ଘରୋଇ ଚ୍ୟାନେଲର ପୁରସ୍କାର ଉତ୍ସବକୁ ନେଇ ପାରାଦୀପରେ ହଙ୍ଗାମା : ସ୍ଥାନୀୟ ମନ୍ତ୍ରୀ ଓ ସାଂସଦଙ୍କୁ ନିମନ୍ତ୍ରଣ ନଦେବାରୁ ରିହାର୍ସଲ ବନ୍ଦ କଲେ ସମର୍ଥକ

34

କନକ ବ୍ୟୁରୋ : କଳାକାରଙ୍କ ପାଇଁ ଉଦ୍ଦିଷ୍ଟ ଥିବା ପୁରସ୍କାର ଉତ୍ସବରେ ନେତାଙ୍କ କାମ କ’ଣ ? ଏଭଳି ଏକ ପୁରସ୍କାର ଉତ୍ସବରେ ନେତାଙ୍କୁ ନିମନ୍ତ୍ରଣ ନହେଲା ବୋଲି କାହିଁକି ହେବ ବିରୋଧ ? ଘଟଣାଟି ହେଉଛି ପାରାଦୀପ ସହରର । ଯେଉଁଠି ଆଜି ଏକ ଘରୋଇ ଚ୍ୟାନେଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଛି । ହେଲେ ଏହି ଉତ୍ସବକୁ ସ୍ଥାନୀୟ ମନ୍ତ୍ରୀ ଓ ସାଂସଦଙ୍କୁ ନିମନ୍ତ୍ରଣ ହେଲାନି ବୋଲି କାଲି ରିହଲସଲକୁ ଭଣ୍ଡୁର କରିଦେଇଥିଲେ ନେତାଙ୍କ ସମର୍ଥକ ।

ଜନପ୍ରତିନିଧିଙ୍କ କେତେ କାଟତି, ଏ ଘଟଣା ହିଁ ବୟାନ କରୁଛି । ସ୍ଥାନୀୟ ବିଧାୟକ ଏବଂ ସାଂସଦଙ୍କୁ ନିମନ୍ତ୍ରଣ ନଥିବାରୁ ଅଧାରୁ ବନ୍ଦ ହୋଇଗଲା ଷ୍ଟେଜ୍ ରିହଲସଲ୍ । ଆରମ୍ଭ ହୋଇଗଲା ହୋହାଲ୍ଲା ପାଟିତୁଣ୍ଡ । ଏକ ଘରୋଇ ଚ୍ୟାନେଲର ବାର୍ଷିକ ପୁରସ୍କାର ଉତ୍ସବ ପାଇଁ ଚ୍ୟାନେଲ ପକ୍ଷରୁ ପାରଦୀପରେ ବ୍ୟାପକ ଆୟୋଜନ ହୋଇଛି । ଯେଉଁ କାର୍ଯ୍ୟକ୍ରମକୁ ମନ୍ତ୍ରୀ, ବିଧାୟକ ଏବଂ ସାଂସଦଙ୍କୁ ନିମନ୍ତ୍ରଣ ଦିଆଯାଇନଥିବାରୁ ଏକ ବଡ ଧରଣର ବିରୋଧ ସାମ୍ନା କରିବାକୁ ପଡ଼ିଛି ।

କିନ୍ତୁ ପାରାଦୀପ ବିଧାୟକ ତଥା କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । କହିଛନ୍ତି- ଆଜି ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ଆସିଛି ଏବଂ ସନ୍ଧ୍ୟାରେ ସେ ଯୋଗ ଦେଉଛନ୍ତି । କିନ୍ତୁ ବଡ କଥା ହେଉଛି-କାଲି ଯାଏଁ ସ୍ଥାନୀୟ ତୁଙ୍ଗ ନେତାଙ୍କୁ ନିମନ୍ତ୍ରଣ ଦିଆଯାଇନଥିବା ନେତାଙ୍କୁ ଆଜି ନିମନ୍ତ୍ରଣ ମିଳିଛି । ଆଉ ଆଲୋଚନା ପରେ ଆଜି ସ୍ୱାଭାବିକ ଭାବରେ ଅନୁଷ୍ଠିତ ହେଉଛି ଏହି ଟିଭି ଚ୍ୟାନେଲର କାର୍ଯ୍ୟକ୍ରମ । ଏଠି ପ୍ରଶ୍ନ ଉଠୁଛି ।

ଲୋକଙ୍କ ମନୋରଂଜନ ଏବଂ ପ୍ରିୟ କଳାକାରଙ୍କୁ ଲୋକଙ୍କ ପାଖକୁ ପହଂଚାଇବା ଉଦ୍ଦେଶ୍ୟରେ ହେଉଥିବା ଏକ କାର୍ଯ୍ୟକ୍ରମରେ କାହିଁକି ନେତା ଓ ମନ୍ତ୍ରୀ ମୁଣ୍ଡ ପୁରାଉଛନ୍ତି ତାକୁ ନେଇ ଏବେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।