ସରକାରୀ ବିମାନ କଂପାନିର ହେବ ଘରୋଇକରଣ ! ଏୟାର ଇଣ୍ଡିଆକୁ କିଣିବ ଟାଟା ଗ୍ରୁପ୍‌

35

କନକ ବ୍ୟୁରୋ : କ୍ଷତିରେ ଚାଲୁଥିବା ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆର ଘରୋଇକରଣ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହି କଂପାନିକୁ ଟାଟା ଗ୍ରୁପ୍‌ ଖରିଦ କରିବ ବୋଲି ଚର୍ଚ୍ଚା ଜୋର ଧରିଛି । ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ସହଯୋଗରେ ଏୟାର ଇଣ୍ଡିଆକୁ କିଣିବା ପାଇଁ ଟାଟା ଗ୍ରୁପ୍‌ ଉଦ୍ୟମ ଆରମ୍ଭ କରିଦେଇଛି । ଏହି ଆଲୋଚନାର ନେତୃତ୍ୱ ନେଉଛନ୍ତି ଟାଟାର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ୍‌ । ଚନ୍ଦ୍ରଶେଖରନ୍‌ ନିଜେ ସରକାରଙ୍କ ସହ ଅଣ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛନ୍ତି । ଏୟାର ଇଣ୍ଡିଆର ୫୧% ଅଂଶଧନ ଖରିଦ କରିବାକୁ ଟାଟା ଆଗ୍ରହ ପ୍ରକାଶ କରିଛି ।

ଟାଟା ଗ୍ରୁପ୍‌ ଯଦି ଏୟାର ଇଣ୍ଡିଆକୁ ଖରିଦ କରିବ ତେବେ ଭାରତୀୟ କଂପାନି ଭାବେ ଏୟାର ଇଣ୍ଡିଆର ଯେଉଁ ପରିଚୟ ରହିଛି ତାହା ବଜାୟ ରହିବ । ସବୁଠୁ ବଡ଼ କଥା ହେଉଛି ସମୟ ଚକ୍ରରେ ଏୟାର ଇଣ୍ଡିଆ ଏହାର ପ୍ରତିଷ୍ଠାତା ଗ୍ରୁପ୍‌ ପାଖକୁ ଫେରିବାକୁ ଯାଉଛି । ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ୍‌ ପ୍ରତିଷ୍ଠା କରିଥିଲା । ପରବର୍ତି ସମୟରେ ଏହା ସରକାରଙ୍କ ହାତକୁ ଚାଲିଯାଇଥିଲା। ବର୍ତମାନ ସୁଦ୍ଧା ଯାହା ସୂଚନା ମିଳିଛି ଏୟାର ଇଣ୍ଡିଆର ୫୧% ଅଂଶଧନ ଟାଟା ଗ୍ରୁପ୍‌ କିଣିବ ଏବଂ ବଳକା ଅଂଶଧନ କଂପାନିର ସିଙ୍ଗୁପର ସହଯୋଗୀ ସିଙ୍ଗାପୁର ଏୟାରଲାଇନ୍ସ ଖରିଦ କରିବ । ଟାଟା ଏବଂ ସିଙ୍ଗାପୁର ଏୟାରଲାଇନ୍ସ ମିଳିତ ଭାବେ ଭିସ୍ତାର ବିମାନ କଂପାନି ଚଳାଉଛନ୍ତି ।

ଏୟାର ଇଣ୍ଡିଆ ପ୍ରତି ଟାଟା ଗ୍ରୁପ୍‌ ଆଗ୍ରହ ଦେଖାଇବା ଏହା ପ୍ରଥମ ଥର ନୁହେଁ। ୧୬ ବର୍ଷ ପୂର୍ବରୁ ସିଙ୍ଗାପୁର ଏୟାରଲାଇନ୍ସ ଏବଂ ଟାଟା ଗ୍ରୁପ୍‌ ମିଳିତ ଭାବେ ଏୟାର ଇଣ୍ଡିଆର ୪୦% ଅଂଶଧନ କିଣିବାକୁ ପ୍ରସ୍ତାବ ଦେଇଥିଲେ। ଏ ବିଷୟରେ ୨୦୦୦ ମସିହାରେ ଟାଟା ଗ୍ରୁପ୍‌ ଜାରି କରିଥିବା ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଥିଲା । ୨୦୧୩ରେ ରତନ ଟାଟା କହିଥିଲେ ଯେ ଯଦି କେବେ ଏୟାର ଇଣ୍ଡିଆରୁ ପୁଞ୍ଜି ପ୍ରତ୍ୟାହାର ହେବ ତେବେ ତାହାକୁ ସେ କିଣିବେ। ଏୟାର ଇଣ୍ଡିଆର ଋଣ ବୋଝ ହେଉଛି ୫୦୦୦୦-୬୦୦୦୦ କୋଟି ଟଙ୍କା । ଏତେ ପରିମାଣର ଋଣ ଟାଟା ଗ୍ରୁପ୍‌ ପାଇଁ ମୁଣ୍ଡବ୍ୟଥାର କାରଣ ହେବ । ମାତ୍ର ସକାରାତ୍ମକ ଦିଗଟି ହେଉଛି ଏୟାର ଇଣ୍ଡିଆ ପାଖରେ ୧୧୮ଟି ବିମାନ ରହିଛି । ପ୍ରାୟ ସମସ୍ତ ପ୍ରମୁଖ ଆନ୍ତର୍ଜାତିକ ସହରକୁ କଂପାନିର ସଂଯୋଗ ରହିଛି । କଂପାନି ପାଖରେ ଗୁରୁତ୍ୱପୂର୍ଣ୍ଣ ସ୍ଲଟ୍‌ ରହିଛି ଯାହାକୁ ବ୍ୟବହାର କରି ଟାଟା ଗ୍ରୁପ୍‌ ବିମାନ ଶିଳ୍ପ ଶୀର୍ଷରେ ପହଞ୍ଚିପାରିବ।