ଯୁବକଙ୍କ ଶରୀରରେ ଭାରତ ଗୌରବର ନକ୍ସା । ତାଜମହଲ୍ ଠାରୁ ଆରମ୍ଭ କରି ଷ୍ଟାଚୁ ଅଫ୍ ୟୁନିଟିର ଚିତ୍ର ଶରୀରରେ ଆଙ୍କିଛନ୍ତି ଏହି ଯୁବକ

76

ଦେଶର ବିଭିନ୍ନ ସ୍ଥାନରେ ସିଏଏକୁ ନେଇ ବିରୋଧ ଲାଗିରହିଛି । କେଉଁଠି ବିକ୍ଷୋଭ ତ ଆଉ କେଉଁଠି ସମର୍ଥନରେ ବାହାରୁଛି ବିଶାଳ ରାଲି । ଏହାରି ମଧ୍ୟରେ ଜଣେ ଯୁବକ ନିଜ ଶରୀରରେ ଦେଶର ସମସ୍ତ ରାଜ୍ୟ ଓ ମୁଖ୍ୟ ପର୍ୟ୍ୟଟନ ସ୍ଥଳଗୁଡିକର ନକ୍ସା ଆଙ୍କିଥିବା ଦେଖିବାକୁ ମିଳିଛି । ଯୁବକ ଜଣଙ୍କ ହେଲେ ଆରିୟନ୍ ସୋନୀ । ଆରିୟନ୍ ସମ୍ପୁର୍ଣ୍ଣ ଶରୀରରେ ଭାରତର ୨୮ ଟି ରାଜ୍ୟ ଓ ୯ ଟି କେନ୍ଦ୍ରଶାସିତ ଅଞ୍ଚଳର ନକ୍ସା ବନେଇଛନ୍ତି । ଏହି ନକ୍ସାର ଟାଟୁକୁ ସେ ପୁରା ଶରୀରରେ କରିଛନ୍ତି । ୩୩ ବର୍ଷିୟ ଆରିୟନ୍ ସୋନୀ ରାଜସ୍ଥାନର ବୀକାନେର ଜିଲ୍ଲା ଜସ୍ସୁର ଅଞ୍ଚଳରେ ରୁହନ୍ତି । ତାଙ୍କ ଶରୀରରେ ସେ ବିଭିନ୍ନ ରାଜ୍ୟ ବ୍ୟତୀତ ପ୍ରମୁଖ ପର୍ୟ୍ୟଟନ ସ୍ଥଳର ମଧ୍ୟ ଟାଟୁ ବନାଇଛନ୍ତି ।

ଯେତେବେଳେ ତାଙ୍କୁ ଏଭଳି କରିବାର କାରଣ ପଚରାଗଲା , ଆରିୟନ୍ କହିଥିଲେ , ତାଙ୍କ ଶରୀରରେ ନିର୍ମିତ ଟାଟୁ ଦେଶ ପ୍ରତି ଥିବା ଅହେତୁକ ପ୍ରେମର ପ୍ରତୀକ । ସେ କହିଛନ୍ତି , ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ସିଏଏକୁ ସମର୍ଥନ କରି ସେ ତାଙ୍କ ସମ୍ପୁର୍ଣ୍ଣ ଶରୀରରେ ଅଖଣ୍ଡ ଭାରତର ନକ୍ସା ନିର୍ମାଣ କରିଛନ୍ତି । ଏହି ଟାଟୁକୁ ନେଇ ସେ ଜିନିୟସ, ଲିମ୍କା ବୁକ ଅଫ ରେକର୍ଡରେ ନିଜ ନାଁ ଦର୍ଜ କରିବେ ବୋଲି କହିଛନ୍ତି । ଗତ ୬ ମାସ ହେବ ସେ ନିଜ ଶରୀରରେ ଟାଟୁ କରି ଆସୁଛନ୍ତି । ସେ ପ୍ରତି ଦିନ ଟାଟୁ କରିବା ପାଖାପାଖି ୬ ରୁ ୭ଘଣ୍ଟା ପାର୍ଲରରେ ସମୟ କାଟନ୍ତି ।

ଆରିୟନ୍ ଙ୍କ ଶରୀରରେ ଟାଟୁ କରିବାର ଦାୟିତ୍ୱ ନେଇଛନ୍ତି ବିଷ୍ଣୁ ସ୍ୱାମୀ । ସେ କୁହନ୍ତି, ତାଙ୍କ ଶରୀରରେ ସମସ୍ତ ରାଜ୍ୟ ଆଙ୍କିବା ପାଇଁ ତାଙ୍କୁ ପାଖାପାଖି ଦୁଇ ମାସ ସମୟ ଲାଗିଥିଲା । ସବୁଠାରୁ ବଡ କଥା ହେଉଛି , ଟାଟୁ ବନେଇବା ପାଇଁ ଆରିୟନ୍ ଦେଉଥିବା ସମସ୍ତ ଟଙ୍କା ଅନାଥ ଆଶ୍ରମକୁ ଦାନ କରିବେ ବୋଲି ବିଷ୍ଣୁ ସ୍ୱାମୀ କହିଛନ୍ତି । ଏହା ପୂର୍ବରୁ ଆରିୟନ୍ ଦେଇଥିବା ସମସ୍ତ ଟଙ୍କା ବିଷ୍ଣୁ ପୁଲୱାମା ଆକ୍ରମଣ , ରାଷ୍ଟ୍ରପତି ଓ ଅନାଥ ଆଶ୍ରମକୁ ଦାନ କରିଆସିଛନ୍ତି ।