ଆଉ ୪୫ ଦିନ, ବଦଳିଯିବ କଂଗ୍ରେସର କାୟା ! ତାରାଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ. . କନକ ନ୍ୟୁଜ୍ ୱେବ୍ ଏକ୍ସକ୍ଲୁସିଭ୍

43

କଂଗ୍ରେସରେ ରାଜ୍ୟ ସଭାପତି ପରିବର୍ତ୍ତନ ପାଇଁ ଦାବି ହେଉଛି । ପ୍ରସାଦଙ୍କ ହଟାଇବାକୁ ଗୋଟିଏ ଗୋଷ୍ଠୀର ଦାବି ଦିଲ୍ଲୀରେ ଲବି କରିଛନ୍ତି । ଏପରିକି ରାହୁଲ ଗାନ୍ଧୀ ରାଜ୍ୟର ବରିଷ୍ଠ ନେତାଙ୍କ ସହ ଆଲୋଚନା କରି ମନ୍ତ୍ରଣା ମଧ୍ୟ କରିଥିଲେ । ହେଲେ ହଠାତ୍ ଏହାପରେ ସଭାପତି ପରିବର୍ତ୍ତନ ପ୍ରକ୍ରିୟା ଅଟକି ଯାଇଥିଲା । କାହିଁକି ପ୍ରସାଦ ବଦଳିଲେନି, କଂଗ୍ରେସର ଓଡିଶା ଶାଖାକୁ ରାହୁଲ ଗୁରୁତ୍ୱ ଦେଉଛନ୍ତି କି ନାହିଁ, ସେନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଲା । ହେଲେ ଏହାରି ଭିତରେ କନକ ନ୍ୟୁଜ ହାତରେ ଲାଗିଛି ଏକ୍ସକ୍ଲୁସିଭ୍ ତଥ୍ୟ ।

ଅତି ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଉ ୪୫ ଦିନ ଭିତରେ ବଦଳିବେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ଏହାପଛରେ ରହିଛି ଏକ ସୁଚିନ୍ତିତ ରଣନୀତି । ନା ପ୍ରସାଦ ଅପମାନିତ ହେବେ, ନା ନିର୍ବାଚନ ବିପର୍ଯ୍ୟୟ ବୋଝ ଲଦି ତାଙ୍କୁ ସଭାପତି ପଦରୁ ବାହାର କରାଯିବ, ଏହାର ମଝି ବାଟ ହାଇକମାଣ୍ଡ ଖୋଜି ବାହାର କରିଛନ୍ତି । ସର୍ବଭାରତୀୟ ସ୍ତରରେ କଂଗ୍ରେସର ଏବେ ସାଂଗଠନିକ ନିର୍ବାଚନ ହେବ । ଜାତୀୟ ନିର୍ବାଚନ କମିଶନ ଏନେଇ କଂଗ୍ରେସ ହାଇକମାଣ୍ଡଙ୍କୁ ଅବଗତ କରାଇ ସାରିଛନ୍ତି । ଯଦି ଅକ୍ଟୋବର ୧୫ ସୁଧା କଂଗ୍ରେସ ସାଂଗଠନିକ ନିର୍ବାଚନ କାର୍ଯ୍ୟ ନସାରେ ତେବେ ଦଳ ମାନ୍ୟତା ହରାଇବାର ଆଶଙ୍କା ରହିଛି । ସେଦୃଷ୍ଟିରୁ ସର୍ବଭାରତୀୟ ସ୍ତରରେ ଏବେ ଆରମ୍ଭ ହୋଇଛି ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ।

