ଏମିତି ଶିକ୍ଷୟତ୍ରୀଙ୍କୁ ଶହେ ସଲାମ ! ବିନା ଦରମାରେ ଦୀର୍ଘ ୧୬ ବର୍ଷ ଧରି ପିଲାଙ୍କୁ ପାଠ ପଢାଇଥିଲେ ରାଜଲକ୍ଷ୍ମୀ ।

34

ଆଜି ସାରା ଦେଶ ଗୁରୁ ଦିବସ ପାଳନ କରୁଛି । ସବୁ ସ୍କୁଲ-କଲେଜରେ ପିଲାମାନେ ନିଜ ନିଜ ଗୁରୁଙ୍କୁ ପୂଜା କରି ଜୀବନରେ ତାଙ୍କୁ ସଠିକ୍ ରାସ୍ତା ଦେଖାଇଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି । ଆଜି ଭଳି ଦିନରେ ମଧ୍ୟପ୍ରଦେଶର ଗ୍ଵାଲିୟରରେ ଜଣେ ଶିକ୍ଷୟତ୍ରୀଙ୍କ ଉତ୍ସର୍ଗିକୃତ ମନୋଭାବକୁ ସାରା ଦେଶ ସଲାମ କରିଛି । ଶିକ୍ଷୟତ୍ରୀ ଜଣଙ୍କ ନିଜର ଏବଂ ନିଜ ଝିଅର ଭରଣ ପୋଷଣ କଥା ନ ଭାବି ଦୀର୍ଘ ୧୬ ବର୍ଷ ଧରି ବିନା ଦରମାରେ ପାଠ ପଢ଼ାଇଥିଲେ । ଏ ବିଷୟରେ ଜଣା ପଡ଼ିବା ପରେ ହାଇକୋର୍ଟ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦେବା ସହ ୧୬ବର୍ଷର ପାରିଶ୍ରମିକ ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନିର୍ଦ୍ଦେଶକୁ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଶିକ୍ଷୟତ୍ରୀଙ୍କୁ ତାଙ୍କ ପାରିଶ୍ରମିକ ମିଳିପାରି ନାହିଁ ।

ସୂଚନା ମୁତାବକ,ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ଶର୍ମାଙ୍କ ସ୍ୱାମୀ ବିଜୟ ଶର୍ମା ଏକ ରାଧାକୃଷ୍ଣ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ । ସେ ସମୟରେ ରାଜଲକ୍ଷ୍ମୀ ଘରେ ରହି ଘର କାମ କରୁଥିଲେ । ୧୯୯୯ରେ ରୋଗରେ ବିଜୟଙ୍କ ମୃତ୍ୟୁ ହୋଇଯିବାରୁ ଘର ଚଳାଇବା ପାଇଁ ବିଜୟଙ୍କ ସ୍ଥାନରେ ରାଜଲକ୍ଷ୍ମୀଙ୍କୁ ଅନୁକମ୍ପା ନିଯୁକ୍ତି ଦିଆଯାଇଥିଲା । ପରେ ନିଯୁକ୍ତି ପତ୍ର ସରକାରଙ୍କୁ ପଠାଇ ଦିଆଯାଇଥିଲା । ବର୍ଷ ପରେ ବର୍ଷ ବିତି ଚାଲିଥିଲା କିନ୍ତୁ ସରକାରଙ୍କ ତରଫରୁ କୌଣସି ଆଦେଶ ଆସି ନ ଥିଲା । ସରକାର ଅଣଦେଖା କରିବାରୁ ଏହାର ପ୍ରଭାବ ରାଜଲକ୍ଷ୍ମୀଙ୍କ ଜୀବନରେ ପଡ଼ିଥିଲେ ମଧ୍ୟ ସେ ପାଠ ପଢ଼ାଇବା ଛାଡ଼ି ନଥିଲେ । ୧୬ବର୍ଷ ପାଠ ପଢ଼ାଇବା ପରେ ୨୦୧୬ରେ ତାଙ୍କୁ ସେବା ନିବୃତ କରାଯାଇଥିଲା । କହିବାକୁ ଗଲେ ଅନୁକମ୍ପା ନିଯୁକ୍ତି ଏବଂ ସେବାନିବୃତ କରାଇବା ସବୁ ନିୟମ ଅନୁସାରେ ହୋଇଥିଲା କିନ୍ତୁ ଅନୁକମ୍ପା ରାଶି ବିଷୟରେ ବିଦ୍ୟାଳୟ କି ସରକାର କେହି ବି ଭାବି ନଥିଲେ ।