ତାମିଲନାଡୁର ‘ତୃତୀୟ ପୁରୁଷ’! ଶଶିକଳାଙ୍କ ଅନୁଗତ ପଲାନିସାମୀ ହେଲେ ମୁଖ୍ୟମନ୍ତ୍ରୀ

32

କନକ ବ୍ୟୁରୋ : ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପଲାନିସାମୀ । ଗୁରୁବାର ସେ ରାଜ୍ୟପାଳଙ୍କୁ ଭେଟି ୧୨୪ ସମର୍ଥକ ବିଧାୟକଙ୍କ ତାଲିକା ଦେବା ପରେ ସରକାର ଗଠନ ପାଇଁ ତାଙ୍କୁ ନିମନ୍ତ୍ରଣ କରିଥିଲେ ରାଜ୍ୟପାଳ । ଫଳରେ ଦେଢ ସପ୍ତାହ ଧରି ସରକାର ଗଠନକୁ ନେଇ ଉପୁଜିଥିବା ବିବାଦର ଅବସାନ ହୋଇଛି ।

ତାମିଲନାଡୁ ରାଜନୀତିରେ ବଡ ଧରଣର ଓଲଟପାଲଟ ହେବ, ଆଦୌ ଚର୍ଚ୍ଚାରେ ନଥିବା ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ, ଏକଥା ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ କଥା ଛାଡନ୍ତୁ, ରାଜନୀତି ବିଶ୍ଲେଷକମାନେ ମଧ୍ୟ କଳ୍ପନା କରିନଥିଲେ । ଘମାଘୋଟ ରାଜନୈତିକ ଘଟଣା ପ୍ରବାହ ଭିତରେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଇ. ପଲାନିସାମୀ । ଆସନ୍ତା ୧୫ ଦିନ ଭିତରେ ତାଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ପଡିବ ।

ତାମିଲନାଡୁର ଏହି ନୂଆ ମୁଖ୍ୟମନ୍ତ୍ରୀ ଏଆଇଏଡିଏମକେରୁ ହିଁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୪ ଥର ବିଧାୟକ ଭାବେ ଓ ଥରେ ସାଂସଦ ବନିଥିବା ଏହି ଲୋ ପ୍ରୋଫାଇଲ ନେତା ଜୟଲଳିତାଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଳାଇଥିଲେ । ଜୟାଙ୍କ ମୃତ୍ୟୁ ପରେ ଓ ପନିରସେଲଭମଙ୍କ ମନ୍ତ୍ରିମଣ୍ଡଳରେ ମଧ୍ୟ ମନ୍ତ୍ରୀଥିଲେ ପଲାନିସାମୀ । ଏଆଇଏଡିଏମକେର ଭୋଟ ବ୍ୟାଙ୍କ ଭାବେ ପରିଚତ ଗୌଣ୍ଡର ସଂପ୍ରଦାୟର ଏହି ନେତାଙ୍କୁ ବିଧାୟକ ଦଳ ନେତା ବାଛିବା ପଛରେ, ଶଶୀକଳାଙ୍କ ଆଖି ପରବର୍ତି ନିର୍ବାଚନ ଉପରେ ଥିବା କୁହାଯାଉଛି ।

ରାଜନୈତିକ ପଶାପାଲିର ଚିତ୍ର କେମିତି ବଦଳିଗଲା । ଗୋଟି ଚାଳନାରେ ସିଦ୍ଧହସ୍ତ ରାଜନେତା କିପରି ଚିତ୍ ମାରିଲେ । ପ୍ରାୟ ୧୦ ଦିନ ଧରି ଚାଲିଥିବା ପାୱାର ପଲିଟିକ୍ସ ଡ୍ରାମା କିପରି ମାତ୍ର ୨ଦିନ ଭିତରେ ନିରବି ଗଲା । ନେତୃତ୍ୱ ପରିବର୍ତନ ଭଳି ବଡ ନିଷ୍ପତିକୁ କିପରି ଏଆଇଏଡିଏମକେ ବିନା ଦ୍ୱିଧାରେ ସ୍ୱୀକାର କଲା । ଏସବୁର ଉତର କେବଳ ଗୋଟିଏ ଶବ୍ଦରେ ଉତର ଦିଆଯାଇପାରେ, ଆଉ ତାହା ହେଉଛି ଶଶିକଳା ।

ସିଂହାସନରେ ବସିବାକୁ ସଜବାଜ ହୋଇଥିବା ଶଶିକଳା ଆଜି ଜେଲର ଚାରିକାନ୍ଥ ଭିତରେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଶଶିକଳାଙ୍କ ବିରୋଧରେ ବିଦ୍ରୋହ କରିଥିବା ଓ-ପନିରସେଲଭମ ମଧ୍ୟ ନିରାଶ ହୋଇଛନ୍ତି ।