ଆଉ ଏହାକୁ ଆୟୁଧ କରି ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ପ୍ରକ୍ରିୟାକୁ ଅଟକାଇ ଦେଇଛନ୍ତି ହାଇକମାଣ୍ଡ । ସାଂଗଠନିକ ନିର୍ବାଚନ ଭିତରେ ହିଁ ପ୍ରସାଦ ବଦଳିଯିବେ । ତେଣୁ ରାଜନୈତିକ ସ୍ତରରେ ଆଉ ଭୁଲ ବାର୍ତ୍ତା ଯିବନି । ତେଣୁ ପଂଚାୟତ ନିର୍ବାଚନ ପରେ ପରେ ପ୍ରସାଦଙ୍କ ପଡଦ ଯିବାନେଇ ଯେଉଁ ଆଶଙ୍କା ସୃଷ୍ଟି ହୋଇଥିଲା ସେଥିରେ ସାମୟିକ ବ୍ରେକ ଲାଗିଛି । ପ୍ରସାଦ ହରିଚନ୍ଦନ ପିସିସି ପଦରୁ ହଟିବା ସ୍ପଷ୍ଟ ହୋଇଯାଇଥିବା ବେଳେ, ଖାଲି ସମୟକୁ ଏବେ ଗୁରୁତ୍ୱ ଦିଆଯାଉଛି ।

ଗୋଟିଏ ପଟେ ପ୍ରସାଦ ହରିଚନ୍ଦନ ସଭାପତି ପଦରୁ ବଦଳୁନଥିବା ବେଳେ ଅନ୍ୟପଟେ ଦଳୀୟ ରାଜନୀତି ଏବେ ରୋଚକ ମୋଡରେ ପହଂଚିଛି । ପ୍ରସାଦଙ୍କୁ ଗୋଟିଏ ଗୋଷ୍ଠୀ ଲଗାତର ବିରୋଧ କରି ଆସୁଛନ୍ତି । ଏପରିକି ଚାଲିଛି ବେଲଗାମ ବୟାନବାଜୀ । ଆଉ ଏହାରି ଭିତରେ କନକ ନ୍ୟୁଜକୁ ମିଳିଛି ଆଉ ଏକ ଏକ୍ସକ୍ଲୁସିଭ ତଥ୍ୟ ।

ଅତି ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କୁ କଂଗ୍ରେସ ଦଳରୁ ସସପେଣ୍ଡ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏନେଇ ହାଇକମାଣ୍ଡ ମନସ୍ଥ କରିନେଇଥିବା ସୂଚନା ମିଳିଛି । ତେବେ ସମୟକୁ ଅପେକ୍ଷା କରାଯାଇଛି । କଂଗ୍ରେସର ଶୀର୍ଷ ସ୍ତରରୁ ମିଳିଥିବା ସୂଚନା ଅନୁସାରେ, ଯେତେବେଳେ ରାହୁଲ ଗାନ୍ଧୀ ରାଜ୍ୟର ବହୁ ନେତାଙ୍କୁ ଦିଲ୍ଲୀ ଡକାଇ ସଂଗଠନ ବାବଦରେ ଆଲୋଚନା କରିଥିଲେ, ସେତେବେଳେ ତାରା ପ୍ରସାଦ ବାହିନୀପତିଙ୍କୁ ରାହୁଲ ଭେଟିନଥିଲେ । ଏପରିକି ଅତିରିକ୍ତ ଦୁଇ ଦିନ ଦିଲ୍ଲୀରେ ରହି ତାରା ବାହିନୀପତି ରାହୁଲଙ୍କୁ ଭେଟିବାକୁ ଉଦ୍ୟମ କରିଥିଲେ ବି ବିଫଳ ହୋଇଥିଲେ ।

ଖାଲି ତାରା ପ୍ରସାଦ ବାହିନୀପତି ନୁହଁନ୍ତି ବରଂ ବିଧାୟକ ପ୍ରଫଲ୍ଲ ମାଝୀ ଓ ଯୋଗେଶ ସିଂଙ୍କ ଉପରେ ମଧ୍ୟ ଖୁସି ନାହାନ୍ତି ରାହୁଲ । ଏହି ତିନି ନେତାଙ୍କୁ ରାହୁଲ ଦିଲ୍ଲୀରେ ଭେଟିନଥିଲେ । ରାଜ୍ୟ କଂଗ୍ରେସର ୪୦ ତୁଙ୍ଗ ନେତା ଦିଲ୍ଲୀ ଯାଇ ରାହୁଲଙ୍କୁ ଭେଟି ଆଲୋଚନା କରିବା ତାଲିକାରେ ଏମାନଙ୍କ ନାଁ ଥିଲା, ହେଲେ ଶେଷ ମୁହୁର୍ତ୍ତରେ ନାଁକୁ କାଟି ଦିଆଯାଇଥିଲା । ଯାହା ଏହି ବିଧାୟକଙ୍କ ପାଇଁ ବେଶ ଅପମାନଜନକ ଥିଲା । ଏପରିକି ଦିଲ୍ଲୀରେ ରହି ରାହୁଲଙ୍କୁ ଭେଟିବାକୁ ଉଦ୍ୟମ କରିବା ସତ୍ତେ୍ୱ ରାହୁଲ ସମୟ ଦେଇନଥିଲେ ।

