ତାମିଲନାଡୁରେ ରାଜନୈତିକ ସଂକଟ ଜାରି ! ସରକାର ଗଢିବାକୁ ଦାବି ଜଣାଇଲେ ଶଶିକଳା ଓ ପନିରସେଲଭମ୍

21

କନକ ବ୍ୟୁରୋ : ତାମିଲନାଡୁରେ ରାଜନୈତିକ ସଂକଟ ଜାରି । ରାଜ୍ୟପାଳ ବିଦ୍ୟାସାଗର ରାଓଙ୍କୁ ସାକ୍ଷାତ କରି ସରକାର ଗଢିବାକୁ ଦାବି କରିଛନ୍ତି ଶଶିକଳା । ତାଙ୍କୁ ଏଆଇଏଡିଏମକେର ନେତା ଭାବେ ସମର୍ଥନ କରିଥିବା ବିଧାୟକଙ୍କ ତାଲିକା ରାଜ୍ୟପାଳଙ୍କୁ ଦେଇଛନ୍ତି ଶଶିକଳା । ତେବେ ରାଜ୍ୟପାଳ କଣ ନିଷ୍ପତି ନେବେ ତାକୁ ହିଁ ଅପେକ୍ଷା ରହିଛି ।

ରାଜ୍ୟପାଳ ବିଦ୍ୟାସାଗର ରାଓ ଗତକାଲି ଚେନ୍ନାଇରେ ପହଂଚିବା ପରେ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଉଭୟ ଶଶିକଳା ଓ ପନିରସେଲଭମ ତାଙ୍କୁ ସାକ୍ଷାତ କରିଛନ୍ତି । ପ୍ରଥମେ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ପନିରସେଲଭମ କିଛି ରାଜ୍ୟସଭା ସାଂସଦ ଓ ବିଧାୟକଙ୍କ ସହ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ । ପରେ ଶଶିକଳା ମଧ୍ୟ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ।

ରାଜ୍ୟପାଳଙ୍କୁ ଭେଟିବାକୁ ଯିବା ପୂର୍ବରୁ ଶଶିକଳା ଜୟଳଳିତାଙ୍କ ସମାଧିସ୍ଥଳକୁ ଯାଇଥିଲେ । ସେଠାରେ ଜୟାଙ୍କ ସମାଧିରେ ଶ୍ରଦ୍ଧାଂଜଳି ଦେଇଥିଲେ । ଏହାପରେ ଶଶିକଳା ରାଜଭବନରେ ପହଂଚିଥିଲେ । ନିଜ ପ୍ରତି ଥିବା ସମର୍ଥନ ଜଣାଇ ସରକାର ଗଠନ କରିବାକୁ ସେ ଦାବି କରିଥିଲେ ।

ରାଜ୍ୟପାଳଙ୍କ ପାଖରେ ତିନିଟି ବିକଳ୍ପ ରହିଛି । ପ୍ରଥମଟି ପନିରସେଲଭମଙ୍କୁ ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିବାକୁ ଦାୟିତ୍ୱ ଦେବା ନଚେତ ତାଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ପ୍ରସ୍ତାବ ଦେବା । ଦ୍ୱିତୀୟଟି ହେଉଛି ଶଶିକଳାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ କରାଇ ବହୁମତ ସାବ୍ୟସ୍ତ କରିବାକୁ ପ୍ରସ୍ତାବ ଦେବା । ସେହିପରି ତୃତୀୟଟି ହେଉଛି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ।