ସ୍କୁଲରେ ପିଲାଙ୍କୁ ବିନା ପାରିଶ୍ରମିକରେ ପାଠ ପଢାଉଛନ୍ତି ବିଇଡି, ଏମଇଡି ଛାତ୍ର ! ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ପକ୍ଷରୁ “ଟିଚ୍ ମୟୂରଭଞ୍ଜ” ଅଭିଯାନ ଆରମ୍ଭ

135

କନକ ବ୍ୟୁରୋ : ଶିକ୍ଷା ଦାନ ମହତ ଦାନ । ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଛି “ଟିଚ୍ ମୟୂରଭଞ୍ଜ” ଅଭିଯାନ । ଯେଉଁଥିରେ ସାମିଲ ହୋଇ ବିଇଡି ଓ ଏମଇଡି ପଢୁଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍କୁଲକୁ ନିଜ ଖର୍ଚ୍ଚରେ ଯାଇ ମାଗଣାରେ ପାଠ ପଢାଉଛନ୍ତି । “ଟିଚ୍ ମୟୂରଭଞ୍ଜ” ଏହି ନିଆରା ପ୍ରୟାସ ଶିକ୍ଷା କ୍ଷେତ୍ରରେ ଏକ ନୂଆ ବାଟ ଦେଖାଇଛି ।

ବାରିପଦାର ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟରେ ‘ଟିଚ୍ ମୟୂରଭଞ୍ଜ’ ନାମକ ନୂଆ ଶିକ୍ଷା ଯୋଜନା ଆରମ୍ଭ ହୋଇଛି । ଏହାର ଉଦ୍ଦେଶ୍ୟ ରହିଛି ଅଧିକରୁ ଅଧିକ ପିଲାଙ୍କୁ ପାଠ ପଢା ପ୍ରତି ଆକୃଷ୍ଟ କରିବା । ବିଶ୍ୱବିଦ୍ୟାଳୟର ଇଂଟିଗ୍ରିଟି ବିଇଡି ଓ ଏମଇଡି ଛାତ୍ରଛାତ୍ରୀମାନେ ମୟୂରଭଞ୍ଜ ଜିଲ୍ଲାର ବହୁ ସ୍କୁଲରେ ମାଗଣାରେ ଶିକ୍ଷାଦାନ ଦେଉଛନ୍ତି । ଜିଲ୍ଲାର ୬ଟି ବ୍ଲକର ୬୯ ଟି ସ୍କୁଲରେ ଏହି କାର୍ଯ୍ୟକ୍ରମ ଓଡିଶାରେ ପ୍ରଥମ କରି ଆରମ୍ଭ କରାଯାଇଛି ।

ଜିଲ୍ଲାର ବିଭିନ୍ନ ସ୍କୁଲକୁ ଯାଇ ପିଲାଙ୍କୁ ମାଗଣାରେ ପାଠ ପଢାଉଛନ୍ତି ବିିଇଡି, ଏମଇଡି ଛାତ୍ରଛାତ୍ରୀ । ସରକାରୀ ସ୍କୁଲଗୁଡିକରେ ଶିକ୍ଷକ ଅଭାବରୁ ବାର୍ଷିକ ପରୀକ୍ଷା ପାଖେଇ ଆସୁଥିଲେ ମଧ୍ୟ ପାଠ୍ୟ ଖସଡା ଅନୁସାରେ ପଢା ସରୁନାହିଁ । ହେଲେ ‘ଟିଚ୍ ମୟୂରଭଞ୍ଜ’ର ପ୍ରୟାସ ଛାତ୍ରଛାତ୍ରୀ ଓ ଶିକ୍ଷକ ମହଲରେ ଖୁସି ଆଣି ଦେଇଛି । କୁହାଯାଏ ଦୁଃଖ ବାଂଟିଲେ କମେ, ଜ୍ଞାନ ବାଂଟିଲେ ବଢ଼େ । ‘ଟିଚ୍ ମୟୂରଭଞ୍ଜ’ ଅଭିଜାନ ଉଦାହରଣ ସୃଷ୍ଟି କରିଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୬୯ ସ୍କୁଲରେ ୨୦୦ରୁ ଉର୍ଦ୍ଧ ବିଇଡି, ଏମଇଡି ଛାତ୍ରଛାତ୍ରୀ ପାଠ ପଢ଼ାଉଛନ୍ତି ।