ବିଜେପି ଓ ବିଜେଡ଼ିକୁ ଟାର୍ଗେଟ କଲେ ତାରା : କହିଲେ, ଦିଲ୍ଲୀରେ କୋଳାକୋଳି ଓ ଓଡ଼ିଶାରେ ମାଡ଼ଗୋଳ ହେଉଛନ୍ତି ଉଭୟ ଦଳ

25

କନକ ବ୍ୟୁରୋ : ବିଜେପି ଓ ବିଜେଡ଼ିକୁ ଟାର୍ଗେଟ କଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ଉଭୟ ଦଳ ଦିନରେ ମାଡ଼ଗୋଳ ଓ ରାତିରେ କୋଳାକୋଳି ହେଉଛନ୍ତି ବୋଲି କହିଛନ୍ତି ତାରା । ଲୋକ ଦେଖାଣିଆ କେବଳ ଓଡ଼ିଶାରେ ମାଡ଼ପିଟ୍ ହେଉଛନ୍ତି ଉଭୟ ଦଳ । ତେବେ ଏଇଟା ରାଜନୀତି ପାଇଁ କିଛି ନୂଆ କଥା ନୁହେଁ ବୋଲି କହିଛନ୍ତି ତାରା । ଏହାସହ କଂଗ୍ରେସ କେବେ ପଛରେ ପଡ଼ିନି ବୋଲି ମଧ୍ୟ କହିଛନ୍ତି ।

ମୋଦି ଓ ଅମିତ ଶାହଙ୍କ ଓଡ଼ିଶା ଗସ୍ତରେ ହୁଏତ ବିଜୁ ଜନତା ଦଳ ଉପରେ ପ୍ରଭାବ ପଡ଼ିପାରେ । କିନ୍ତୁ କଂଗ୍ରେସ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଏହାସହ ବିଜେଡ଼ିକୁ ଟାର୍ଗେଟ କରି କହିଛନ୍ତି ଦଳ କେନ୍ଦ୍ର ସରକାରଙ୍କ ଯୋଜନାକୁ ମୋ ଯୋଜନା ବୋଲି କହି ବୁଲୁଥିଲେ । ଟଙ୍କାକିଆ ଚାଉଳ , ୧୦୮ ସେବା , ଇନ୍ଦିରା ଆବାସକୁ ଆମ ଯୋଜନା କହି ବୁଲୁଥିଲେ । କିନ୍ତୁ ବିଜେପି ସରକାର ଆସିବା ପରେ କେନ୍ଦ୍ର ସାଧାରଣ ଜନତାଙ୍କୁ କେଉଁ କେଉଁ ଲୋକ କଲ୍ୟାଣ ଯୋଜନା ଗୁଡ଼ିକ ପ୍ରଦାନ କରୁଛି ସେକଥା ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି । ବିଜେଡ଼ି ସରକାର ଯେଉଁ ଯୋଜନା ମୋର କହି ଠକୁଥିଲେ ଏବେ ଲୋକେ ଅସଲ କଥା ବୁଝୁଛନ୍ତି ବୋଲି କହିଛନ୍ତି ତାରା ।

ସେପଟେ ବିଜେପିକୁ ଟାର୍ଗେଟ କରି ତାରା କହିଛନ୍ତ ୫ ବର୍ଷ କ’ଣ ୫୦ ବର୍ଷ ସମୟ ଦେଲେ ମଧ୍ୟ ବିଜେପି ସରକାର କିଛି କରିପାରିବ ନାହିଁ । ସେମାନଙ୍କର ନିଜସ୍ୱ କିଛି ଯୋଜନା ନାହିଁ । କଂଗ୍ରେସ ଅମଳର ଯୋଜନା ଗୁଡ଼ିକର ନାମ ପରିବର୍ତ୍ତନ କରି ନିଜର ଯୋଜନା ବୋଲି କହୁଛନ୍ତି ।

ସେପଟେ ଦାଗୀ ନେତାଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ତାରା । ଯେଉଁମାନେ ଦାଗୀ ନେତା ଓ ଦାଗୀ ମାନଙ୍କ ସହ ବୁଲୁଛନ୍ତି, ଚୋରି , ଡକାୟତି, ହତ୍ୟା, ଆଦି କାର୍ଯ୍ୟରେ ସାମିଲ ଅଛନ୍ତି ସେମାନଙ୍କୁ ଦଳୀୟ ଟିକେଟ ଦେବା ଉଚିତ ନୁହେଁ ।