ଦିଦି ଉଠନ୍ତୁ, ଆମେ ପାଠ ପଢିବୁ… ବାଃ ବାଃରେ ଶିକ୍ଷା ବ୍ୟବସ୍ଥା । ତଳେ ପଢୁଛନ୍ତି ପିଲା, ଚେୟାରରେ ଶୋଇଛନ୍ତି ଶିକ୍ଷୟିତ୍ରୀ

2,519

କନକ ବ୍ୟୁରୋ: ନିଘୋଡ ନିଦରେ ଦିଦି । ସ୍କୁଲ ଭିତରେ ଶୋଇ ଘୁଙ୍ଗୁଡି ମାରୁଛନ୍ତି ଦିଦି । ତଳେ ପିଲା ପାଠ ପଢୁଥିଲେ ବି ସେଥିପ୍ରତି ଆଦୌ ନିଘା ନାହିଁ । ବରଂ ଗୋଡ ଉପରେ ଗୋଡ ରଖି ଆରାମରେ ଶୋଇଛନ୍ତି ଶିକ୍ଷୟିତ୍ରୀ ।

ସ୍କୁଲ ଭିତରେ ଶିକ୍ଷୟିତ୍ରୀ ଜଣଙ୍କ ଅନନ୍ତ ଶୟନ ମୁଦ୍ରାରେ ଗୋଟିଏ ଚେୟାରରେ ବସିଛନ୍ତି ଆଉ ଗୋଟିଏ ଚେୟାରରେ ଗୋଡ ରଖି ଶାନ୍ତିରେ ଶୋଇଛନ୍ତି । କେନ୍ଦ୍ରାପଡା ଗଙ୍ଗପଡା ପଞ୍ଚାୟତ ଭରସିଂହ ୟୁପି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜୁଲତା ସେଠୀ ପାଠ ପଢାଇବା ବଦଳରେ ଶ୍ରେଣୀ ଗୃହରେ ଶୋଇଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ କେନ୍ଦ୍ରପଡାରୁ ଆସିଥିବା ଏ ଭିଡିଓ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ପଦାରେ ପକାଇଛି । ଗୋଟିଏ ପଟେ ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ବେଳେ ଅନ୍ୟ ପଟେ ଗଣଶିକ୍ଷା ମନ୍ତ୍ରୀ ବିଭିନ୍ନ ସ୍କୁଲକୁ ସରପ୍ରାଇଜ ଭିଜିଟ କରି ଶିକ୍ଷକମାନଙ୍କୁ ନାକେଦମ କରୁଛନ୍ତି । କିନ୍ତୁ ଏସବୁ ପରେ ବି କିଛି ବଦଳୁନି । ଯଥା ପୂର୍ବଂ ତଥା ପରଂ…

ଶିକ୍ଷୟିତ୍ରୀଙ୍କ ନିଦୁଆ ଭିଡିଓ ଭାଇରାଲ ହେବା ନେଇ ଉକ୍ତ ଦିଦିଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।

ତେବେ ସ୍କୁଲ ଭିତରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯଦି ଏମିତି ଶୋଇ ପଡିବେ ତାହାଲେ ପିଲାଙ୍କୁ ପାଠ ପଢାଇବ କିଏ ? କେଉଁ ଭରସାରେ ଅଭିଭାବକ ନିଜ ପିଲାଙ୍କୁ ସରକାରୀ ସ୍କୁଲ ଛାଡିବେ ? ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏଭଳି ଖାମଖିଆଲିପଣ ପାଇଁ ଲୋକେ ସରକାରୀ ସ୍କୁଲରୁ ମୋହ ତୁଟାଇ ଘରୋଇ ସ୍କୁଲ ମୁହାଁ ହେବେନି ତ ? ଏହା ଏବେ ପ୍ରଶ୍ନର ପାଚେରୀ ଛିଡା କରିଛି ।