚନ ଆୟୋଗଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ଯେଉଁଥିରେ ଶିକ୍ଷକମାନଙ୍କ ପରିବର୍ତ୍ତେ ଅଙ୍ଗନୱାଡି କିମ୍ବା ଆଶା ଭଳି ସରକାରୀ ଯୋଜନାରେ ଯୋଡି ହୋଇଥିବା କର୍ମଚାରୀ ମାନଙ୍କର ସହାୟତାରେ ନିର୍ବାଚନ କାମ ତ୍ୱରାନ୍ୱିତ କରିବା ନିମନ୍ତେ ଆଲୋଚନା ହେଉଛି । ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ ଏ ବାବଦରେ ଏକ ଆଲୋଚନା ପତ୍ର ପଠାଯାଇଛି ।

ବର୍ତ୍ତମାନ ଦେଶରେ ଚାଲିଥିବା ବ୍ୟବସ୍ଥା ଅନୁଯାୟୀ, ନିର୍ବାଚନ ସମୟରେ ସ୍କୁଲ ଗୁଡିକର ଅଧିକାଂଶ ଶିକ୍ଷକଙ୍କୁ ନିର୍ବାଚନ ଦାୟିତ୍ୱରେ ନିୟୋଜିତ କରାଯାଇଥାଏ । ଏବଂ ନିର୍ବାଚନର ପାଖାପାଖି ୧ ମାସ ପୂର୍ବରୁ ଶିକ୍ଷକମାନଙ୍କୁ ଏଥିପାଇଁ ଟ୍ରେନିଂ ଦିଆଯାଇଥାଏ । ଯାହା ଦ୍ୱାରା ସ୍କୁଲରେ ପାଠପଢା ଏକ ପ୍ରକାର ଠପ୍ ହୋଇଯାଇଥାଏ । ଆଉ ଏଥି ମଧ୍ୟରେ ଅଧିକାଂଶ ନିର୍ବାଚନ ଏପରି ସମୟରେ ହୋଇଥାଏ, ଯେତେବେଳେ ସ୍କୁଲ ଗୁଡିକରେ ପରୀକ୍ଷା ଚାଲିଥାଏ କିମ୍ବା ପରୀକ୍ଷା ହେବା ପାଇଁ ଯାଉଥାଏ । ଯେଉଁଥିରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ ମାନଙ୍କର ସବୁଠୁ ଅଧିକ ଆବଶ୍ୟକତା ପଡିଥାଏ । ଏହାକୁ ଦୃଷ୍ଟିରେ ରଖି ଏବେ ସରକାର ଶିକ୍ଷକମାନଙ୍କୁ ନିର୍ବାଚନ କାମରୁ ମୁକ୍ତି ଦେବା ପାଇଁ ଚିନ୍ତା କରୁଛନ୍ତି ।