ଟିକେଟ ପାଇ ଜିତିଲେ ଏଇଠି ହେବ ଦେଖା ! ଆଗାମୀ ନିର୍ବାଚନ ପାଇଁ ବିଧାୟକ ଦେଲେ ବିଧାୟକଙ୍କୁ ଶୁଭେଚ୍ଛା

1,260

କନକ ବ୍ୟୁରୋ : ସରିଲା ପଞ୍ଚଦଶ ବିଧାନସଭାର ଶେଷ କାର୍ଯ୍ୟ ଦିବସ । ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ସହ ବିଧାୟକ ମାନଙ୍କ କାର୍ଯ୍ୟକାଳ ସରିବାକୁ ନେଇ ମଧ୍ୟ କାଉଣ୍ଟ ଡାଉନ ଆରମ୍ଭ ହୋଇଛି । ତେବେ ଅନ୍ତିମ କାର୍ଯ୍ୟଦିବସ ହୋଇଥିବାରୁ ବିଧାନସଭାରେ ଭାବବିହ୍ୱଳ ପରିସ୍ଥିତି ସୃଷ୍ଟି ହୋଇଛି । କାରଣ ଅନେକ ବିଧାୟକଙ୍କୁ ହୁଏତ ଆଗାମୀ ବିଧାନସଭା ଅଧିବେଶନରେ ଦେଖିବାକୁ ମିଳିନପାରେ । ତେଣୁ ଶେଷ ଦିନରେ ବିଧାୟକ ଓ ମନ୍ତ୍ରୀ ମାନେ ନିଜର ୫ ବର୍ଷର ଅନୁଭୂତି କ୍ୟାମେରା ସାମ୍ନାରେ ବଖାଣିଛନ୍ତି ।

ବିଧାନସଭାର ଶେଷ କାର୍ଯ୍ୟଦିବସରେ ସରିବା ପରେ ଆରମ୍ଭ ହୋଇଥିଲା ଫଟୋ ସେସନ କାର୍ଯ୍ୟକ୍ରମ । ଏକାଠି ହୋଇଥିଲେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ବାଚସ୍ପତି, ଶାସକ ଓ ବିରୋଧୀ ଦଳର ବିଧାୟକ ଓ ମନ୍ତ୍ରୀଗଣ । କେବଳ ଏକାଠି ହୋଇନଥିଲେ ପରସ୍ପରକୁ ଆଲିଙ୍ଗନ କରିବା ସହ ଆଗାମୀ ନିର୍ବାଚନ ପାଇଁ ଶୁଭକାମନା ଦେବାକୁ ମଧ୍ୟ ପଛାଇ ନଥିଲେ । ଗୃହ ଭିତରର ଦୃଶ୍ୟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା ଗୃହ ବାହାରର ଦୃଶ୍ୟ । କାରଣ କ୍ୟାମେରା ଲେନ୍ସରେ କଏଦ ହୋଇଥିଲେ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ ଓ ମନ୍ତ୍ରୀ । ତାହା ବି ପୁଣି ଗୋଟିଏ ଫ୍ରେମରେ । କ୍ୟାମେରାରେ କ୍ଲିକ ହେବା ସହ ସମସ୍ତ ବିଧାୟକ ଓ ମନ୍ତ୍ରୀ ମାନଙ୍କ ପାଇଁ ସ୍ମରଣୀୟ ପାଲଟିଯାଇଥିଲା ଏହି ମୁହୂର୍ତ୍ତ । କାରଣ ଏହା କିଛି ବିଧାୟକ ଓ ମନ୍ତ୍ରୀଙ୍କ ପାଇଁ ହୁଏତ ଶେଷ ଫଟୋ ହୋଇପାରେ । 

ପଞ୍ଚଦଶ ବିଧାନସଭା ଶେଷ ଅଧିବେଶନର ଶେଷ କାର୍ଯ୍ୟଦିବସରେ କ୍ୟାମେରା ଲେନ୍ସରେ କଏଦ ହୋଇଥିବା ଏହି ସ୍ମରଣୀୟ ମୁହୂର୍ତ୍ତର ଫଟୋରୁ ହୁଏତ ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନରେ କିଛି ବିଧାୟକ ଓ ମନ୍ତ୍ରୀ ଦେଖିବାକୁ ମିଳିନପାରେ । ଆଉ ସେହି ସମାନ ସ୍ଥାନରେ ହୁଏତ ଅନ୍ୟ କେଉଁ ବିଧାୟକଙ୍କୁ ଦେଖିବାକୁ ମିଳିପାରେ । 

ଏକଥା ଏଥିପାଇଁ କୁହାଯାଉଛି, କାରଣ ଏହି ସିଟର ହକଦାର ସିଏ ହେବ ଯିଏ ଆଗାମୀ ନିର୍ବାଚନ ଜିତି ବିଧାନସଭାକୁ ଏଣ୍ଟ୍ରି କରିବ । ଆଉ ଯିଏ ପରାଜୟ ବରଣ କଲା ସେହି ସ୍ଥାନରେ ଆଉ ଏକ ନୂଆ ଚେହେରା ଦେଖିବାକୁ ମିଳିବ । କେବଳ ହାର୍ ଜିତି ଦ୍ୱାରା ଏହି ସିଟର ଭବିଷ୍ୟତ ମଧ୍ୟ କହିହେବନି । କାରଣ କେଉଁ ଦଳ କାହାକୁ ଟିକେଟ ଦେବ । ଷ୍ଟାଣ୍ଡିଂ ବିଧାୟକ ଟିକେଟ ପାଇବେ ନା ନୂଆ ମୁହଁ ଉପରେ ଦଳ ଭରସା କରିବେ ତାହାକୁ ନେଇ ଏବେ ଅଙ୍କକଷା ଆରମ୍ଭ ହୋଇଛି ।  ତାହା ଉପରେ ମଧ୍ୟ  ସମସ୍ତଙ୍କର ନଜର ରହିଛି । 

ତେଣୁ ଏଭଳି ସ୍ଥ୍ିତିରେ କିଏ ପୁଣିଥରେ ଜନତାଙ୍କ ସାର୍ଟିଫିକେଟ ପାଇ ବିଧାନସଭା ଆସିବ ଏବଂ କିଏ ପୁଣି ୫ ବର୍ଷକୁ ଅପେକ୍ଷା କରିବ ତାହା ଉପରେ ରାଜନୈତିକ ମହଲର ନଜର ରହିଥିବା ବେଳେ ବିଧାୟକ ମାନେ ଆଜି ୫ ବର୍ଷର ଅନୁଭୂତି ବଖାଣିଛନ୍ତି । ଏପରିକି ପରସ୍ପରକୁ ଆଗାମୀ ନିର୍ବାଚନ ପାଇଁ ଶୁଭେଚ୍ଛା ଜଣାଇବା ସହ ପୁଣି ଜିତିଲେ ଏଇଠି ଦେଖା ହେବ ବୋଲି କହିଥିଲେ । ଏପରିକି କିଛି ବିଧାୟକ ପୁଣିଥରେ ଟିକେଟ ନେଇ ଜିତିବା ସହ ଷୋଡଶ ବିଧାନସଭାର ଅଧିବେଶନକୁ ଆସିବେ ବୋଲି ଦମ୍ଭ ଦେଖାଇଛନ୍ତି ।