ଶିକ୍ଷକ ସାଜିଲେ ରାକ୍ଷସ ! ସାମାନ୍ୟ ଅଙ୍କ ଭୁଲ କରିବାରୁ ଦ୍ୱିତୀୟ ଶ୍ରେଣୀ ଛାତ୍ରର ଗଳାରେ ପୁରାଇଲେ କାଠଖଣ୍ଡ ।

63

ପୁଣେରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରଙ୍କୁ ଶିକ୍ଷକଙ୍କ ଦ୍ୱାରା ନୃଂଶସ ଭାବେ ଅତ୍ୟାଚାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଶିକ୍ଷକଜଣଙ୍କ ଛାତ୍ରଙ୍କ ଗଳାରେ କାଠଖଣ୍ଡ ପୁରାଇ ତାଙ୍କୁ ଲହୁଲୁହାଣ କରିଦେଇଥିବା ଜଣାପଡିଛି । ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲର ଆଇସିଇୟୁରେ ଭର୍ତ୍ତି କରାଯାଇଛି । ତେବେ ଏହି ସବୁ ପଛରେ କାରଣ ରହିଥିଲା ଏତିକି ଯେ, ଛାତ୍ର ଜଣଙ୍କ ଗଣିତର ଏକ ପ୍ରଶ୍ନର ସମାଧାନ କରିପାରିନଥିଲେ ।

ଘଟଣାଟି ପୁଣେର ପିମ୍ପଲବାଡି ଅଞ୍ଚଳର ଅଟେ । ଛାତ୍ରଜଣଙ୍କ ଜିଲ୍ଲା ପରିଷଦୀୟ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପଢୁଛନ୍ତି । ଏପ୍ରିଲ ୧୦ତାରିଖରେ ସମ୍ପୃକ୍ତ ଛାତ୍ରର ଗଣିତ ପେପର ପରୀକ୍ଷା ଥିଲା । ଛାତ୍ରଟି କିଛି ଗଣିତ ପ୍ରଶ୍ନର ସମାଧାନ କରିନପାରିବାରୁ ଶିକ୍ଷକ ଚନ୍ଦ୍ରକାନ୍ତ ସିନ୍ଦେ ଏକ ପତଳା କାଠଖଣ୍ଡ ତାଙ୍କ ଗଳାରେ ପୁରାଇ ଦେଇଥିଲେ । ପରିବାରବର୍ଗଙ୍କ ଅଭିଯୋଗ ଆଧାରରେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କରଜାତ ପୋଲିସ ଷ୍ଟେସନରେ ମାମଲା ଦାୟର କରାଯାଇଛି ।

ଆହତ ଛାତ୍ରର ଗଳାରେ କାଠଖଣ୍ଡ ପଶିଥିବାରୁ ଶ୍ୱାସ ନଳୀ ଏବଂ ଖାଦ୍ୟ ନଳୀ କଟିଯାଇଛି । ପରିବାର ଲୋକଙ୍କୁ ଛାତ୍ରର ଏଭଳି ଅବସ୍ଥା ସମ୍ପର୍କରେ ସେତେବେଳେ ଜଣାପଡିଥିଲା ଯେତେବେଳେ ଛାତ୍ରଜଣଙ୍କ ଘରେ ପହଞ୍ଚି ବାନ୍ତି କରିବା ଆରମ୍ଭ କରିଥିଲେ । ଆଉ ତା ପାଟିରୁ ରକ୍ତ ବାହାରିବାରେ ଲାଗିଥିଲା । ପରିବାର ଲୋକେ ସଙ୍ଗେ ସଙ୍ଗେ ଛାତ୍ରକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଛାତ୍ରର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ପୁଣେ ସିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଇଥିଲେ ।

ଛାତ୍ରକୁ ଏବେ ସିଟି ହସ୍ପିଟାଲର ଆଇସିଇୟୁରେ ରଖାଯାଇଛି । ପୋଲିସ ଛାତ୍ରର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ତେବେ ଏପର୍ଯ୍ୟନ୍ତ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇନାହିଁ । ଆହତ ଛାତ୍ରର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେଲେ ବୟାନ ରେକର୍ଡ କରାଯିବ ।