ସିଂହାସନ ଦଖଲ ପାଇଁ ପୁଣି ଶଶିକଳାଙ୍କ ଶକ୍ତି ପ୍ରଦର୍ଶନ ! ସମର୍ଥିତ ବିଧାୟକଙ୍କୁ ହତ୍ୟା ଧମକ ଅଭିଯୋଗ

32

କନକ ବ୍ୟୁରୋ: ଛିଣ୍ଡୁନି ଅଙ୍କ, ଜଟିଳ ହେଉଛି ରାଜନୈତିକ ସ୍ଥିତି । ତାମିଲନାଡୁର କ୍ଷମତା ଯୁଦ୍ଧରେ ଘଡିକେ ଘୋଡା ଛୁଟୁଛି । ରାଜନୈତିକ ଅସ୍ଥିରତା ଭିତରେ ତାମିଲନାଡୁରେ ଚାଲିଛି କ୍ଷମତା ଯୁଦ୍ଧର ଲଢ଼େଇ । ଆଉ ଏହି ଲଢ଼େଇରେ ପନୀର ସେଲଭମଙ୍କୁ ମାତ୍ ଦେବା ପାଇଁ ଚିନ୍ନାମା ପ୍ରସ୍ତୁତ କରିଛନ୍ତି ରଣନୀତି । ଗୋଲଡେନ୍ ବେ ରିସର୍ଟକୁ ଯାଇ ଦଳୀୟ ବିଧାୟକଙ୍କ ଆଲୋଚନା କରିଛନ୍ତି ଶଶିକଳା । ଆଉ ଏହାରି ଭିତରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବା ପାଇଁ ପ୍ରସ୍ତୁତ ଥିବା ଦାବି କରିଛନ୍ତି ଚିନ୍ନାମା । ଶଶିକଳାଙ୍କ ବ୍ୟତୀତି ମୁଖ୍ୟମନ୍ତ୍ରୀଙ୍କ ଗାଦିରେ ଆଉ କେହି ବସି ପାରିବେ ନାହିଁ, ଅଯଥାରେ ପନୀର ସେଲଭମ୍ ବିବାଦ ସୃଷ୍ଟି କରୁଥିବା ଚିନ୍ନାମାଙ୍କ ସମର୍ଥକ ଦାବି କରିଛନ୍ତି ।

ଅନ୍ୟପଟେ ଜୟଲଳିତାଙ୍କ ଅତ୍ୟନ୍ତ ଘନିଷ୍ଠ ଭାବେ ଜଣାଶୁଣା ପନୀର ସେଲଭମଙ୍କ ଗୋଷ୍ଠୀ ଧିରେ ଧିରେ ମଜବୁତ ହେବାରେ ଲାଗିଛି । ୨ଜଣ ଏଆଇଡିଏମକେ ସାଂସଦ ସେଲଭମଙ୍କୁ ସମର୍ଥନ ଦେବା ନେଇ ଘୋଷଣା କରିଛନ୍ତି । ପୂର୍ବରୁ ରାଜ୍ୟସଭା ସାଂସଦ ମୈତ୍ରେୟନ ପନୀରଙ୍କ କ୍ୟାମ୍ପରେ ସାମିଲ ହୋଇଥିବା ବେଳେ ଦଳୀୟ ମୁଖପାତ୍ର ବୈଗୈଚେଲ୍ୱନ୍ ପନୀର ସେଲଭମଙ୍କୁ ସମର୍ଥନ ଦେଇଛନ୍ତି ।

ତେବେ ତାମିଲନାଡୁର ଏହି ରାଜନୈତିକ ପରିସ୍ଥିତିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବ ନାହିଁ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ା । ରାଷ୍ଟ୍ରପତି ଏବଂ ତାମିଲନାଡୁ ରାଜ୍ୟପାଳଙ୍କ ଉପରେ ହିଁ ପୁରା ମାମଲା ନିର୍ଭର କରୁଥିବା ସେ କହିଛନ୍ତି ।