ଗୁରୁ ଦିବସରେ ରାସ୍ତାକଡ଼ରେ ଗୁରୁ ! ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ୬ ଘଣ୍ଟା ଧାରଣା

78

କନକ ବ୍ୟୁରୋ : ଗୁରୁ ଦିବସ ପାଇଁ ଉତ୍ସବ ମୁଖର ଥିଲା ରାଜଧାନୀ। ବିଦ୍ୟାଳୟଠାରୁ ବିଶ୍ୱବିିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ଗୁରୁ/ଶିକ୍ଷକଙ୍କୁ ପୂଜା କରୁଥିଲେ ଛାତ୍ରଛାତ୍ରୀ। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକମାନେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଲମ୍ବା ଚଉଡ଼ା ଭାଷଣ ଦେଉଥିଲେ। ଏହାରି ଭିତରେ ଭିଆଇପି ରାସ୍ତା (ରାଜଭବନ ଛକରୁ ଏଜି ଛକ) କଡ଼ରେ ଦେଖିବାକୁ ମିଳିଥିଲା ଶିକ୍ଷକ ଦମ୍ପତିଙ୍କ ଧାରଣା ।

୩୮ ବର୍ଷର ଶିକ୍ଷକତା ମଧ୍ୟରେ ହଜାର ହଜାର ପିଲାଙ୍କ ଭବିଷ୍ୟତ ଗଢ଼ିଥିବା ଖୋର୍ଧା ଜିଲ୍ଲା ଜଟଣୀ ନିକଟ କୁଦିଆରି ମଧ୍ୟ ଇଂରାଜୀ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ତ୍ରିଲୋଚନ ମହାପାତ୍ର ନ୍ୟାୟ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବସି ରହିଥିଲେ। ସାଙ୍ଗରେ ତାଙ୍କ ପତ୍ନୀ ବି ଥିଲେ । ସକାଳ ୮ଟାରୁ ବସିଥିଲେ ମଧ୍ୟ କେହି ଆଡ଼ ଆଖିରେ ବି ଚାହୁଁ ନ ଥିଲେ। ସମସ୍ତେ ନ ଦେଖିଲା ପରି ଚାଲିଯାଉଥିଲେ। ତେବେ ୬ ଘଣ୍ଟା ଧରି ବସିବା ପରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଡାକରା ଆସିଥିଲା।

ଶ୍ରୀ ମହାପାତ୍ରଙ୍କ ଅଭିଯୋଗ ଅନୁଯାୟୀ ୧୯୭୧ ମସିହା ଫେବ୍ରୁଆରି ୮ ତାରିଖରୁ ସେ କୁଦିଆରି ମଧ୍ୟ ଇଂରାଜୀ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ ଯୋଗ ଦେଇଥିଲେ । ସେଠାରେ ଥିବା ପ୍ରଧାନଶିକ୍ଷକଙ୍କ ଅବସର ପରେ ୧୯୯୫ରେ ଶ୍ରୀ ମହାପାତ୍ର କାର୍ଯ୍ୟଭାର ଗ୍ରହଣ କରିଥିଲେ । ୧୯୯୬ ଜାନୁଆରି ୯ରେ କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ୱୀକୃତି ପ୍ରଦାନ କରିଥିଲେ। ୧୯୯୮ ଏପ୍ରିଲ ୨୦ରେ ସ୍ନାତକ ତାଲିମପ୍ରାପ୍ତ ବରିଷ୍ଠ ସହକାରୀ ଶିକ୍ଷକଙ୍କୁ ୧୯୯୭ ଅଗଷ୍ଟ ୧୨ ପୂର୍ବରୁ ଖାଲିଥିବା ପ୍ରଧାନଶିକ୍ଷକ ପଦକୁ ଉନ୍ନତି ପ୍ରଦାନ କରାଯାଇଥିଲା । ସେହିଦିନଠାରୁ ଶ୍ରୀ ମହାପାତ୍ର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ହେଲେ ୧୯୯୮ ଏପ୍ରିଲ ୨୯ରେ ଶିକ୍ଷା ନିର୍ଦେଶକ ମଣ୍ଡଳାଧୀଶଙ୍କ ପଦୋନ୍ନତି ଆଦେଶକୁ ରଦ୍ଦ କରିଦେବା ପରେ ଏହା ବିରୋଧରେ ଶ୍ରୀ ମହାପାତ୍ର ରାଜ୍ୟ ପ୍ରଶାସନିକ ନ୍ୟାୟଧିକରଣଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୦୯ ମେ’ ୧୩ରେ ନ୍ୟାୟଧୀଶ ଶ୍ରୀ ମହାପାତ୍ରଙ୍କୁ ପଦୋନ୍ନତି ପ୍ରଦାନ ସମୟରୁ ପ୍ରଧାନଶିକ୍ଷକ ରୂପେ ଗ୍ରହଣ କରି ୬ ମାସ ମଧ୍ୟରେ ସମସ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ।

ଏହାକୁ କାର୍ଯ୍ୟକାରୀ କରିବା ଲାଗି ୨୦୧୩ରେ ଭୁବନେଶ୍ୱର ଜିଲ୍ଲା ଶିକ୍ଷାଧିକାରୀ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ସୁପରିସ୍‌ କରିଥିଲେ । ୨୦୧୪ରେ ଏହାକୁ ଅତିରିକ୍ତ ଶିକ୍ଷା ସଚିବଙ୍କ ନିକଟକୁ ସୁପରିସ୍‌ କରି ପଠାଇଥିଲେ। ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣଙ୍କ ଆଦେଶ ବାତିଲ୍‌ କରିବାକୁ ରାଜ୍ୟ ସରକାର ୨୦୧୫ରେ ହାଇକୋର୍ଟରେ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଥିଲା । ତେଣୁ ପ୍ରାପ୍ୟ ପ୍ରଦାନ ଲାଗି ରାଜ୍ୟପାଳଙ୍କ ନିକଟରେ ଆବେଦନ କରିବା ସହ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ସଚିବ, ପ୍ରାଥମିକ ଶିକ୍ଷା ନିର୍ଦେଶକ, ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଦାବିପତ୍ର ଦେଇଥିଲେ । ଏହାପରେ ବି ନ୍ୟାୟ ନ ପାଇ ଶ୍ରୀ ମହାପାତ୍ର ଆଜି ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଥିବା କହିଛନ୍ତି। ନ୍ୟାୟ ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।