ଟାଟା ଟେଲିକୁ କିଣିବ ଏୟାରଟେଲ୍

40

ଟାଟା ଗ୍ରୁପର ଟେଲିକମ୍ ସେବା ପ୍ରଦାନକାରୀ କଂପାନି ଟାଟା ଟେଲି ସର୍ଭିସେସର ମୋବାଇଲ୍ ବ୍ୟବସାୟକୁ ସୁନିଲ ମିତ୍ତଲଙ୍କ କଂପାନି ଭାରତୀ ଏୟାରଟେଲ୍ ଅଧିଗ୍ରହଣ କରିବ । ଟାଟା ଟେଲିର କୌଣସି ଋଣକୁ ଏୟାରଟେଲ୍ ନିଜ କାନ୍ଧକୁ ନେବ ନାହିଁ କିମ୍ବା ଏଥିପାଇଁ କୌଣସି ନଗଦ ରାଶି ମଧ୍ୟ ଗଣିବ ନାହିଁ । ସ୍ପେକ୍ଟ୍ରମ୍ ବାବଦରେ ଟାଟା ଟେଲି ୧୦,୦୦୦ କୋଟି ଟଙ୍କାର ୭୦-୮୦ ପ୍ରତିଶତ ଅର୍ଥ ରାଶି ପ୍ରଦାନ କରିବାର ବାକି ଅଛି । ତାହାକୁ ମଧ୍ୟ ଟାଟା ଗ୍ରୁପ୍ ହିଁ ପ୍ରଦାନ କରିବ । ସେ ଦାୟିତ୍ୱ ମଧ୍ୟ ଏୟାରଟେଲ୍ ନେବ ନାହିଁ ।

ତେବେ ଟାଟାର ସ୍ପେକ୍ଟ୍ରମ୍ ପେମେଣ୍ଟ୍ ବାବଦରେ ୧୫୦୦ କୋଟି ଟଙ୍କା ପାଖାପାଖି ଏୟାରଟେଲ ଦେଇପାରେ ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ସବୁ କ୍ଷେତ୍ରରୁ ମଞ୍ଜୁରି ମିଳିବା ପରେ ଏୟାରଟେଲ୍ ଦ୍ୱାରା ଟାଟା ଟେଲି ଅଧିଗ୍ରହଣ ଶେଷ ହୋଇପାରିବ । ଏହି ମିଶ୍ରଣ ଶେଷ ହେବା ପରେ ଟାଟା ଟେଲି ପାଖରେ ଥିବା ୪ କୋଟି ଗ୍ରାହକ ଏୟାରଟେଲରେ ମିଶିଯିବେ। ଦେଶର ୧୯ଟି ସର୍କଲରେ ଟାଟା ଟେଲିର ସ୍ପେକ୍ଟ୍ରମ୍ ରହିଛି । ତେଣୁ ଏହି କଂପାନିକୁ ଅଧିଗ୍ରହଣ କଲେ ଏୟାରଟେଲର ସ୍ଥିତି ଏହି ସବୁ ସର୍କଲଗୁଡ଼ିକରେ ଆହୁରି ମଜବୁତ ହେବ ।

ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ କହିଛନ୍ତି ଯେ, ଟାଟା ଗ୍ରୁପ୍ ଏବଂ ଏହାର ଅଂଶୀଦାରଙ୍କ ପାଇଁ ଏହି ବୁଝାମଣା ହେଉଛି ସବୁଠୁ ଶ୍ରେଷ୍ଠ ବିକଳ୍ପ । ଟାଟା ଟେଲି ବୋଝକୁ ଖସାଇବା ପାଇଁ ଟାଟା ଗ୍ରୁପ୍ ଅନେକ ପ୍ରକାର ବିକଳ୍ପ ଉପରେ ଚିନ୍ତା କରିବା ପରେ ଏହି ବ୍ୟବସାୟକୁ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଚନ୍ଦ୍ରଶେଖରନ୍ ନିଜ ଆଡୁ ଏହି କାରବାରକୁ ବଞ୍ଚାଇ ରଖିବା ପାଇଁ ସୁନିଲ ମିତ୍ତଲଙ୍କ ସହିତ ଆଲୋଚନା ଜାରି ରଖିଥିଲେ । ଶେଷରେ ବୁଝାମଣା ପାଇଁ ମିତ୍ତଲଙ୍କୁ ବୁଝାଇବାରେ ଚନ୍ଦ୍ରଶେଖରନ୍ ସଫଳ ହୋଇଛନ୍ତି । ଟାଟା ଟେଲିର ଅପ୍ଟିକାଲ୍ ଫାଇବର୍ ନେଟଓ୍ଵର୍କକୁ ବ୍ୟବହାର କରିବାର ଅଖଣ୍ଡ କ୍ଷମତା ମଧ୍ୟ ଏୟାରଟେଲ୍ ହାସଲ କରିବ ।