ରାଜି ହୋଇଗଲେ ଶିକ୍ଷକ ! ମନ୍ତ୍ରୀଙ୍କ ମନ୍ତ୍ରଣା ମିଳିବା ପରେ ଆନ୍ଦୋଳନ ସ୍ଥଗିତ, ପରୀକ୍ଷାରେ କରିବେ ସହଯୋଗ

25

କନକ ବ୍ୟୁରୋ : ଆସନ୍ତା ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଛି ଓଡିଶା ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଂଚ । ସରକାରଙ୍କ ସହ ଆଲୋଚନା ପରେ ଷ୍ଟଅରିଂ କମିଟି ବୈଠକ ପରେ ଏହି ନିଷ୍ପତି ନେଇଛି ମିଳିତ ମଂଚ । ରବିବାର ସତ୍ୱେ ସଚିବାଳୟରେ ଦୁଇ ମନ୍ତ୍ରୀଙ୍କ ଉପସ୍ଥିତିରେ ବିଭାଗୀୟ ସଚିବଙ୍କ ସହ ଶିକ୍ଷକ ସଂଘର ଆଲୋଚନା ହୋଇଛି । ସରକାର ଶିକ୍ଷକଙ୍କ ଦାବି ବାବଦରେ ସମ୍ବେଦନଶୀଳ ଅଛନ୍ତି । ବିଜେପୁର ଉପ-ନିର୍ବାଚନ ଲାଗି ଆଚରଣବିଧି ଲାଗୁ ହୋଇଥିବାରୁ ନିଷ୍ପତି ନିଆଯାଇ ପାରୁନି । ଏନେଇ ସରକାର ୯ ତାରିଖ ପର୍ଯ୍ୟନ୍ତ ସମୟ ମାଗିଛନ୍ତି ବୋଲି ମିଳିତ ମଂଚ ପକ୍ଷରୁ ସୂଚନା ଦିଆଯାଇଛି ।

ସରକାରଙ୍କ ସକାରାତ୍ମକ ଆଭିମୁଖ୍ୟ ଏବଂ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ଏହି ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ବୋଲି ମିଳିତ ମଂଚ ପକ୍ଷରୁ ଆବାହକ ସୂଚନା ଦେଇଛନ୍ତି । ତେବେ ସରକାର ଏହି ସମୟରେ ଉଚିତ ପଦକ୍ଷେପ ନନେଲେ ଆଗାମୀ ଦିନରେ ପୁଣି ଆନ୍ଦୋଳନକୁ ଓହ୍ଲାଇବା ସହ ଖାତା ମୂଲ୍ୟାୟନଙ୍କୁ ବର୍ଜନ କରିବେ ବୋଲି ମଧ୍ୟ ମଂଚ ଚେତାବନୀ ଦେଇଛି ।