ବନ୍ଦ ହେବନି ଟାଟା ନାନୋ

70

କନକ ବ୍ୟୁରୋ : ଟାଟା ମୋଟରସର ସବୁଠୁ ଶସ୍ତା କାର୍ ନାନୋର ଉତ୍ପାଦନ ବନ୍ଦ କରାଯିବ ନାହିଁ । କଂପାନିର ସିଇଓ ଏହା କହିଛନ୍ତି । ସେ କହିଛନ୍ତି ଯେ ନାନୋ ସହିତ ଭାବାବେଗ ଜଡ଼ିତ ରହିଛି । ତେଣୁ ଏହାର ଉତ୍ପାଦନ ବନ୍ଦ କରାଯିବ ନାହିଁ। କଂପାନିର ଅଂଶଧନକାରୀମାନେ ମଧ୍ୟ ଚାହୁଁଛନ୍ତି ନାନୋର ଉତ୍ପାଦନ ବନ୍ଦ ନହେଉ । ମାତ୍ର ଏହାର ବିକ୍ରି ଯେହେତୁ ଉତ୍ସାହଜନକ ସ୍ତରରେ ନାହିଁ ତେଣୁ ନାନୋର ଉତ୍ପାଦନ ବଜାୟ ରଖିବା ମଧ୍ୟ କଂପାନି ପାଇଁ ସମ୍ଭବ ନୁହେଁ ।

ନାନୋକୁ ଆଗକୁ ବଢ଼ାଇବା ପାଇଁ କଂପାନି ବିକଳ୍ପ ଯୋଜନା ପ୍ରସ୍ତୁତ କରୁଛି । ଏହାକୁ ନୂତନ ଭାବେ ବଜାରରେ ଉପସ୍ଥାପନ କରାଯିବ । କଂପାନି ଇଲେକ୍ଟ୍ରିକ୍ ନାନୋ ଆଣିବା ଉପରେ ମଧ୍ୟ ବିଚାର କରୁଛି । କେଉଁ ଉପାୟ ଗ୍ରହଣ କଲେ ନାନୋ ଉତ୍ପାଦନ ଜାରି ରହିବ ପାରିବ ସେ ସବୁ ବିକଳ୍ପ ଉପରେ କଂପାନି ବିଚାର କରୁଛି ।

ନାନୋ ପାଇଁ କୋଲକାତାର ସିଙ୍ଗୁରଠାରେ କାରଖାନା ନିର୍ମାଣ କରାଯିବାର ଥିଲା । ମାତ୍ର ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ଯୋଗୁଁ କାରଖାନା ନିର୍ମାଣ କରାଯାଇପାରିଲା ନାହିଁ । ବାଧ୍ୟ ହୋଇ କଂପାନି ଗୁଜରାଟ ସାନନ୍ଦଠାରେ ନାନୋ ଉତ୍ପାଦନ କରିବା କାରଖାନା ନିର୍ମାଣ କରାଯାଇଥିଲା । ମାତ୍ର ସେହି ସମୟ ଭିତରେ ଏତେ ବିଳମ୍ବ ହୋଇଯାଇଥିଲା ଯେ, ନାନୋ ବଜାରକୁ ଆସିବା ପୂର୍ବରୁ ଯେଉଁ ଭଳି ଉତ୍ସାହ ଲୋକମାନଙ୍କ ମନରେ ରହିଥିଲା କାରଟି ବଜାରକୁ ଆସିବା ପରେ ଦେଖିବାକୁ ମିଳିନଥିଲା। ଏବେ ବି ମାସକୁ ୧୦୦୦ଟି ନାନୋ କାର୍ ବିକ୍ରି ହେଉଛି ବୋଲି ଶ୍ରୀ ବୋରଓ୍ଵାଙ୍କର କହିଛନ୍ତି ।

କଂପାନି ଗ୍ରାହକମାନଙ୍କ ଆବଶ୍ୟକତା ବୁଝିବା ପାଇଁ ଡିଲରସିପଗୁଡ଼ିକରୁ ତଥ୍ୟ ସଂଗ୍ରହ କରୁଛି । ଗ୍ରାହକମାନେ କ’ଣ ଚାହୁଁଛନ୍ତି ତାହା ଜାଣିବାକୁ ପ୍ରୟାସ କରୁଛି । ଡିଲରସିପଗୁଡ଼ିକରୁ ଯେଉଁ ସବୁ ତଥ୍ୟ ମିଳୁଛି ତାହାକୁ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି । ବିଗତ କିଛି ମାସରେ କଂପାନିର କାର୍ ବିକ୍ରିରେ ଉଲ୍ଲେଖନୀୟ ବୃଦ୍ଧି ହୋଇଥିବା ସେ କହିଛନ୍ତି ।

ପାସେଞ୍ଜର କାର୍ ବିକ୍ରିରେ କଂପାନିର ଅତୀତର ସଫଳତାକୁ ଦୋହରାଇବା ପାଇଁ ଟାଟା ମୋଟରସ୍ ଅନେକ ପଦକ୍ଷେପ ଗ୍ରହଣ କରୁଛି । କଂପାନି ଖୁବ୍ ଶୀଘ୍ର ଦେଶର ତୃତୀୟ ବୃହତ୍ତମ ପାସେଞ୍ଜର କାର୍ ବିକ୍ରେତା ହେବାକୁ ଲକ୍ଷ୍ୟ ରଖିଛି । କଂପାନି ନୂତନ ମଡେଲ୍ ଉନ୍ମୋଚନ କରି ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖିଛି ।