ଶିକ୍ଷକଙ୍କ ନୀରବ ଆନ୍ଦୋଳନ ଜାରି : ଆଜି ସୁଦ୍ଧା ଆଲୋଚନା ହୋଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ନହେଲେ ଜୋରଦାର ଆନ୍ଦୋଳନ ଚେତାବନୀ

33

କନକ ବ୍ୟୁରୋ : ଶିକ୍ଷକମାନେ ନିରବ ଆନ୍ଦୋଳନ କରିଛନ୍ତି । ବାଜପାୟୀଙ୍କ ପାଇଁ ଶିକ୍ଷା ପ୍ରାଥମିକତା ହୋଇଥିବା ବେଳେ ଆଜିର ସରକାରଙ୍କୁ ଏହା ହୃଦବୋଧ ଦେବା ଉଚିତ ବୋଲି ଶିକ୍ଷକ ନେତା କହିଛନ୍ତି । ଆସନ୍ତା ୧୮ ତାରିଖ ମଧ୍ୟରେ ଆଲୋଚନାରେ ହୋଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ ଜୋରଦାର ହେବ ଏବଂ ସ୍କୁଲରେ ତାଲା ପଡିବ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି ମିଳିତ ମହାସଂଘ ।

ଏବର୍ଷ ବି ସ୍କୁଲ ଓ କଲେଜରେ ପଡ଼ିବ ତାଲା । ପାଠପଢ଼ା ଆରମ୍ଭ ହେବାର ୨ ମାସ ପରେ ପୁଣିଥରେ ଏଭଳି ଏକ ଚରମ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚ । ଗୁରୁବାର ବିଧାନସଭା ସମ୍ମୁଖ ଗାନ୍ଧୀ ମାର୍ଗରେ ଶିକ୍ଷକ, ଅଧ୍ୟାପକ, କର୍ମଚାରୀମାନେ ବିଶାଳ ଶୋଭାଯାତ୍ରା କରିବା ସହ ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ । ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ମିଳିତ ମଞ୍ଚ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରହିଛି । ବର୍ଷାକୁ ଖାତିର ନ କରି ୨୦ ହଜାରରୁ ଅଧିକ ଶିକ୍ଷକ ଓ ଅଧ୍ୟାପକ ଆନ୍ଦୋଳନରେ ବସି ରହିଛନ୍ତି ।

block grant Teacher

ଯୋଗ୍ୟ ବିବେଚିତ ହେବା ଦିନଠାରୁ ଚାକିରି ସର୍ତ୍ତ ଓ ଅବସରକାଳୀନ ସୁବିଧା ସୁଯୋଗ ସହ ପୂର୍ଣ୍ଣ ଅନୁଦାନ ନ ଦେବା ଯାଏ ଆନ୍ଦୋଳନରୁ ଇଞ୍ଚେ ହଟିବେ ନାହିଁ । ଯଦି ରାଜ୍ୟ ସରକାର ପୂର୍ବଭଳି ନିଦା ବିଷ୍ଣୁ ସାଜନ୍ତି କିମ୍ବା ପୁନର୍ବାର ଠକିବାର ପ୍ରୟାସ କରନ୍ତି, ତେବେ ଆଗାମୀ ଦିନରେ ସରକାରଙ୍କୁ ଗାଁ ଗହଳିରେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀମାନେ ଘେରିବେ । କାନ୍ଥ ବାଡ଼ ସବୁଠାରେ ସରକାରଙ୍କର ଜନବିରୋଧୀ ନୀତିକୁ ଲେଖାଯିବା ସହ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖି ରାସ୍ତାକଡ଼ରେ ପାଠ ପଢ଼ାଇବାକୁ ବାଧ୍ୟ ହେବେ । ସରକାରଙ୍କ ଶିକ୍ଷା ଓ ଶିକ୍ଷକମାରଣ ନୀତି ସମ୍ପର୍କରେ ଜନସାଧାରଣଙ୍କୁ ପ୍ରଚାରପତ୍ର ମାଧ୍ୟମରେ ଅବଗତ କରାଯିବ । ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ମିଳିତ ମଞ୍ଚର ଆବାହକ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି ଚରମ ଚେତାବନୀ ଶୁଣାଇଛନ୍ତି ।