ତରଭା ଚୁପଚାପ୍ ! ରାଜନୈତିକ ହତ୍ୟା ପରେ ଆଶଙ୍କାରେ ନିର୍ବାଚନ

24

କନକ ବ୍ୟୁରୋ : ଢେଙ୍କାନାଳ ତରଭା ହତ୍ୟାକାଣ୍ଡ ମାମଲାର କ୍ରାଇମବ୍ରାଂଚ୍ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି ନିର୍ବାଚନ କମିଶନ । ସେପଟେ ତରଭାରେ ଭୋଟକୁ ନେଇ ଜାରି ରହିଛି ସସପେନ୍ସ । ୧୪୪ ଧାରା ସହ ପୁଲିସ୍ ଛାଉଣୀରେ ପରିଣତ ହୋଇଥିବା ଗାଁରେ ଏବେ ବନ୍ଦ ହୋଇଯାଇଛି ପଂଚାୟତ ପ୍ରଚାର ।

ଦିନରେ ସିପାହୀ ରାତିରେ ନେତା । ପୁଲିସ୍ କନେଷ୍ଟବଳ କେମିତି ବନିଲେ ବିଜେଡି କର୍ମୀ । ବିଜେପି କର୍ମୀ ସଲମାନ୍ ରାଉତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବ୍ୟୋମକେଶ ବିଶ୍ୱାଳଙ୍କ ଠାରୁ ଏ ପ୍ରଶ୍ନର ଉତ୍ତର ଖୋଜୁଛି ପୁଲିସ୍ । ତେଣୁ ପଚରା ଉଚୁୁରା ପାଇଁ ଆଜି ୨ ଦିନିଆ ରିମାଣ୍ଡରେ ନେଇଛି । କେମିତି ଓ କେଉଁ ପରିସ୍ଥିତିରେ ସେ ଗୁଳି ଚଳାଇଲା । ପୁଲିସ୍ ଚାକିରୀ କରି ପ୍ରଚାର କାମରେ କେମିତି ଲାଗିଥିଲା । ହତ୍ୟାକାଣ୍ଡରେ କେତେଜଣ ଓ କେଉଁମାନେ ସାମିଲ୍ ଅଛନ୍ତି । ଏସବୁର ତଥ୍ୟ ହାସଲ କରିବ ପୁଲିସ୍ ।

ବ୍ୟୋମକେଶ ଥିଲା ପୁଲିସ୍ କର୍ମଚାରୀ । ହେଲେ ହାତରେ ଧରିଥିଲା ରାଜନୀତି ବନ୍ଧୁକ । ତାହା ପୁଣି ଶାସକ ଦଳର ନେତାଙ୍କ ଆଶୀର୍ବାଦରେ । ତେଣୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ ।

ସେପଟେ ଗୁଳିକାଣ୍ଡ ପରେ ତରଭା ଚୁପଚାପ୍ । ୧୪୪ ଧାରା ଜାରି କରି ଗାଁରେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଛି ପ୍ରଶାସନ । ରାଜନୈତିକ ହିଂସାକୁ ଆକଟ କରିବାକୁ ଜଗି ରହିଛନ୍ତି ମାଳମାଳ ପୁଲିସ୍ । ସେପଟେ ଠପ୍ ହୋଇଯାଇଛି ପଂଚାୟତ ପ୍ରଚାର । ପ୍ରାର୍ଥୀ, ନେତା ସମସ୍ତେ ନୀରବ । ଏଭଳି ସ୍ଥିତିରେ ତରଭାରେ ନିର୍ବାଚନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ରାଜନୈତିକ ଅସହିଷ୍ଣୁତା ନେଇଛି ଜୀବନ । ଆଉ ତାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । କେଉଁ ଦଳ ଲାଭ ପାଇବ କାହାର କ୍ଷତି ହେବ । ହେଲେ ସଲମନଙ୍କ ପରିବାରକୁ ମିଳିବ କଣ ।