ବୈଜୟନ୍ତଙ୍କ ଡିନର ପାର୍ଟି ! ପିନାକୀ ଓ ତଥାଗତଙ୍କ ଅନୁପସ୍ଥିତି ନେଇ ରାଜନୀତି ଜୋର୍

28

କନକ ବ୍ୟୁରୋ : ବିଜେଡିର ବିବାଦୀୟ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଦିଲ୍ଲୀ ଡିନର ପାର୍ଟିକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଅଙ୍କକଷା । ଦଳୀୟ ନୀତିକୁ ବାରମ୍ବାର ସମାଲୋଚନା କରୁଥିବା ବୈଜୟନ୍ତଙ୍କଠାରୁ ବିଜେଡି ନେତା ଦୂରତା ରଖୁଛନ୍ତି । ହେଲେ ଦିଲ୍ଲୀ ଡିନର ପାର୍ଟିିର୍ରେ ପ୍ରାୟ ସମସ୍ତ ସାଂସଦ ଯୋଗ ଦେଇଥିଲେ । କିନ୍ତୁ ବୈଜୟନ୍ତଙ୍କୁ ପାଲଟା ସମାଲୋଚନା କରୁଥିବା ସାଂସଦ ପିନାକୀ ମିଶ୍ର ଓ ତଥାଗତ ଶତପଥି ଏହି ନୈଶ୍ୟ ଭୋଜିରେ ସାମିଲ ହୋଇନଥିଲେ ।

– ତଥାଗତ ଯେବେ ସଂସଦୀୟ ଦଳ ଭାଙ୍ଗିବା କଥା ଟ୍ୱିଟ୍ କଲେ, ବୈଜୟନ୍ତଙ୍କ ସହ ଆରମ୍ଭ ହୋଇଥିଲା ଟ୍ୱିଟ୍ ୱାର
– ବାରମ୍ବାର ଦଳୀୟ ବେପାରକୁ ସମାଲୋଚନା କରୁଥିବା ବୈଜୟନ୍ତଙ୍କୁ ଲୋନ୍ ଉଲଫ୍ ଅର୍ଥାତ୍ ଏକା ଗଧିଆ କହିଥିଲେ

ପ୍ରଶ୍ନ ଉଠୁଛି, ଲୋନ୍ ଉଲଫ୍ ବୈଜୟନ୍ତଙ୍କ ଡିନର ପାର୍ଟିରେ ବିଜେଡି ସଂସଦୀୟ ଦଳ ଯୋଗ ଦେଲା କିପରି?
ଅନ୍ୟପଟେ ସାଂସଦ ନଥିବା ବିଜେପି ନେତା ବି ଡିନର୍ କଲେ ବୈଜୟନ୍ତଙ୍କ ଘରେ । ଏପରିକି ପାର୍ଟିର ବଡ ଆକର୍ଷଣ ଥିଲେ ଢେଙ୍କାନାଳରେ ତଥାଗତଙ୍କ ପୁରୁଣା ରାଜନୈତିକ ସମାଲୋଚନା ତଥା ପୂର୍ବତନ ବିଧାୟକ ନବୀନ ନନ୍ଦ । ବିଜେଡି ନେତା ନବୀନ ନନ୍ଦ କିଛି ଦିନ ହେବ ଦଳକୁ ସୋସିଆଲ ମିଡିଆରେ କାଠଗଡାରେ ଠିଆ କରୁଛନ୍ତି । ଏପରିକି ୨୦୧୯ରେ ବିଜେଡି ଟିକେଟ୍ ନ ଦେଲେ ଅନ୍ୟ ଦଳରୁ ଲଢିବେ ବୋଲି ବି ଫେସବୁକରେ ଲେଖିଥିଲେ । ଏବେ ବୈଜୟନ୍ତ ପଣ୍ଡାଙ୍କ ଡିନର ଇନଭିଟେସନ କାର୍ଡକୁ ବି ଫେସବୁକରେ ଅପଲୋଡ୍ କରିଛନ୍ତି ।

ଢେଙ୍କାନାଳ ରାଜନୀତିରେ ତଥାଗତଙ୍କୁ ବାଦ୍ ଦେଇ ନବୀନ ନନ୍ଦଙ୍କ ସହ ଘନିଷ୍ଠତା ବଢାଇଛନ୍ତି ବୈଜୟନ୍ତ । ଆଉ ଏପଟେ କେବଳ ୪ରୁ ୫ଜଣ ସାଂସଦଙ୍କୁ ଛାଡି ଅନ୍ୟ ସବୁ ସାଂସଦ ବୈଜୟନ୍ତଙ୍କ ଡିନର ପାର୍ଟ୍ଟିରେ ଯୋଗ ଦେବା ବିଜେଡି ରାଜନୀତିର ଏକ ବଡ ଦିଗକୁ ଇସାରା କରୁଛି ।