ଆମ୍ମାଙ୍କ ମୃତ୍ୟୁର ଫିଟିବ ଗୁମର ! ଯାଞ୍ଚ ପାଇଁ କମିସନ ଗଠନ କଲେ ତାମିଲନାଡୁ ସରକାର

0

କନକ ବ୍ୟୁରୋ : ଫିଟିବ କି ଜୟଲଳିତାଙ୍କ ମୃତ୍ୟୁର ଗୁମର ? ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଆମ୍ମାଙ୍କ ମୃତ୍ୟୁର ଯାଞ୍ଚ ପାଇଁ ଆଜି ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାର ଯାଞ୍ଚ ପାଇଁ ମାଡ଼୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ କମିସନ ଗଠନ କରିବାକୁ ଘୋଷଣା କରିଛନ୍ତି ପଲାନିସ୍ୱାମୀ । ତା ସହିତ ସେ କହିଛନ୍ତି ‘ଜୟଲଳିତାଙ୍କ ମୃତ୍ୟୁ ପାଇଁ ଯଦି କେହି ଷଡ଼ଯନ୍ତ୍ର କରିଥିବାର ପ୍ରମାଣ ମିଳେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’ । ତା ସହିତ ଜୟଲଳିତାଙ୍କ ବାସଭବନ ପୋସ ଗାର୍ଡ଼େନକୁ ଏକ ସ୍ମାରକୀ ଭାବେ ଭାବେ ବିକଶିତ କରିବାକୁ ଘୋଷଣା କରିଛନ୍ତି ପଲାନିସ୍ୱାମୀ ।

ଗତ ଡିସେମ୍ବର ୫ରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜୟଲଳିତାଙ୍କ ମୃତ୍ୟୁ ହୋଇଥିଲା । ଆମ୍ମା ସିନା ଚାଲି ଯାଇଥିଲେ ପରପାରିକୁ କିନ୍ତୁ ତାଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ସେତେବେଳେ ବିଭିନ୍ନ ଗଣମାଧ୍ୟମ ଆମ୍ମାଙ୍କ ମୃତ୍ୟୁକୁ ସନ୍ଦେହ ଚକ୍ଷୁରେ ଦେଖିଥିଲେ । କାରଣ ଆମ୍ମା ଯେଉଁଠି ଚିକିତ୍ସିତ ହେଉଥିଲେ ସେଠାକୁ କୌଣସି ବି ବ୍ୟକ୍ତିଙ୍କୁ ଛଡାଯାଉନଥିଲା । ଏପରିକି ଚିକିତ୍ସାର ଆଳ ଦେଖାଇ ଏଆଇଏଡିଏମକେର କୌଣସି ନେତାଙ୍କୁ ମଧ୍ୟ ଆମ୍ମାଙ୍କ ସହ ଦେଖା କରିବାକୁ ସୁଯୋଗ ଦିଆ ଯାଉନଥିଲା । ତେଣୁ ପର ମୁହୂର୍ତ୍ତରେ ଆମ୍ମାଙ୍କ ମୃତ୍ୟୁକୁ ନେଇ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟିି ହୋଇଥିଲା । ସତରେ କଣ ଖରାପ ସ୍ୱାସ୍ଥ୍ୟବସ୍ଥା ପାଇଁ ଆମ୍ମାଙ୍କ ମୃତ୍ୟୁ ହୋଇଛି ନା ଏହା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ଲୁଚି ରହିଛି ତାକୁ ନେଇ ଏବେ ମଧ୍ୟ ସସପେନ୍ସ ଲାଗି ରହିଛି ।

ଆମ୍ମାଙ୍କ ମୃତ୍ୟୁ ପରେ ତାମିଲନାଡୁରେ ଆରମ୍ଭ ହୋଇଥିଲା ରାଜନୈତିକ ଝଡ । ଜୟଲଳିତା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ପନିରସେଲଭମ୍ । କିନ୍ତୁ ଆମ୍ମାଙ୍କ ମୃତ୍ୟୁ ପରେ ଚିନାମ୍ମା ତଥା ତାଙ୍କ ବାନ୍ଧବୀ ଶଶିକଳା ପନିରସେଲଭମଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ପଲାନିସ୍ୱାମୀଙ୍କ ହାତରେ ତାମିଲନାଡ଼ୁର ଶାସନଭାର ସମର୍ପି ଦେଇଥିଲେ । ସେତେବେଳେ ପନିରସେଲଭମ ଏହାକୁ ଖୋଲାଖୋଲି ବିରୋଧ କରିବା ସହ ଆମ୍ମାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ । ତେଣୁ ଆମ୍ମାଙ୍କ ମୃତ୍ୟୁର ଯାଞ୍ଚ ପାଇଁ ସେ ଦାବି କରିଥିଲେ । ସେତେବେଳେ ପନିରସେଲଭମଙ୍କୁ ଦାବିକୁ ପ୍ରବଳ ଜନସମର୍ଥନ ମିଳିଥିଲା ।

କିନ୍ତୁ ଏବେ ତାମିଲନାଡ଼ୁ ରାଜନୀତିରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଦୁର୍ନୀତି ମାମଲାରେ ଜୟଲଳିତାଙ୍କ ବାନ୍ଧବୀ ଜେଲ୍ ଯିବା ପରେ ପୁଣି ଦଳ ଭିତରେ ଆରମ୍ଭ ହୋଇଛି ମିଶ୍ରଣ ପର୍ବ । ଉଭୟ ପନିରସେଲଭମ ଓ ପଲାନିସ୍ୱାମୀ ପୂର୍ବରୁ ଥିବା ରାଗ ଓ ଅଭିମାନକୁ ପଛ କରି ପୁଣିଥରେ ହାତ ମିଳାଇବାକୁ ଠିକ୍ କରିଛନ୍ତି । ଯାହା ଏବେ ତାମିଲନାଡର଼ୁ ରାଜନୀତିକୁ ସରଗରମ କରିଛି ।

Comments are closed.