ନବୀନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ! ବିଜେପି ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ଉପରେ ତଥାଗତ ଶତପଥୀଙ୍କ ,ଖବରକାଗଜ ସଂପାଦକୀୟରେ ପ୍ରଶ୍ନ

27

କନକ ବ୍ୟୁରୋ : ବରିଷ୍ଠ ବିଜେଡି ନେତା ତଥା ସାଂସଦ ତଥାଗତ ଶତପଥୀଙ୍କ ଦୈନିକ ଖବରକାଗଜ ଧରିତ୍ରୀରେ ପ୍ରକାଶ ପାଇଛି ଏହି ସମ୍ପାଦକୀୟ । ଏଥିରେ ଲେଖାଯାଇଛି, ଓଡିଶାରେ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବେ ଉଭା ହୋଇଛି ବିଜେପି । ଏଭଳି ପରିସ୍ଥିତିରେ ବିଜେପିର ସବୁ ପଦକ୍ଷେପକୁ ସମର୍ଥନ କରୁଥିବାରୁ ବିଜେଡିର ନିଜସ୍ୱ ସ୍ଥିତି ଦୁର୍ବଳ ହେବା ଆଶଙ୍କା ରହିଛି । ବିଜେପି ଏକତରଫା ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଥିବାରୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ମାନେ ବିରୋଧ କରିବା ସମ୍ଭାବନା ରହିଛି । କିନ୍ତୁ ଏଭଳି ଏକ ପରିସ୍ଥିତିରେ ବିଜେଡିର ସମର୍ଥନ ଦ୍ୱାରା ରାଜ୍ୟବାସୀଙ୍କୁ ଭୁଲ ବାର୍ତ୍ତା ଯାଇପାରେ ।

ତଥାଗତଙ୍କ ଏହି ଖବରକାଗଜ ସଂପାଦକୀୟର ଗୁରୁତ୍ୱ ଏଇଥିପାଇଁ ଯେ, ଗତ ମେ ୨୦ ତାରିଖ ବିଜେଡି ପଦାଧିକାରୀ ବୈଠକରେ ତଥାଗତ ବିଜେପି ସହ ସଂପର୍କକୁ ନେଇ ଉଠାଇଥିଲେ ପ୍ରଶ୍ନ । ବିଜେପିକୁ ନେଇ ଦଳର ଶୀର୍ଷ ନେତୃତ୍ୱ କଣ ଭାବୁଛନ୍ତି ତାହା ସମସ୍ତେ ସ୍ପଷ୍ଟ ଭାବେ ଜାଣିବା ଦରକାର ବୋଲି ସଭା ମଂଚରେ କହିଥିଲେ ତଥାଗତ ।

ଏପଟେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ ପ୍ରସଙ୍ଗରେ ନବୀବ ଦୋହରାଇଛନ୍ତି ରାମନାଥ ଜଣେ ଦଳିତ ନେତା ଏବଂ ପୂର୍ବ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ପ୍ରାର୍ଥୀ ପି.ଏ. ସାଙ୍ଗମାଙ୍କୁ ଏନଡିଏ ସମର୍ଥନ କରିଥିଲା । ଗୋଟିଏ ପଟେ କେନ୍ଦ୍ର ଅବହେଳା ପ୍ରସଙ୍ଗରେ ବିଜେଡି ବାରମ୍ବାର ମୋଦି ସରକାରଙ୍କୁ ଟାର୍ଗେଟ କରୁଥିବାବେଳେ ସେହି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ପଛର କାରଣ, ସିବିଆଇ ଭୟ ବୋଲି କହିଛି କଂଗ୍ରେସ ।

ମହାନଦୀ ଓ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ବିବାଦ ଭିତରେ ଏନଡିଏ ପ୍ରାର୍ଥୀଙ୍କୁ ନବୀନଙ୍କ ସମର୍ଥନ ପରେ ବିଜେଡି ସାଂସଦ ତଥାଗତଙ୍କ ଖବରକାଗଜରେ ସଂପାଦକୀୟ, ଦଳ ଭିତରେ ମତ ପାର୍ଥକ୍ୟର ସଂକେତ ଦେଉଛି । ବଡକଥା ହେଉଛି ଦଳର ଅନ୍ୟ ସାଂସଦମାନଙ୍କ ଆଭିମୁଖ୍ୟ କଣ ରହିବ । କାରଣ ରାଷ୍ଟ୍ରପତି ନିର୍ବାଚନରେ ହ୍ୱିପ ଜାରି କରାଯାଇପାରିବ ନାହିଁ ।