ଶିକ୍ଷକ ଅଧ୍ୟାପକଙ୍କ ଆନ୍ଦୋଳନ ଜାରି : ଗତକାଲି କଳାଦିବସ ପାଳନ ପରେ ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲରେ ତାଲା

38

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟର ହଜାର ହଜାର ସ୍କୁଲରେ ତାଲା ପଡିବ । ଆନ୍ଦୋଳନରେ ବସିଥିବା ଶିକ୍ଷକ ମିଳିତ ମଂଚ ଏପରି ଚେତାବନୀ ପୂର୍ବରୁ ଦେଇ ସାରିଛି । ଫଳରେ ସାରା ରାଜ୍ୟରେ ପିଲାଙ୍କ ପାଠପଢା ବ୍ୟାହତ ହେବ । ରାଜ୍ୟ ସରକାର ସେମାନଙ୍କ ଦାବି ନେଇ ପ୍ରତିଶ୍ରୁତି ଦେଇଥିଲେ ବି ପୂରଣ କରି ନାହାନ୍ତି ବୋଲି ମଂଚ ଦାବି କରିଛି । ବିଭିନ୍ନ ଦଫା ଦାବି ପୂରଣ ନେଇ ଗତ ୨୦ ଦିନ ହେଲା ଶିକ୍ଷକ ମିଳତ ମଂଚ ରାଜଧାନୀଠାରେ ଅହୋରାତ୍ର ଧାରଣା ଦେଇ ଚାଲିଛି । ସେପଟେ ଗତକାଲି ଗୁରୁଦିବସକୁ କଳାଦିବସ ଭାବେ ପାଳନ କରିଛନ୍ତି ରାଜରାସ୍ତାରେ ଆନ୍ଦୋଳନରେ ବସିଥିବା ଶିକ୍ଷକ ଅଧ୍ୟାପକ ।

ସେପଟେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି ଗୁରୁଦିବସକୁ କଳାଦିବସ ପାଳିବା ଠିକ ନୁହେଁ । ଗୁରୁ ସମାଜ ପ୍ରତି ଏହା ଅସମ୍ମାନ । ସରକାର ଦାବି ସଂପର୍କରେ ସଚେତନ ଅଛନ୍ତି । ଆଲୋଚନା ମାଧ୍ୟମରେ ସମାଧାନ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଆଇନଗତ ଓ ଆର୍ଥିକ ଦିଗ ଉପରେ ବିଚାର କରାଯାଉଛି । ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଶିକ୍ଷକଙ୍କୁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ଅନ୍ୟପଟେ ଶିକ୍ଷକଙ୍କୁ ସମର୍ଥନ ଜଣାଇଛନ୍ତି କଂଗ୍ରେସ ଓ ବିଜେପି । ଆନ୍ଦୋଳନ ସ୍ଥଳକୁ ଯାଇ ଉଭୟ ଦଳର ନେତା ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି ।

ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି ଯେ ଗୁରୁମାନେ ଯଦି ଗୁରୁ ଦିବସକୁ ଯଦି କଳା ଦିବସ ଭାବେ ପାଳନ କରିବେ ତେବେ ଆଉ କାହାକୁ କହିବା । ଗୁରୁଙ୍କ ସ୍ଥାନ ବହୁ ଉପରେ । ଆଜି ପରି ପବିତ୍ର ଦିବସରେ ଗୁରୁମାନେ କଳା ବ୍ୟାଜ୍‌ ପିନ୍ଧି ପରମ୍ପରାକୁ ଅସମ୍ମାନ କରୁଛନ୍ତି । ମୋତେ ବହୁତ ଦୁଃଖ ଲାଗୁଛି। ଦାବି କରନ୍ତୁ, ହେଲେ ଦାୟିତ୍ୱବୋଧକୁ ଭୁଲି ଯାଆନ୍ତୁ ନାହିଁ ବୋଲି ସେ କହିଛନ୍ତି ।

ରାଜ୍ୟର ପ୍ରମୁଖ ଛାତ୍ର ସଙ୍ଗଠନଗୁଡ଼ିକ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଅଖିଳ ଭାରତୀୟ ବିଦ୍ୟାର୍ଥର୍ୀ ପରିଷଦ(ଏବିଭିପି)ର ରାଜ୍ୟ ସମ୍ପାଦିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଲିକ ଓ ମହାନଗର ସମ୍ପାଦକ ସଞ୍ଜୟ ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଗୁରୁ ଦିବସ ପାଳନ କରିଥିଲେ । ସେହିପରି ଏଆଇଡିଏସ୍‌ଓର ରାଜ୍ୟ କମିଟି ସଭାପତି ଗଣେଶ ତ୍ରିପାଠୀ, ସମ୍ପାଦକ ସୁବାସ ନାୟକଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ସର୍ବଭାରତୀୟ ସାଧାରଣ ସମ୍ପାଦକ ଅଶୋକ ମିଶ୍ର ସାମିଲ ହୋଇଥିଲେ । ଛାତ୍ର କଂଗ୍ରେସ ପକ୍ଷରୁ ମଧ୍ୟ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।