କଂଗ୍ରେସର ଗଡ କୋରାପୁଟରେ ହୋଇଛି ଗଡବଡ । ତାରା ଦେଲେ ମୃଦୁ ଚେତାବନୀ, କହିଲେ, କଥା ନ ରଖିଲେ ଜଟିଳ ହେବ ସ୍ଥିତି

307

କନକ ବ୍ୟୁରୋ:  କଂଗ୍ରେସର ପ୍ରାର୍ଥୀ ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି । କୋରାପୁଟରେ ଟିକଟ ବଂଟନରେ ଗଡବଡ ହୋଇଛି ବୋଲି କହିଛନ୍ତି ତାରା । ତାରା ଆହୁରି କହିଛନ୍ତି କାହାର ଟିକେଟ କଟିବ ଏବଂ କାହାର ରହିବ ଏହି ପ୍ରସଙ୍ଗରେ ପ୍ରଦୀପ ମାଝୀଙ୍କ କଥା ରୁହେ ତାଙ୍କର ନୁହେଁ । ସେପଟେ ପିସିସି ସଭାପତି କହିଛନ୍ତି ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ତାରାଙ୍କ ଭଳି ବରିଷ୍ଠ ନେତା ଏପରି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ନିରଞ୍ଜନ ।

କଂଗ୍ରେସର ପ୍ରାର୍ଥୀ ତାଲିକା ଆସିବା ପରେ ଉଠିଛି ବିରୋଧର ସ୍ୱର । ତାରା ପ୍ରସାଦ ବାହିନୀପତି ସିଧା ସିଧା ଅଭିଯୋଗ ଆଣି କହିଛନ୍ତି କଂଗ୍ରେସର ଗଡ ହେଉଛି କୋରାପୁଟ । କିନ୍ତୁ ଟିକେଟ ବଣ୍ଟନରେ ଏଠାରେ ଗଡବଡ ହୋଇଛି । ପୂର୍ବରୁ ସମସ୍ତ ବିଧାୟକଙ୍କୁ ଟିକେଟ ଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ କୋଟପାଡରେ ବିଧାୟକ ଚନ୍ଦ୍ରଶେଖର ମାଝୀଙ୍କୁ ଟିକେଟ ଦିଆନଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ତାରା । କାହାର ଟିକେଟ କଟିବ ଏବଂ କାହାର ଟିକେଟ ରହିବ ସେଥିରେ ପ୍ରଦୀପ ମାଝୀଙ୍କ କଥା ରୁହେ, ତାଙ୍କର କଥା ରହେ ନାହିଁ । କୋରାପୁଟ ଲୋକସଭା ଟିକେଟ ତାରାଙ୍କ ଅନୁଗତଙ୍କୁ ନମିଳିଲେ ପରିସ୍ଥିତି ଜଟିଳ ହେବ ବୋଲି କହିଛନ୍ତି ତାରା ।

ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଟିକେଟ କଟିବା ପରେ ଏପରି ବହୁ ଅଭିଯୋଗ ଆସିବା ସ୍ୱାଭାବିକ । ତେବେ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ବୋଲି କହିଛନ୍ତି ନିରଞ୍ଜନ । ତାରାଙ୍କ ଭଳି ବରିଷ୍ଠ ନେତା ଏପରି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ନିରଞ୍ଜନ । ତେବେ ସବୁ ପରିଶ୍ରମ ସମ୍ପୁର୍ଣ୍ଣ ଫଳ ମିଳିବ ବୋଲି ଆଶା ରଖିବା ବୃଥା ।

ତାରା ଏବଂ ପ୍ରଦୀପ ମାଝୀଙ୍କ ଭିତରେ ତୁତୁ ମେମେ ଚାଲିଥିବା ବେଳେ ଦଳର ବରିଷ୍ଠ ନେତାମାନେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି । ଏହାରି ଭିତରେ ତାଲିକା ଘୋଷଣା ପୂର୍ବରୁ ଦିଲ୍ଲୀରେ ଡେରା ପକାଇଥିଲେ ତାରା । କୋରାପୁଟ ଲୋକସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟରେ ଥିଲେ ସୁଦ୍ଧା କିଏ ପ୍ରାର୍ଥୀ ହେବ ସେନେଇ ସସପେନ୍ସ ଜାରି ରଖିଛି କଂଗ୍ରେସ ।

ତାରାଙ୍କ ଏହି ତେରଛା ତୀର ପରେ ଏବେ କଂଗ୍ରେସରେ ଟିକଟ ବଣ୍ଟନ ପ୍ରକ୍ରିୟାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହିଁକି ନା କୋରାପୁଟ ଲୋକସଭା , କୋଟପାଡ ଏବଂ ଲକ୍ଷ୍ମୀପୁର ପରି କେତେକ ଆସନରେ କିଏ ପ୍ରାର୍ଥୀ ହେବ ସେ ନେଇ କଂଗ୍ରେସ କିଛି ନିଷ୍ପତି ନେଇନାହିଁ । ଯାହାକି କିଛି ଆଶାୟୀଙ୍କୁ ନିରାଶ କରିଛି ।