ମହଙ୍ଗା ପଡିଲା ସରକାରୀ ନିୟମର ଅବମାନନା ! ବିନା ୟୁନିଫର୍ମରେ ସ୍କୁଲ ଆସି ଶିକ୍ଷକ ହେଲେ ହଟହଟା : ଜିନ୍ସପିନ୍ଧା ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ

6,556

କନକ ବ୍ୟୁରୋ : ସରକାରୀ ନିୟମ ମାନିଲେନି ସାର୍ । ବିନା ୟୁନିଫର୍ମରେ ସ୍କୁଲ ଆସି ପାଠ ପଢ଼ାଉଥିବାରୁ ଶିକ୍ଷକଙ୍କ ଉପରେ ହେଲା କାର୍ଯ୍ୟାନୁଷ୍ଠାନ । ଶିକ୍ଷକଙ୍କ ଦରମା ବନ୍ଦ୍ କଲେ ବ୍ଲକ ଶିକ୍ଷାଧିକାରୀ । ତେବେ ଏହି ଘଟଣାଟି ଘଟିଛି ଗଞ୍ଜାମ ଖଲ୍ଲିକୋଟ ବ୍ଲକ ଅଂଚଳରେ । ସୂଚନା ଅନୁଯାୟୀ ଗତ ୧୬ତାରିଖରେ ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ ଚିକିଲି ଗ୍ରାମ ସରକାରୀ ଉଚ୍ଚବିଦ୍ୟାଳୟରେ ଅଚାନକ ପହଁଚିଥିଲେ ବ୍ଲକ୍ ଶିକ୍ଷାଧିକାରୀ । ଏହି ସମୟରେ ସ୍କୁଲର ପୂର୍ଣ୍ଣଚନ୍ଦ୍ର ଜନି ନାମକ ଜଣେ ଶିକ୍ଷକ ଶ୍ରେଶୀରେ ଶିକ୍ଷାଦାନ କରୁଥିବାବେଳେ ସରକାରୀ ନିୟମ ଅନୁଯାୟୀ ୟୁନିଫର୍ମ ପିନ୍ଧି ନଥିଲେ ।

କଳା ପ୍ୟାଂଟ ସ୍କାଏ କଲର ସାର୍ଟ ବଦଳରେ ବ୍ଲୁ ଜିନ୍ସ ଓ ଧଳା ସାର୍ଟ ପିନ୍ଧି ପାଠ ପଢ଼ାଉଥିଲେ ପୂର୍ଣ୍ଣଚନ୍ଦ୍ର । ଏହା ଦେଖି ବିଇଓ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକଙ୍କ ଗୃହକୁ ଡକାଇଥିଲେ । ୟୁନିଫର୍ମ କାହିଁକି ପିନ୍ଧି ନାହାଁନ୍ତି ବୋଲି ସେହି ଶିକ୍ଷକଙ୍କୁ ପଚାରିଥିଲେ ବିଇଓ । ତେବେ ସରକାର ୟୁନିଫର୍ମ ଲାଗି କୌଣସି ପ୍ରକାର ସହାୟତା ଦେଉନଥିବା ଓ ଏପରି କିଛି ନିୟମ ନଥିବା କହିଥିଲେ । ତାପରେ ଶୃଂଖଳା ଭଙ୍ଗ କରିବା ଅଭିଯୋଗରେ ଏହି ଶିକ୍ଷକଙ୍କର ଗୋଟିଏ ଦିନର ଦରମା ବନ୍ଦ୍ କରିବାକୁ ଲିଖିତ ଭାବେ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଗକୁ ଏପରି ଭୁଲ ହେବ ନାହିଁ ବୋଲି କହିଛନ୍ତି ଶିକ୍ଷକ ।