ଟ୍ୟାକ୍ସ ଚୋର ସାବଧାନ ! ଏହି ବଡ ସହର ଗୁଡିକରେ ଜାରି ହେବ ନୋଟିସ, ଜବତ ହେବ ସମ୍ପତ୍ତି ।

86

ଟ୍ୟାକ୍ସ ଦେଉନଥିବା ବ୍ୟକ୍ତିବିଶେଷ ଏଣିକି ସାବଧାନ ହୋଇଯାଆନ୍ତୁ । ପାଟଣା, ଲକ୍ଷ୍ନୌ, ଅହମ୍ମଦାବାଦ, ଚଣ୍ଡିଗଡ ଏବଂ ହାଇଦ୍ରାବାଦ ଭଳି ସହର ଗୁଡିକରେ ଟ୍ୟାକ୍ସ ଚୋରି କରୁଥିବା ଲୋକମାନଙ୍କ ଉପରେ ଏଣିକି ଖାସ ନଜର ରହିବ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସହର ଗୁଡିକରେ ଟ୍ୟାକ୍ସ ଆଦାୟରେ ସବୁଠାରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି । ଯେଉଁଥିପାଇଁ ଟ୍ୟାକ୍ସ ଚୋରି ରୋକିବା ପାଇଁ ଏଣିକି ୮ଟି ପଦକ୍ଷେପ ନିଆଯିବ ।

ଟ୍ୟାକ୍ସ ଆଦାୟ ବଢାଇବା ପାଇଁ ଏହି ସହର ଗୁଡିକୁ ଫୋକସରେ ରଖିଛି ଆୟକର ବିଭାଗ । ଆଉ ଏଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଗତ ବର୍ଷ ତୁଳନାରେ ଏହି ସହର ଗୁଡିକରେ ଟାକ୍ସ ଆଦାୟରେ ଭାରି ମାତ୍ରାରେ ହ୍ରାସ ଘଟିଛି । ପାଟଣାରେ ଟ୍ୟାକ୍ସ ଆଦାୟ ସବୁଠାରୁ ଅଧିକ ୭୪.୯ ପ୍ରତିଶତ ହ୍ରାସ ହୋଇଥିବା ବେଳେ, ଲକ୍ଷ୍ନୌରେ ୬୨.୮ ପ୍ରତିଶତ, ଜୟପୁରରେ ୪୩.୯ ପ୍ରତିଶତ, ହାଇଦ୍ରାବାଦରେ ୩୨.୬ ପ୍ରତିଶତ ହ୍ରାସ ଘଟିଛି ।

ମୁମ୍ବାଇରେ ମଧ୍ୟ ଟ୍ୟାକ୍ସ ଆଦାୟ ବଢିବା ପରିବର୍ତ୍ତେ ୩ ପ୍ରତିଶତ କମିଛି । ତେବେ ଟ୍ୟାକ୍ସ ଆଦାୟ କରିବା ପାଇଁ ଏଣିକି ଅଲଗା ଅଲଗା ୮ଟି ପଦକ୍ଷେପ ଗ୍ରହଣ କରିବ ଆୟକର ବିଭାଗ । ମୋଟା ଅଙ୍କର ଟ୍ୟାକ୍ସ ବାକି ରହିଥିଲେ, ଆୟକର ଅଧିକାରୀ ସେଠାରେ ସର୍ଭେ କରିବେ । ଆଉ ଆବଶ୍ୟକ ସ୍ଥଳେ ଉକ୍ତ ବ୍ୟକ୍ତି ବିଶେଷଙ୍କର ସମ୍ପତ୍ତି ଜବତ କରାଯାଇ ନିଲାମ କରାଯିବ । ସେହିପରି ଜାଣିଶୁଣି ଟ୍ୟାକ୍ସ ଭରୁନଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ମାମଲା ରୁଜୁ କରାଯିବ ।