ସୂଚନା ଅନୁସାରେ, ତାରାଙ୍କୁ ପୂର୍ବରୁ ଦଳରୁ ସସପେଣ୍ଡ କରିବାକୁ ହାଇକମାଣ୍ଡ ନିଷ୍ପତ୍ତି ନେଇସାରିଥିଲେ । ଯଦି ତାରା ବାହିନୀପତି ସେ ସମୟରେ ଦଳରୁ ସସପେଣ୍ଡ ହୋଇଥାନ୍ତେ, ତେବେ ବିଧାନସଭାରେ ବିରୋଧୀଦଳର ମାନ୍ୟତା ହରାଇଥାନ୍ତା କଂଗ୍ରେସ । କାରଣ ଆବଶ୍ୟକୀୟ ସଂଖ୍ୟା ଆଉ ଦଳ ପାଖରେ ରହିବନି । ଅନୁମାନ କରାଯାଉଛି, ଏଭଳି କିଛି ସଂକେତର ଆଶଙ୍କା କରି ସେହି ସମୟରେ ବିରୋଧୀଦଳ ନେତା ନରସିଂହ ମିଶ୍ର ନାଲିବତୀ ବ୍ୟବହାର କରିବାକୁ ମନା କରିଦେଇଥିଲେ । ସୂଚନା ଅନୁସାରେ, ବିରୋଧୀଦଳ ନେତାଙ୍କ ମାନ୍ୟତା ହରାଇବା ଆଗରୁ ନାଲିବତୀ ଛାଡିବାକୁ ନରସିଂହ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେତେବେଳେ ନରସିଂହ କହିଥିଲେ, ଭିଆଇପି କଲଚରକୁ ସାରିବାକୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଆଗାମୀ ଦିନରେ ଓଡିଶାରେ ହେବାକୁ ଥିବା ସାଂଗଠନିକ ନିର୍ବାଚନ ସମୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଯେଉଁ ଜିଲ୍ଲାରେ ଜିଲ୍ଲା ସଭାପତି ବଦଳାଇବାକୁ ଚାହିଁବେ ସେତେବେଳେ ଏହାକୁ ମାଧ୍ୟମ କରାଯିବ । କୁହାଯାଉଛି, ଏହି ସମୟ ବେଳେ ତାରା ବାହିନୀପତିଙ୍କୁ ଦଳରୁ ସସପେଣ୍ଡ କରାଯିବ । ଆଗାମୀ ୪୫ ଦିନରେ କଂଗ୍ରେସ ରାଜନୀତି ଏଭଳି କିଛି ରୋଚକ ମୋଡ ନେବାକୁ ଯାଉଛି । ଯେଉଁଥିରେ ପିସିସି ସଭାପତି ବଦଳିବେ, ତାରାଙ୍କ ବିରୋଧରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ହେବ, କିଛି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯିବ ଆଉ ଦଳର ସାଂଗଠନିକ ସ୍ଥିତି ମଜଭୁତ କରିବାକୁ ଉଦ୍ୟମ କରାଯିବ । ହେଲେ ବଡ କଥା ହେଉଛି, ଏହାର ପ୍ରଭାବ ଆଗାମୀ ଦିନରେ କଂଗ୍ରେସ ରାଜନୀତି ଉପରେ କଣ ରହିବ ।