ଭାରତ ପାଇଁ ଗର୍ବ ଆଣିବେ ୧୨ ବର୍ଷିୟ ଶକ୍ତି ! ଅର୍ନ୍ତଜାତୀୟ ଶିଶୁ ଶାନ୍ତି ପୁରସ୍କାର ପାଇଁ ହେଲେ ମନୋନୀତ

36

ଦୃଢ ଇଚ୍ଛାଶକ୍ତି ହିଁ ସଫଳତାର ଚାବିକାଠି । ଆଉ ଏହାର ନିଚ୍ଛକ ଉଦାହରଣ ହେଉଛନ୍ତି ତାମିଲନାଡୁର ୧୨ ବର୍ଷିୟ ଶକ୍ତି । ବୟସରେ ସିନା ସାନ କିନ୍ତୁ ତାଙ୍କ ପାଇଁ ଅନ୍ୟ ୨୫ କୁନି ପିଲାଙ୍କ ମୁହଁରେ ହସ ଫୁଟି ପାରିଛି । ନିଜ ଅଞ୍ଚଳର ପ୍ରାୟ ୨୫ ପରିବାରର ପିଲାଙ୍କ ସ୍କୁଲ ଯିବା ପଛରେ ଶକ୍ତିଙ୍କ ଅବଦାନ ଅତୁଳନୀୟ । ଯେଉଁ ଅଞ୍ଚଳରେ ଶିକ୍ଷାର ମାନେ କେହି ବୁଝି ନଥାନ୍ତି ସେହି ଅଞ୍ଚଳରୁ ୨୫ ପରିବାରର ପିଲାଙ୍କୁ ପାଠ ପଢିବା ବାଟ କଢାଇ ନେଇଥିଲେ ଶକ୍ତି । ଆଉ ଏହାର ପୁରସ୍କାର ସେ ଖୁବଶୀଘ୍ର ହାତେଇବାକୁ ଯାଉଛନ୍ତି । ଅତି ଛୋଟ ବୟସରୁ ସେ ଭାରତକୁ ଗର୍ବିତ କରିବାକୁ ଯାଉଛନ୍ତି । ଅର୍ନ୍ତଜାତୀୟ ଶିଶୁ ଶାନ୍ତି ପୁରସ୍କାର ପାଇଁ ସେ ଚଳିତବର୍ଷ ମନୋନୀତ ହୋଇଛନ୍ତି । ତେବେ ଶକ୍ତିଙ୍କ ସଂର୍ଘଷମୟ କାହାଣୀ ଶୁଣିଲେ ଆପଣ ହତବାକ ହୋଇଯିବେ ।

shaktiତାମିଲନାଡୁର ତିରୁଭାନାମଲାଇ ଅଞ୍ଚଳର ୧୨ ବର୍ଷିୟ ଶକ୍ତି । ଗୋଟିଏ ସମୟରେ ସ୍କୁଲରୁ ତାଙ୍କୁ ବହିଷ୍କାର କରାଯାଇଥିଲା । କିନ୍ତୁ ଆଜି ସେ ଆର୍ନ୍ତଜାତୀୟ ନୋବେଲ ଶିଶୁ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଶିଶୁ ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସେ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସ୍କୁଲ ସମୟରୁ ହିଁ ସେ ସଂର୍ଘଷ ସହ ଲଢି ଆସିଛନ୍ତି । ଛୋଟ ଜାତିର ହୋଇଥିବାରୁ ତାଙ୍କ ପ୍ରତି ସ୍କୁଲର ଶିକ୍ଷକ ଓ ସହପାଠୀ ମାନେ ଭେଦଭାବ କରୁଥିଲେ । ତେଣୁ ସେ ସ୍କୁଲ ଛାଡି ଦେଇଥିଲେ ଏବଂ ଆଉ ନ ପଢିବାକୁ ନିଷ୍ପତି ନେଇଥିଲେ । ଏହି ଘଟଣା ପରେ ସେ ମୋତି ମାଳି ବିକ୍ରି କରିବା ଆରମ୍ଭ କରିଥିଲେ ।

ତେବେ ସମସ୍ତଙ୍କ ଜୀବନରେ ସବୁବେଳେ ଅନ୍ଧାର ରୁହେନି । ଶକ୍ତି ଭଳି ଅଧାରୁ ପାଠ ଛାଡି ଥିବା ପିଲାଙ୍କ ଉପରେ ହ୍ୟାଣ୍ଡ-ଟୁ-ହ୍ୟାଣ୍ଡ ଏନଜିଓ ସଂସ୍ଥାର ନଜର ପଡିଥିଲା । ଏହି ସଂସ୍ଥା ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ପୁଣିଥରେ ଏମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଲା । ଏଥିପାଇଁ ପ୍ରଥମେ ପରିବାର ଲୋକଙ୍କ ଅନୁମତି ଆଣିବାକୁ ପଡୁଥିଲା । ତେବେ ଅଧାରୁ ପାଠ ଛାଡିଥିବା ଶକ୍ତିଙ୍କ ପରିବାର ଏନଜିଓ ସଂସ୍ଥା କଥାରେ ରାଜି ହୋଇଯାଇଥିଲେ । ଶକ୍ତିଙ୍କ ଭବିଷ୍ୟତ ଏନଜିଓ ସଂସ୍ଥା ଉପରେ ଛାଡି ଦେଇଥିଲେ ପରିବାର ଲୋକ ।

ଏଇଠୁ ହିଁ ଆରମ୍ଭ ହୋଇଥିଲା ଶକ୍ତିଙ୍କର ନୂଆ ଜୀବନ । ଏନଜିଓ ସଂସ୍ଥାର ଟ୍ରେନିଂ ସେଣ୍ଟରରେ ରହି ପୁଣିଥରେ ପାଠ ପଢା ଆରମ୍ଭ କରିଥିଲେ ଶକ୍ତି । କିଛିଦିନ ଟ୍ରେନିଂ ସେଣ୍ଟରରେ ପାଠ ପଢିବା ପରେ ଏନଜିଓ ସଂସ୍ଥାର ଅଫିସ ପୁଙ୍ଗାଭନମକୁ ସ୍ଥାନାନ୍ତର ହୋଇଥିଲା । ଏଠାରେ ସେ ପାଠ ପଢିବା ସହ ତାଙ୍କ ରୂପ ଓ ଭେକରେ ପରିବର୍ତ୍ତନ ଆସିଥିଲା ।

ଶକ୍ତିଙ୍କ ଉଦ୍ୟମ ଯୋଗୁଁ ଏବେ ୨୫ ପରିବାରର ପିଲା ପାଠ ପଢି ପାରିଛନ୍ତି । ତାଙ୍କର ଦୃଢ ଇଚ୍ଛାଶକ୍ତି ଯୋଗୁଁ ଅନ୍ୟ ଶିଶୁଙ୍କ ମନରେ ହସ ଫୁଟୁଛି । ତେଣୁ ତାଙ୍କୁ ଆର୍ନ୍ତଜାତୀୟ ଶିଶୁ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଛି । ସବୁଠାରୁ ବଡ କଥା ହେଲା ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ୧୬୯ ଜଣଙ୍କ ମଧ୍ୟରୁ ଶକ୍ତି ସବୁଠାରୁ ଛୋଟ । ଏହାପୂର୍ବରୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓମ ପ୍ରକାଶ ଗୁରଜାର ଓ ମଲାଲାଙ୍କୁ ନୋବେଲ ଶିଶୁ ଶାନ୍ତି ପୁରସ୍କାର ମିଳିଛି ।