ରାଜନୀତିରୁ ଅବ୍ୟାହତି ନେଲେ ବିଜେଡି ସାଂସଦ ତଥାଗତ ଶତପଥୀ  । କହିଲେ, ବୟସ ହୋଇଗଲେ ରାଜନୀତିରୁ ବିଦାୟ ନେବା ଆବଶ୍ୟକ

319

କନକ ବ୍ୟୁରୋ : ଆଗାମୀ ନିର୍ବାଚନ ଲଢିବେ ନାହିଁ ତେଙ୍କାନାଳ ସାଂସଦ ତଥାଗତ ଶତପଥୀ । ୨୦୧୯ ନିର୍ବାଚନ ପୂର୍ବରୁ ସକ୍ରିୟ ରାଜନୀତିରୁ ଅବ୍ୟାହତି ନେଉଥିବା କହିଛନ୍ତି ତଥାଗତ । ତେବେ ଏବେ ମଧ୍ୟ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରେ ଥିବା କହିଛନ୍ତି ବିଜେଡିର ଏହି ସାଂସଦ । ତେବେ ରାଜନୀତିରୁ କାହିଁକି ଅବ୍ୟାହତି ନେଉଥିବା ପ୍ରଶ୍ନର ଉତ୍ତରରେ ତଥାଗତ କହିଛନ୍ତି, ବୟସ ଅଧିକ ହୋଇଯିବା ପରେ ରାଜନୀତି ଛାଡିବା କଥା ଭାବିବା ଆବଶ୍ୟକ । ଯାହାଦ୍ୱାରା ନୂଆଁ ମୁହଁଙ୍କୁ ସୁଯୋଗ ମିଳିବ ।

ତେବେ ରାଜନୀତିରୁ ଅବ୍ୟାହତି ନେବା ପରେ ସାମ୍ବାଦିକ କ୍ଷେତ୍ରରେ  ଫୋକସ କରିବେ ବୋଲି କହିଛନ୍ତି ତଥାଗତ । ରାଜନୈତିକ ପଦପଦବୀ ଉପରେ ଆଉ ଲୋଭ ନଥିବା ବେଳେ ଦେଶରେ ସାମାଜିକ ନେତୃତ୍ୱର ଅଭାବ ରହିଛି ସେ ଦିଗରେ ଚେଷ୍ଟା କରିବି ବୋଲି କହିଛନ୍ତି  ତଥାଗତ । ବିଜୁ ଜନତା ଦଳ, ନବୀନ ପଟ୍ଟନାୟକ ବହୁତ ସ୍ନେହ ଶ୍ରଦ୍ଧା ଦେଇଛନ୍ତି । ଏପରିକି ଅନୁଗୁଳ-ଢେଙ୍କାନାଳବାସୀ ମୋତେ ଆଶା ଠାରୁ ଅଧିକ  ସ୍ନେହ,ଶ୍ରଦ୍ଧା ଓ ଭଲପାଇବା ଦେଇଛନ୍ତି ବୋଲି କହିଛନ୍ତି ତଥାଗତ । ତେବେ ବିଜେଡି ଟିକେଟ ନେଇ ତଥାଗତ କହିଛନ୍ତି, ନିର୍ବାଚନରେ କାହାକୁ ଟିକେଟ ମିଳିବ ତାହା କେବଳ ନବୀନ ହିଁ ଜାଣନ୍ତି ।

ବିଜେଡିର ଏହି ଭେଟରାନ ନେତା ନିର୍ବାଚନ ପୂର୍ବରୁ ରାଜନୀତିରୁ ଅବ୍ୟାହତି ନେବାକୁ ଘୋଷଣା କରିବା ପରେ ରାଜ୍ୟ ରାଜନୀତିରେ ହଟଚମଟ ଦେଖାଦେଇଛି । ତେବେ ତଥାଗତଙ୍କ ପରେ ଢେଙ୍କାନାଳରୁ ବିଜେଡି କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।