ଦେଶର ଶ୍ରେଷ୍ଠ ୪ ନମ୍ବର ଥାନା ହେଲା ତରଭା : ଲୋକାଭିମୁଖୀ ସେବା ପାଇଁ ଗୃହମନ୍ତ୍ରାଳୟ ପକ୍ଷରୁ ମିଳିଲା ପୁରସ୍କାର

1,270

କନକ ବ୍ୟୁରୋ : ସାଧାରଣ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରୁନାହିଁ ପୋଲିସ । ବାରମ୍ବାର ଏହିଭଳି ଅଭିଯୋଗ ଆସୁଥିବା ବେଳେ ଉଦାହରଣ ପାଲଟିଛି ସୋନପୁର ଜିଲ୍ଲାର ତରଭା ଥାନା । ଦେଶର ଶ୍ରେଷ୍ଠ ୪ ନମ୍ବର ଥାନାର ମାନ୍ୟତା ପାଇଛି । ଲୋକଙ୍କ ସହ ସୁସଂପର୍କ ସ୍ଥାପନ କରି ବିଭିନ୍ନ ସମସ୍ୟା ସମାଧାନ କରିବାରେ ସଫଳ ହୋଇପାରିଛି ତରଭା ଥାନା ପୋଲିସ । ଦେଶର ଶ୍ରେଷ୍ଠ ୧୦ଟି ଥାନା ତାଲିକାରେ ସ୍ଥାନ ପାଇ ରାଜ୍ୟକୁ ଗୌରବାନ୍ୱିତ କରିଛି ।

ତରଭାକୁ ଥାନାକୁ ପୁରସ୍କୃତ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଦେଶର ଶ୍ରେଷ୍ଠ ୧୦ଟି ଥାନା ତାଲିକାରେ ୪ ନମ୍ବର ସ୍ଥାନରେ ରହିଛି ସୋନପୁରର ତରଭା ଥାନା । ବ୍ୟୁରୋ ଅଫ୍ ପୋଲିସ ରିସର୍ଚ୍ଚ ଡେଭେଲପମେଂଟ ଆଣ୍ଡ କ୍ୱାଲିଟି କାଉନସିଲ ଅଫ୍ ଇଣ୍ଡିଆ ସର୍ଭେ ଅନୁସାରେ ତରଭା ଥାନାକୁ ମିଳିଛି ଏହି ମାନ୍ୟତା । ବିଭିନ୍ନ ଦିଗକୁ ନେଇ ୨୦୧୮ ସର୍ବଭାରତୀୟ ସ୍ତରରେ ଏହି ସର୍ଭେ କରାଯାଇଥିଲା ।

  • ୨୦୧୮ ମସିହାରେ ୧୭୯ଟି ମାମଲା ଦାୟର, ୧୫୭ ମାମଲାର ଫଇସଲା
  • ବରିଷ୍ଠ ନାଗରିକ ସୁରକ୍ଷା କମିଟି ଓ ଅନ୍ୟାନ୍ୟ ସଂଗଠନ ସହ ପୋଲିସର ନିୟମିତ ବୈଠକ
  • ତରଭା ଅଂଚଳର ବିଭିନ୍ନ ସମସ୍ୟା ଓ ଉପୁଜୁଥିବା ବିବାଦର ସମାଧାନ
  • ଅପରାଧୀଙ୍କ ପିଲାମାନଙ୍କୁ ନବୋଦୟ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟରେ ନାମଲେଖା
  • ପ୍ରବେଶିକା ପରୀକ୍ଷା ପାଇଁ ମାଗଣା କୋଚିଂ
  • ପାଠ୍ୟ ପୁସ୍ତକ ଓ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ପୋଲିସର ବ୍ୟବସ୍ଥା

ତରଭା ଥାନା ଅଧିନରେ ୨ଟି ଫାଣ୍ଡି ଥିବା ବେଳେ ଜନସଂଖ୍ୟା ହେଉଛି ୧ ଲକ୍ଷ ୩୦ ହଜାର । ଜନସାଧାରଣଙ୍କ ସହ ଉତମ ସଂପର୍କ ସୃଷ୍ଟି କରି ଅପରାଧ ରୋକିବାରେ ସଫଳ ହୋଇଛି ତରଭା ଥାନା ।