ସୋସିଆଲ ମିଡିଆରେ କଳାଧନ ଖୋଜିବେ ଟିକସ ଅଧିକାରୀ

42

କନକ ବ୍ୟୁରୋ: ଫେସବୁକ୍ ଏବଂ ଇନଷ୍ଟାଗ୍ରାମ୍ ଭଳି ସୋସିଆଲ ମିଡିଆ ମାଧ୍ୟମରେ ଟିକସ ଫାଙ୍କୁଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ଆୟକର ବିଭାଗ ଉଦ୍ୟମ ଆରମ୍ଭ କରିବାକୁ ଯାଉଛି । ଆସନ୍ତା ମାସରୁ ବିଭାଗ ପକ୍ଷରୁ ‘ପ୍ରୋଜେକ୍ଟ ଇନସାଇଟ୍’ ନାମରେ ଏକ ପ୍ରକଳ୍ପ ଆରମ୍ଭ ହେବାର ସମ୍ଭାବନା ରହିଛି । ଯେଉଁ ବ୍ୟକ୍ତିମାନେ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟରରେ ନୂଆ କାରର ଫଟୋ କିମ୍ବା ବିଳାସପୂର୍ଣ୍ଣ ଘଣ୍ଟାର ଫଟୋ ପୋଷ୍ଟ କରିଥିବେ ସେହି ଖିଅକୁ ଧରି ଆୟକର ବିଭାଗର ଅଧିକାରୀମାନେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ କଳାଟଙ୍କା ଖୋଜିବା ଲାଗି ପହଞ୍ଚି ଯାଇପାରନ୍ତି ।

ପ୍ରୋଜେକ୍ଟ ଇନସାଇଟ୍ ମାଧ୍ୟମରେ ଆୟକର ବିଭାଗର ଅଧିକାରୀମାନେ ଡାଟା ଆନାଲିଟିକ୍ସର ଉପଯୋଗ କରିବେ । ଏଥିରେ ଲୋକଙ୍କ ଘୋଷିତ ଆୟ ଏବଂ ଖର୍ଚ୍ଚ ମଧ୍ୟରେ ଅସଙ୍ଗତିକୁ ଧରି କଳାଟଙ୍କା ବାହାର ପାଇଁ ଉଦ୍ୟମ କରାଯିବ । ଆୟକର ବିଭାଗ ପକ୍ଷରୁ ଗତବର୍ଷ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ଏଲ୍ ଆଣ୍ଡ୍ ଟି ଇନଫୋଟେକ୍ ସହିତ ଏକ ରାଜିନାମା ସ୍ୱାକ୍ଷର ହୋଇଛି । ବର୍ତ୍ତମାନ ଏହି ପ୍ରକଳ୍ପର ପରୀକ୍ଷଣ ଚାଲିଛି ।

ଆସନ୍ତାମାସ ବେଳକୁ ଏହି ପ୍ରକଳ୍ପର ସମନ୍ଵିତ ପ୍ଲାଟଫର୍ମ ପ୍ରସ୍ତୁତ ହୋଇଯିବ ବୋଲି ଆଶା ରଖାଯାଇଛି । ମୋଟା ଅଙ୍କର କାରବାର ଏବଂ କଳାଟଙ୍କା ଉପରେ ନିୟନ୍ତ୍ରଣ ରଖିବାରେ ଏହି ପ୍ରକଳ୍ପ ସହାୟକ ହେବ ବୋଲି ଆଶା ରଖାଯାଇଛି । ସୂଚନା ପ୍ରଯୁକ୍ତି ଭିତ୍ତିକ ଏହି ପ୍ରକଳ୍ପ ଯୋଗୁ ସରକାର ଲୋକଙ୍କ ଆର୍ଥିକ କାରବାର ଏବଂ ଟିକସ ପ୍ରଦାନ ସହିତ ଅନ୍ୟାନ୍ୟ ତଥ୍ୟକୁ ମିଳାଇ ପାରିବେ । ଟିକସ ଫାଙ୍କିବା ସମ୍ପର୍କରେ ପ୍ରାରମ୍ଭିକ ଯାଞ୍ଚ ପାଇଁ ଏହି ପ୍ରକଳ୍ପ ଅଧୀନରେ କମ୍ପ୍ଲିଆନ୍ସ ମ୍ୟାନେଜମେଣ୍ଟ ସେଣ୍ଟ୍ରାଲାଇଜଡ୍ ପ୍ରୋସେସିଂ ସେଣ୍ଟର (ସିଏମସିପିସି) ସ୍ଥାପନ ହେବ।