ରାଜଧାନୀ ରାଜରାସ୍ତାରେ ଗର୍ଜିବେ ଗୁରୁ ! ଦାବି ପୂରଣ ନେଇ ଆଜି ଅଧ୍ୟାପକ ଓ ଶିକ୍ଷକ ମିଳିତ ମଂଚର ବିଶାଳ ସମାବେଶ

27

କନକ ବ୍ୟୁରୋ: ଦିନ କେଇଟା ପରେ ସରିବ ଯୁକ୍ତ୨ ପରୀକ୍ଷା । ଏହାପରେ ଖାତା ଦେଖା । ଏପ୍ରିଲ ୪ରୁ ଖାତା ମୂଲ୍ୟାୟନ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଣ୍ଟା ଭିଡ଼ିଥିବା ବେଳେ ଏବେ ଅଧ୍ୟାପକଙ୍କୁ ନେଇ ଅକଳରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଆଉ ମାତ୍ର ୮ ଦିନ ପରେ ଖାତା ଦେଖା ଆରମ୍ଭ ହେବାକୁ ଥିବା ବେଳେ ବ୍ଲକଗ୍ରାଣ୍ଟ କଲେଜର ଅଧ୍ୟାପକମାନେ ଏବେ ବି ଆନ୍ଦୋଳନ ଜାରି ରଖିଛନ୍ତି । ମାଟ୍ରିକ୍ ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ବସିରହିଛନ୍ତି । ଆଜି ଭୁବନେଶ୍ୱରରେ ମହାସମାବେଶର ଡାକରା ଦେଇଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ବିଧାନସଭା ସମ୍ମୁଖରେ ୫୦ ହଜାରରୁ ଅଧିକ ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେବାକୁ ସଜବାଜ ହେଉଛନ୍ତି ।

ଅନ୍ୟପକ୍ଷରେ ଏପ୍ରିଲ ୪ରୁ ଆରମ୍ଭ ହେବାକୁ ଥିବା ଖାତା ମୂଲ୍ୟାୟନ ବାଧାପ୍ରାପ୍ତ ହେବାର ଆଶଙ୍କା ଏବେଠାରୁ ପ୍ରକାଶ ପାଇଛି । ଯେଉଁଥି ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବ୍ଲକ୍ଗ୍ରାଣ୍ଟ ଅଧ୍ୟାପକଙ୍କ ବଦଳରେ ଡିଗ୍ରି କଲେଜ ଅଧ୍ୟାପକଙ୍କୁ ମୂଲ୍ୟାୟନରେ ସାମିଲ କରିବା ଲାଗି ଏକପ୍ରକାର ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ରାଜ୍ୟରେ ଥିବା ସମସ୍ତ ଡିଗ୍ରି କଲେଜ, ସ୍ୱୟଂଶାସିତ କଲେଜ, ମଡେଲ୍ ଡିଗ୍ରି କଲେଜ ଅଧ୍ୟାପକଙ୍କୁ ମୂଲ୍ୟାୟନ କାର୍ଯ୍ୟରେ ନିୟୋଜିତ କରାଯିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସମସ୍ତ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖି ଡିଗ୍ରି କଲେଜର ଯେଉଁ ଅଧ୍ୟାପକମାନେ ମୂଲ୍ୟାୟନରେ ସାମିଲ ହେବେ ସେମାନଙ୍କ ତାଲିକା ପଠାଇବାକୁ କୁହାଯାଇଛି ।

