ନବୀନଙ୍କ ମେଗା ସୋ’ ପୂର୍ବରୁ ରାଜଧାନୀ ରାଜରାସ୍ତାରେ ସରକାର ବନାମ ଶିକ୍ଷକ : ଶିକ୍ଷକଙ୍କୁ ମନାଇବାକୁ ବିଜେଡି ନେତାଙ୍କ ଉଦ୍ୟମ

27

କନକ ବ୍ୟୁରୋ : ଦୁଇ ଫାଳ ହେଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ । କ୍ୟାମେରାରେ ଧରାପଡିଲା ଶିକ୍ଷକ ସଂଘର ଫାଟ । ସଭାପତିଙ୍କ ନିଷ୍ପତ୍ତିିକୁ ମାନିବାକୁ ପ୍ରସ୍ତୁତ ନୁହେଁ ସଂଘର ଅନ୍ୟ ସଦସ୍ୟ । ସଂଘ ସଭାପତି ରାଜେଶ ମହାନ୍ତି ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ମତ ଦେଇଛନ୍ତି । କିନ୍ତୁ ଏହାକୁ ମାନିବା ମୁଡରେ ନାହାନ୍ତି ଅନ୍ୟମାନେ । ୩ ଦଫା ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ଜିଦରେ ଅଡି ବସିଛନ୍ତି ଶିକ୍ଷକ ।

ସେପଟେ ଆନ୍ଦୋଳନ ଯେକୌଣସି ପ୍ରକାର ଭାଙ୍ଗିବାକୁ ସରକାର ଚାହୁଁଛନ୍ତି ସରକାର । କାରଣ ନଭେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ ସବୁ ସ୍କୁଲରେ ପ୍ରସାରିତ ହେବ । ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ମନର କଥା କହିବାକୁ ଯାଉଥିବା ବେଳେ ଏପଟେ ଶିକ୍ଷକ ସଂଘର ଆନ୍ଦୋଳନ ପୂରା ଯୋଜନାକୁ ଭଣ୍ଡୁର କରିଦେବା ଆଶଙ୍କା ରହିଛି । ତେଣୁ ସରକାରୀ କଳ ଆନ୍ଦୋଳନ ବନ୍ଦ କରିବାକୁ ତତ୍ପର ହୋଇଉଠିଛି ।

ଆଜି ରାଜ୍ୟ ସଚିବାଳୟରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ନେଇ କୋର କମିଟି ବୈଠକ ବସିଥିଲା । କିନ୍ତୁ ଆନ୍ଦୋଳନ ସ୍ଥଗିତ ରଖିବା ନେଇ ସହମତି ହୋଇପାରିନଥିଲା ।ଗତ ଦୁଇ ଦିନ ହେଲା ୩ଦଫା ଦାବି ନେଇ ରାଜରାସ୍ତାରେ ଧାରଣାରେ ବସିଛନ୍ତି ହଜାର ହଜାର ଶିକ୍ଷକ । ଏହି ଆନ୍ଦୋଳନ ଜାରି ରହିଲେ ରାଜ୍ୟର ଅଧିକାଂଶ ପ୍ରାଥମିକ ସ୍କୁଲରେ ତାଲା ପଡିବାର ସମ୍ଭାବନା ରହିଛି । ଆଉ ପିଲାମାନଙ୍କୁ ଶିଶୁଦିବସରେ ଉଦବୋଧନ ଦେବାର ନବୀନଙ୍କ କାର୍ଯ୍ୟକ୍ରମ ଫସର ଫାଟିଯିବା ଆଶଙ୍କା ଉପୁଜିଛି ।