ଚା’ରେ ମିଳିବ ତନ୍ଦୁରୀର ସ୍ୱାଦ । ରାଜଧାନୀବାସୀଙ୍କ ପାଇଁ ଆସିଲା ତନ୍ଦୁରୀ ଚା’

42

କନକ ବ୍ୟୁରୋ : ଚାହାରେ ମିଳିବ ଚିକେନର ସ୍ୱାଦ । ପୁଣେ ପରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଖୋଲିଛି ତନ୍ଦୁରୀ ଚା’ର ଆଉଟଲେଟ୍ । ତନ୍ଦୁରୀ ରୁଟି, ତନ୍ଦୁରୀ ଚିକେନର ମଜା ନେବା ପରେ ଏବେ ଆପଣଙ୍କୁ ସ୍ମାର୍ଟ ସିଟିରେ ମିଳିଯିବ ତନ୍ଦୁରୀ ଚା’ର ମଜା । ନିଆଁରେ ତାତିଥିବା ମଟକା ବା ମାଟିର କଳସୀରେ ଚା’ ଢ଼ାଳିବା ପରେ ଏହାକୁ ପିତ୍ତଳ ପାତ୍ରରେ ଢ଼ାଳିବା ଭିତରେ ଚା’ର ଟେଷ୍ଟ ଅନେକାଂଶରେ ବଦଳିଯାଇଥାଏ ।

କିପରି ହୋଇଥାଏ ତନ୍ଦୁରୀ ଚାହା :
ଏହି ଚାରେ ତନ୍ଦୁରୀ ଚିକେନ, ତନ୍ଦୁରୀ ନାନ, ତନ୍ଦୁରୀ ପନିର ଟିକ୍କା ଭଳି ସ୍ୱାଦ ଏଥିରେ ସାମିଲ କରାଯାଇଥାଏ । ତେବେ ତନ୍ଦୁରୀର ଫ୍ଲେବର ଆଣିବା ପାଇଁ ପ୍ରଥମେ ମାଟିର ଚା କପକୁ ତନ୍ଦୁରର ନିଆଁରେ ପକାଯାଇଥାଏ । ଏହି ମାଟି କପଟି ପୁରା ଗରମ ହୋଇଯିବା ପରେ ତିଆରି ହୋଇଥିବା ଚା ସେଥିରେ ଢ଼ଳାଯାଇଥାଏ । ଚା ଢ଼ାଳିବାର ମଧ୍ୟ କିଛି ଅଲଗା ଶୈଳୀ ରହିଛି । ଚା ଢ଼ାଳିବା ମାତ୍ରେ ହିଁ ସେଥିରୁ ପାଣି ଫୋଟକା ବାହାରିଥାଏ । ଆଉ ଏହାସହ ପ୍ରସ୍ତୁତ ହୋଇଥାଏ ତନ୍ଦୁରୀ ଚା । ବାସ୍ ଏହାପରେ ଏହି ଗରମା ଗରମ ତନ୍ଦୁରୀ ଚାହା ଗ୍ରାହକଙ୍କୁ ପରଷା ଯାଇଥାଏ ।

ପୁଣେରେ ପ୍ରଥମେ ଭିନ୍ନ ସ୍ୱାଦର ତନ୍ଦୁର ଚାହା ଦେଖିବା ପରେ ଏହାକୁ ରାଜଧାନୀରେ ଆରମ୍ଭ କରିବାକୁ ନିଷ୍ପତି ନେଇଥିଲେ ହୋଟେଲ ମ୍ୟାନେଜମେଣ୍ଟର ଛାତ୍ର ଦେବାଶିଷ ନାୟକ । ବିଭିନ୍ନ ଷ୍ଟାର ହୋଟେଲରେ କାମ କରିଥିବା ଦେବାଶିଷ ରାଜଧାନୀବାସୀଙ୍କୁ ଏହି ଚାହାର ସ୍ୱାଦ ଚଖାଇବା ପାଇଁ ଆରମ୍ଭ କରିଛନ୍ତି ତନ୍ଦୁରୀ ଚାହା । ଆଉ ଏହି ଚାହାର ସ୍ୱାଦ ସ୍ମାର୍ଟସିଟିବାସୀଙ୍କୁ ମଧ୍ୟ ବେଶ ପସନ୍ଦ ଆସିଛି । ଭୁବନେଶ୍ୱରରେ ନୂଆ ଅନ୍ଦାଜରେ ଚା’ ବନାଉଥିବା ଦେବାଶିଷ ଆଗକୁ ଆଉ କିଛି ନୂଆ କରିବାକୁ ଲକ୍ଷ୍ୟ ରଖିଛନ୍ତି ।