୬୮୦ କୋଟି ଟଙ୍କାର ମାଲିକ : ଅନାସ୍ଥା ପ୍ରସ୍ତାବ ଆଲୋଚନା ଆରମ୍ଭ କରିଥିବା ସାଂସଦଙ୍କୁ ଜାଣନ୍ତୁ

44

୬୮୦ କୋଟି ଟଙ୍କାର ମାଲିକ ସଂସଦରେ ଆରମ୍ଭ କଲେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା । ଶୁକ୍ରବାର ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି । କିନ୍ତୁ ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଥମେ ଆଲୋଚନା ଆରମ୍ଭ କରିଥିବା ସାଂସଦଙ୍କୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା । ଯେହେତୁ ପ୍ରଥମେ ଟିଡିପି ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା ତେଣୁ ପ୍ରଥମେ ଟିଡିପିକୁ ନିଜର ପକ୍ଷ ରଖିବାକୁ ସୁଯୋଗ ମିଳିଥିଲା । ଆଉ ଯେତେବେଳେ ଟିଡିପି ପକ୍ଷରୁ ପ୍ରଥମ କରି ସଂସଦକୁ ନିର୍ବାଚିତ ହୋଇଥିବା ଉଚ୍ଚଶିକ୍ଷିତ ସାଂସଦ ଜୟଦେବ ଗାଲା ଆଲୋଚନା ଆରମ୍ଭ କଲେ ତାହା ସମସ୍ତଙ୍କୁ ଚକିତ କରିଦେଲା । କାରଣ ଆଲୋଚନା ପାଇଁ ଟିଡିପି ଦଳକୁ ମାତ୍ର ୧୩ ମିନିଟର ସମୟ ମିଳିଥିଲା । ଆଉ ଏହି ସମୟରେ ଜୟଦେବ ଯାହା କହିଥିଲେ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ସଂସଦରେ ବିଜେପି ସରକାରକୁ ସିଧାସଳଖ ଅଭିଶାପ ଦେଇଥିଲେ ଜୟଦେବ ଗାଲା । ପ୍ରଧାନମନ୍ତ୍ରୀ ମୋଦି ଯାହା କରୁଛନ୍ତି ତାହାକୁ ଆନ୍ଧ୍ରବାସୀ ଧ୍ୟାନ ସହକାରେ ଦେଖୁଛନ୍ତି । ଆଉ ଏହାର ଜବାବ ଆଗାମୀ ନିର୍ବାଚନରେ ଆନ୍ଧ୍ରବାସୀ ଦେବେ । ଆନ୍ଧ୍ରବାସୀଙ୍କୁ ଧୋକା ଦେଲେ ରାଜ୍ୟରେ ବିଜେପି ସଫା ହୋଇଯିବ । ଯେପରି କଂଗ୍ରେସର ହୋଇଥିଲା । ଏହା ମୋଦିଙ୍କୁ ଧମକ ନୁହେଁ ବରଂ ଅଭିଶାପ ଅଟେ । ଆନ୍ଧ୍ରବାସୀଙ୍କ ଉପରେ ଅର୍ଥନୈତିକ ବୋଝ ଲଦି ଦିଆଯାଇଛି । ଆଉ ଏଥିପାଇଁ ଦୀର୍ଘ ୪ ବର୍ଷ ଧରି ଆନ୍ଧ୍ରବାସୀ ସଂର୍ଘଷ କରୁଛନ୍ତି । କିନ୍ତୁ ମୋଦି ସରକାର ଆନ୍ଧ୍ରକୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପୂରଣ କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ୨୦୧୪ରେ ମୋଦି ସରକାର ଆନ୍ଧ୍ରଙ୍କୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ପ୍ରତିଶୃତି ଦେଇଥିଲା ଏବଂ ୨୦୧୬ରେ ଆନ୍ଧ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦେବାକୁ ପ୍ରତିଶୃତି ମିଳିଥିଲା । କିନ୍ତୁ ଏହି ପ୍ରତିଶୃତି ସମୟ ବିତିବା ସହ ପାଣିର ଗାର ଭଳି ମିଳେଇ ଯାଇଥିଲା । ମୋଦି ଆନ୍ଧ୍ରବାସୀଙ୍କୁ ଧୋକା ଦେଇଛନ୍ତି । ନା ମିଳିଛି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନା ମିଳିଛି ସ୍ୱତନ୍ତ୍ର ପ୍ୟାକେଜ । ବରଂ ବାହୁବଳୀ ଫିଲ୍ମର କଲେକ୍ସନ ଯେତିକି ତାହା ଠାରୁ ମଧ୍ୟ କମ ଟଙ୍କାର ପ୍ୟାକେଜ ଆନ୍ଧ୍ରପ୍ରଦେଶକୁ ମିଳୁଛି । ସିଧାସଳଖ କହିବାକୁ ଗଲେ ଦେଶବାସୀଙ୍କୁ ଠକି ଚାଲିଛନ୍ତି ମୋଦି । ତେଣୁ ସେଥିପାଇଁ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଗଲା । ଟିଡିପି ପକ୍ଷରୁ ଜୟଦେବ ମୋଦି ସରକାରଙ୍କୁ ଯେଉଁଭଳି ଟାର୍ଗେଟ କଲେ ତାହା ଗୃହରେ ବସିଥିବା ସାଂସଦ ମାନଙ୍କୁ ଆର୍ଶ୍ଚଯ୍ୟ କରିଥିଲା ।

ମାତ୍ର ୧୩ ମିନିଟରେ ମୋଦି ସରକାରଙ୍କ ବିଫଳତା ଜନତାଙ୍କ ଆଗରେ ରଖିବା ପାଇଁ କେବଳ ଜୟଦେବ ହିଁ ସକ୍ଷମ ଏହି ଭରସା ଟିଡିପି ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କର ରହିଥିଲା । ତେବେ କିଏ ଏହି ଜୟଦେବ ଗାଲା ? ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ନିର୍ବାଚିତ ହୋଇଥିବା ଉଚ୍ଚଶିକ୍ଷିତ ସାଂସଦ ହେଉଛନ୍ତି ଜୟଦେବ ଗାଲା । ୫୨ ବର୍ଷୀୟ ଜୟଦେବ ଆନ୍ଧ୍ରପ୍ରଦେଶ ସମେତ ଦେଶରେ ଜଣେ ନାମୀ ଶିଳ୍ପପତି ଭାବେ ଜଣାଶୁଣା । ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଥିବା ଜୟଦେବ Amara Raja Group of companyର ନିର୍ଦ୍ଦେଶକ ରହିଛନ୍ତି । ଏହି କୋଟିପତି ସାଂସଦ ପୂର୍ବରୁ ମଧ୍ୟ ଅନେକଥର ମୋଦି ସରକାରଙ୍କୁ ଟାର୍ଗେଟ କରିବାର ନଜିର ରହିଛି । ୨୦୧୪ ମସିହାରେ ନିର୍ବାଚନ ସତ୍ୟପାଠରେ ତାଙ୍କ ପାଖରେ ୬୮୦ କୋଟି ଥିବା ଦର୍ଶାଇଥିଲେ । ସଂସଦର କାର୍ଯ୍ୟଦିବସରେ ମଧ୍ୟ ଅଧିକାଂଶ ସମୟ ତାଙ୍କୁ ଦେଖିବାକୁ ମିଳେ । ଲୋକସଭାରେ ତାଙ୍କର ଉପସ୍ଥାନ ୮୪ ପ୍ରତିଶତ ରହିଛି । ଯାହା ଅନ୍ୟ ସାଂସଦଙ୍କ ଠାରୁ ବହୁତ ଅଧିକ ।