କନଫ୍ୟୁଜ୍ କରୁଛି କଂଗ୍ରେସର ବିଜେପୁର ବୟାନ ? ହାର-ଜିତ ନେଇ ତାରା-ସୁରଙ୍କ କଥାରେ ରହୁନି ତାଳମେଳ !

313

କନକ ବ୍ୟୁରୋ: ସୁର ଯେଉଁଆଡେ ତାରା ସେଇଆଡେ । ସୁରଙ୍କ ଭଳି କଥା କହି ଭୁଲେଇ ଦେଲେ ତାରା । ବିଜେପୁର ନେଇ କାଲି ଦେଇଥିବା ବୟାନକୁ ଆଜି ବୁଲେଇଦେଲେ ବିଧାୟକ ତାରା ବାହିନୀପତି । କାଲି ବିଜେପୁରରେ ମତଦାନ ଚାଲିଥିବା ବେଳେ କଂଗ୍ରେସର ପରାଜୟ ନେଇ ସଂକେତ ଦେଇଥିଲେ ତାରା । ଆଉ କହିଥିଲେ ବିଜେପୁରରେ ଆମର ସ୍ଥିତି ଭଲନାହିଁ । ବିଜେପି, ବିଜେଡି ଟଙ୍କା ମନଇଚ୍ଛା ଉଡାଇଛନ୍ତି । ଆମେ ୨୦ ଲକ୍ଷ ଟଙ୍କାରେ ନିର୍ବାଚନ ଲଢିଛୁ । ତେଣୁ ବିଜେପୁରରେ ସ୍ଥିତି କଣ ହେବ ତାହା ଭଗବାନଙ୍କୁ ଜଣା ବୋଲି ତାରା ମନ୍ତବ୍ୟ ଦେଇଥିଲେ ।

ମାତ୍ର ଆଜି ନିଜ କଥାରେ ଟିକେ ରଙ୍ଗମାରି ମିଡିଆ ଆଗରେ କହିଛନ୍ତି ତାରା । ବିଜେପୁରରେ ଆମେ ହାରିବୁନି ବରଂ ନିଶ୍ଚୟ ଜିତିବୁ ବୋଲି ଛାତି ବାଡେଇ କହିଛନ୍ତି ବାହିନୀପତି । ବିଜେପି ବିଜେଡି ମୁଣ୍ଡ ପିଛା ହଜାରେ ଟଙ୍କା ଲେଖାଏଁ ଦେଇଥିଲେ ବି ଲୋକେ କଂଗ୍ରେସକୁ ସ୍ୱତସ୍ପୃତ ଭାବେ ଭୋଟ ଦେଇଛନ୍ତି । ସେମାନଙ୍କ ଅପେକ୍ଷା ଆମ ପାଖକୁ ଅଧିକ ଭୋଟ ଆସିବ ଆଉ ଆମେ ଜିିତିବୁ ବୋଲି ତାରା ଦମ୍ଭ ଦେଖାଇଛନ୍ତି ।


ସେପଟେ ସୁର ମଧ୍ୟ ପରାଜୟ କଥାକୁ ନିଜ ପାଟି ଭିତରକୁ ନେଇ ଯାଇଛନ୍ତି । ନିର୍ବାଚନ ପୂର୍ବରୁ ବିଜେପୁରରେ କଂଗ୍ରେସର ସ୍ଥିତି ନେଇ ଯେଉଁ କଥା କହିଥିଲେ ତାହାକୁ କାଲି ବାଆଁରେଇ ଦେଇଥିଲେ । ‘ବିବେକ’ ଭୋଟ କଥା କହି କଂଗ୍ରେସ ଉପରେ ଲୋକଙ୍କ ସମର୍ଥନ କଥା ଉଠାଇଥିଲେ । ତେବେ ଶାସକ ଦଳର ଟଙ୍କା, ପୋଷ୍ଟର ଦେଖି ଡରି ଯାଇଥିଲି ତେଣୁ ଭାବୁଥିଲି ସେମାନେ ଜିତିଯିବେ । ମାତ୍ର ଲୋକେ ଆମକୁ ଭୋଟ ଦେଇଛନ୍ତି ଆଉ ଆମେ ନିଶ୍ଚୟ ଜିତିବୁ ବୋଲି ସୁର ସିଧା ସିଧା କହିଥିଲେ ।

ତେବେ ବିଜେପୁର ନେଇ କଂଗ୍ରେସର ଦୁଇ ହେଭିୱେଟଙ୍କ ଦୁଇ ଦୁଇଟି କଥା କେତେ ସତ ହେଉଛି । ଆଉ ବିଜେପୁରବାସୀ କଂଗ୍ରେସକୁ କେତେ ଭରସା କରିଛନ୍ତି ତାହା ଆସନ୍ତା ଗୁରୁବାର ଦିନ ହିଁ ଜଣାପଡିବ ।