ଆଜି ଲୋକସଭାରେ ମୋଦିଙ୍କ ମହାପରୀକ୍ଷା ! ଟିଡିପି, ୱାଇଏସଆର କଂଗ୍ରେସ ଆଣିପାରନ୍ତି ଅନାସ୍ଥା ପ୍ରସ୍ତାବ

45

କନକ ବ୍ୟୁରୋ : ଆଜି ସଂସଦରେ ମହାପରୀକ୍ଷା ଦେଇପାରନ୍ତି ମୋଦି ସରକାର । କାରଣ ଏନଡିଏ ସରକାରଙ୍କ ବିରୋଧରେ ଉଭୟ ଟିଡିପି ଓ ୱାଇଏସଆର କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଅନସ୍ଥା ନୋଟିସକୁ ଗ୍ରହଣ କରି ଭୋଟିଂ ପାଇଁ ନିଷ୍ପତି ନେଇପାରନ୍ତି ଲୋକସଭା ବାଚସ୍ପତି । ୪ ବର୍ଷର ମୋଦି ସରକାର ପ୍ରଥମ ଥର ଏକ ବଡ ପରୀକ୍ଷାର ସାମ୍ନା କରିପାରନ୍ତି । ଅନାସ୍ଥା ଆଗତ କରିବା ପାଇଁ ଆବଶ୍ୟକ ସଦସ୍ୟଙ୍କ ସମର୍ଥନ ରହିଥିବାରୁ ମୋଦିଙ୍କୁ ଲୋକସଭାରେ ବିଶ୍ୱାସ ଜିତିବାକୁ ପଡିବ । ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଓ ଭୋଟିଂ ପାଇଁ ୫୦ ଜଣ ସଦସ୍ୟଙ୍କ ସମର୍ଥନର ଆବଶ୍ୟକତା ରହିଛି । କଂଗ୍ରେସ, ଅନାସ୍ଥାକୁ ସମର୍ଥନ କରୁଥିବାରୁ ଭୋଟିଂ ହେବା ଏକପ୍ରକାର ନିଶ୍ଚିତ ।

ସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ମୋଦି ସରକାର ଲୋକସଭାରେ ଆସ୍ଥା ହରାଇବା ସମ୍ଭାବନା କ୍ଷୀଣ । ହେଲେ ୨୦୧୪ରେ ସରକାର ଗଢିବା ବେଳେ ବିଜେପି ଓ ଏନଡିଏର ଯେଉଁ ଦମ୍ଭ ଥିଲା, ତାକୁ ଏକ ଶକ୍ତ ଧକ୍କା ଲାଗିବା ସମ୍ଭାବନା ଅଧିକ । ତୃଣମୂଳ କଂଗ୍ରେସ, ଟିଆରଏସ, ଏସପି ଓ ବାମ ଦଳଗୁଡିକ, ମୋଦି ସରକାରଙ୍କ ବିରୋଧରେ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି । ଆଉ ବର୍ତ୍ତମାନ ନଜର ରହିଛି ବିଜେଡି, ଏନଡିଏର ସହଯୋଗୀ ଦଳ ଶିବସେନା, ଏଆଇଏଡିଏମ୍ ପରି ଦଳ ଉପରେ ।

pm modi

ଦେଖନ୍ତୁ ଅନାସ୍ଥା ପ୍ରସ୍ତାବରେ ମୋଦିଙ୍କ ପାଇଁ କେତେ ବିପଦ ରହିଛି ?

ପ୍ରକୃତରେ ଦେଖିବାକୁ ଗଲେ ଅନାସ୍ଥା ପ୍ରସ୍ତାବରେ ମୋଦିଙ୍କ ପାଇଁ ସେଭଳି କିଛି ବିପଦ ନାହିଁ । କେବଳ ବିଜେପି ନିକଟରେ ୨୭୪ ସାଂସଦ ରହିଛନ୍ତି । ଆଉ ସହେଯାଗୀ ଦଳର ସାଂସଦ ଅଛନ୍ତି ୪୧ । ଶିବସେନା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବ କି ନାହିଁ ଏ ଯାଏଁ ସ୍ପଷ୍ଟ କରିନାହିଁ । ବିରୋଧୀ ମେଂଟର ଅନାସ୍ଥା ପ୍ରସ୍ତାବ କାଟ୍ ଖାଇବାକୁ ହେେଲେ ୨୭୦ ସାଂସଦଙ୍କ ସମର୍ଥନ ଦରକାର । ସବୁଠାରୁ ବଡ କଥା ହେଲା ସହଯୋଗୀ ଦଳ ସମର୍ଥନ ନକଲେ ବି ମୋଦିଙ୍କ ପାଇଁ କୌଣସି ବିପଦ ନାହିଁ ।

ତେବେ ପରୋକ୍ଷାରେ ଅନାସ୍ଥା ପ୍ରସ୍ତାବ ସରକାରଙ୍କ ପାଇଁ ଆଗକୁ ବଡ ବିପଦ ଆଣିପାରେ । ପ୍ରସ୍ତାବ ବାହାନାରେ ବିରୋଧୀ ଦଳଗୁଡିକୁ ଏକାଠି ହେବାର ସୁଯୋଗ ମିଳିବ । ବିଜେପି ଉପରେ ଏନଡିଏ ସହଯୋଗୀ ସନ୍ତୁଷ୍ଟ ନୁହନ୍ତି । ମହାରଷ୍ଟ୍ରରେ ବିଜେପି-ଶିବସେନା ମଧ୍ୟରେ ବଡ ମତାନ୍ତର ଦେଖାଦେଇଛି । ୟୁପିରେ ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ବିହାରରେ ଜିତିନ ରାମ ମାଂଝି ଏନଡିଏ ଛାଡି ୟୁପିଏରେ ଯୋଗ ଦେଇଛନ୍ତି । ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପିକୁ କଡା ଟକ୍କର ଦେଉଛି କଂଗ୍ରେସ । ଏଭଳି ସ୍ଥିତିରେ ବିରୋଧୀଙ୍କ ଏକାଠି ହେବା ମୋଦିଙ୍କ ପାଇଁ ନିଶ୍ଚିତ ରୂପେ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।