ଚେନ୍ନାଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଡିଏମକେ ମୁଖ୍ୟ କରୁଣାନିଧି ! ମେଡିକାଲ ଆଗରେ କାନ୍ଦିଲେ ସମର୍ଥକ, ଆରୋଗ୍ୟ କାମନା କରି ପ୍ରଶଂସକଙ୍କ ପ୍ରାର୍ଥନା ।

41

କନକ ବ୍ୟୁରୋ : ସୁଧୁରୁଛି ଡିଏମକେ ମୁଖ୍ୟ କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥା  । ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନର ଅନୁଯାୟୀ କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି । ଚେନ୍ନାଇର କାବେରୀ ହସ୍ପିଟାଲରେ ତାଙ୍କର ଚିକିିତ୍ସା ଚାଲିଛି । କରୁଣାନିଧିଙ୍କ ସହ ତାଙ୍କ ପରିବାରର ସଦସ୍ୟ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ହସ୍ପିଟାଲ ଆଗରେ ଡିଏମ୍କେ ସମର୍ଥକଙ୍କ ଭିଡ ବଢ଼ିଯାଇଥିଲା ।

ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଘଟଣା ସ୍ଥଳରେ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ସ୍ଥିତି ଏଭଳି ହୋଇଥିଲା ଯେ, ପୁଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡିଥିଲା । ବିଭିନ୍ନ ରାଜନେଅତିକ ଦଳର ନେତାମାନେ ମେଡିକାଲରେ ପହଁଚିଛନ୍ତି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ମେଡିକାଲରେ ପହଁଚି କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଛନ୍ତି ।

ବୟସାଧିକ୍ୟ କାରଣରୁ କରୁଣାନିଧିଙ୍କୁ ଗତ ବର୍ଷେ ହେବ କୌଣସି ସାଧାରଣ ସଭାରେ ଦେଖିବାକୁ ମିଳିନାହିଁ। କେବଳ ନିଜ ବାସଭବନରେ ଥାଇ ସେ ସମର୍ଥକମାନଙ୍କୁ ହାତ ହଲାଇ କିଛି ଶବ୍ଦ କହୁଥିଲେ। ରବିବାର ସକାଳେ ତୃଣମୂଳ କଂଗ୍ରେସ ନେତା ଡେରେକ୍ ଓ’ ବ୍ରେନ୍ କରୁଣାନିଧିଙ୍କ ପୁଅ ଏମ୍ କେ ଷ୍ଟାଲିନ୍ ଓ ଝିଅ ତଥା ସାଂସଦ କାନିମୋଝିଙ୍କୁ ଭେଟି ଡିଏମକେ ମୁଖ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିଲେ। ତେବେ ଗୁରୁବାର ସନ୍ଧ୍ୟାଠାରୁ ସବୁ ଦଳର ନେତାମାନେ ତାଙ୍କ ବାସଭବନଠାରୁ ଆରମ୍ଭ କରି ମେଡିକାଲରେ ପର୍ୟ୍ୟନ୍ତ ଯାଉଥିବା ଦେଖିବାକୁ ମିଳିଛି। ତାମିଲନାଡୁ ଶାସକ ଦଳ ନେତା ଓ ପନିରସେଲ୍ଭମ୍ ଏବଂ ଡି ଜୟକୁମାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜି କେ ଭାସନ୍ ଏବଂ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ ସହ ଓଡିଶା କେନ୍ଦ୍ରାପଡାର ପୂର୍ବଚନ ସାସଂଦ ବୈଜୟନ୍ତ ପଣ୍ଡା ମଧ୍ୟ କରୁଣାନିଧିଙ୍କୁ ଦେଖିବାକୁ ଯାଇଥିବା ଜଣାପଡ଼ିଛି।ତେବେ ସେଠାରେ ନେତାମାନେ ପ୍ରବଳ ଭିଡ ଲଗାଇଥିବାରୁ ଅନେକ ସାଧାରଣ ଲୋକ ମେଡିକାଲ ମଧ୍ୟକୁ ପ୍ରବେଶ କରିବାରେ ଅସୁବିଧା ହେଉଛି । ତେଣୁ ଅନେକ ଲୋକ ଫେରିଯାଉଛନ୍ତି । ତେବେ ପୋଲିସ ମଧ୍ୟ ଭିଡ ନିୟନ୍ତ୍ରଣ କରିବାରେ ଅସଫଳ ହେଉଥିବା ଦେଖାଯାଉଛି । ତେଣୁ ଆଜି ଅଧିକ ପୋଲିସ ମେଡିକାଲରେ ମୁତୟନ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।