ସବୁଠାରୁ ବଡ଼ କଥା ହେଉଛି ଯେ ରାଜ୍ୟରେ ଥିବା ୨୭୯ଟି ସେଲ୍ଫ ଫାଇନାନ୍ସିଂ କଲେଜର ଅଧ୍ୟାପକମାନେ ଏଥର ଯୁକ୍ତ୨ ମୂଲ୍ୟାୟନରେ ସାମିଲ ହୋଇପାରନ୍ତି । ସେମାନଙ୍କ ଉପରେ ନ୍ୟସ୍ତ ରହିବ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ସେମାନେ ଯେଉଁଭଳି ମାର୍କ ଦେବେ ସେମିତି ଡିଭିଜନ ପାଇବେ ପରୀକ୍ଷାର୍ଥୀ । ପରିଷଦ ଦ୍ୱାରା ସହବନ୍ଧିତ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନର ଶିକ୍ଷକମାନଙ୍କୁ ଖାତା ଦେଖାରେ ନିୟୋଜିତ କରାଯି ବ। ଆସନ୍ତା ମାର୍ଚ୍ଚ ୨୭ ସୁଦ୍ଧା ରାଜ୍ୟର ପ୍ରାୟ ୭୦୦ ଶିକ୍ଷାନୁଷ୍ଠାନର ମୁଖିଆମାନେ ଖାତା ମୂଲ୍ୟାୟନ ପାଇଁ ଆଗ୍ରହୀ ଥିବା ସେମାନଙ୍କ ଅଧ୍ୟାପକଙ୍କ ତାଲିକା ‘ମଷଗ୍ଦରଶକ୍ସବୟବଗ୍ଧସକ୍ଟଦ୍ଭକ୍ଷସଗ୍ଦଗ୍ଧଅଶଜ୍ଞବସକ୍ଷ.ମକ୍ଟଜ୍ଞ’ ପ୍ରଦାନ କରିବାକୁ କୁହାଯାଇଛି । କଲେଜ କୋଡ୍, କଲେଜ ନାମ, ଶିକ୍ଷକଙ୍କ ନାମ, ପଦବି, କେଉଁ ବିଷୟରେ ଖାତା ଦେଖିବେ, ଅଧ୍ୟାପକ କେବେ ନିଯୁକ୍ତି ପାଇଛନ୍ତି, ଅଧ୍ୟାପକଙ୍କ ମୋବାଇଲ୍ ନମ୍ବର ସହ ଶିକ୍ଷାନୁଷ୍ଠାନ କେଉଁ ବର୍ଗର ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ କୁହାଯାଇଛି । ବ୍ଲକଗ୍ରାଣ୍ଟ ଅଧ୍ୟାପକଙ୍କ ତାଲିକା ଓ ଅନ୍ୟ ବର୍ଗ ଅଧ୍ୟାପକଙ୍କ ତାଲିକା ଅଲଗା ଅଲଗା ପଠାଇବାକୁ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦେଶ ଦିଆଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତିକୁ କଡ଼ା ଭାଷାରେ ସମାଲୋଚନା କରିଛି ମିଳିତ ମଞ୍ଚ । ମିଳିତ ମଞ୍ଚର ଆବାହକମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ, ପବିତ୍ର ମହାଲା କହିଛନ୍ତି ଯେ ଯେଉଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉଛି ତାହା କେତେଦୂର ସଫଳ ହେଉଛି ତାହା ଏବେଠାରୁ ଜଣାପଡ଼ୁଛି । ଯେଉଁମାନେ ଦିନେ ଯୁକ୍ତ୨ ପିଲାଙ୍କୁ ପଢ଼ାଇ ନାହାନ୍ତି ସେମାନଙ୍କ ଦ୍ୱାରା ଖାତା ମୂଲ୍ୟାୟନ କରାଯିବ। ଫଳରେ ୬ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ବାଜିରେ ଲାଗିବ। ଆଜି ଭୁବନେଶ୍ୱରରେ ହେବାକୁ ଥିବା ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ମହାସମାବେଶରେ ୫୦ ହଜାର ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ସାମିଲ ହେବେ। ରାଜ୍ୟ ସରକାରଙ୍କ ଶିକ୍ଷା ଓ ଶିକ୍ଷକମାରଣ ନୀତିକୁ ବିରୋଧ କରାଯିବ। ଦରକାର ପଡ଼ିଲେ ଚରମ ପଦକ୍ଷେପ ବି ଗ୍ରହଣ କରାଯାଇପାରେ ବୋଲି ସେମାନେ କହିଛନ୍ତି ।