ଆଗଉନି ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ : ରେଳ ପ୍ରକଳ୍ପ ପାଇଁ ବି ପିସି ମାଗୁଛନ୍ତି!

37

କନକ ବ୍ୟୁରୋ : ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ ରାଜ୍ୟର ଅର୍ଥନୈତିକ ବିକାଶ ପାଇଁ ଅପରିହାର୍ଯ୍ୟ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଆଦିବାସୀ ବହୁଳ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଜିଲ୍ଲା ସହିତ ରାଜଧାନୀ ଭୁବନେଶ୍ୱରକୁ ପ୍ରତ୍ୟକ୍ଷ ସଂଯୋଗ ସ୍ଥାପନ ହୋଇପାରିବ । ଶିଳ୍ପ ରାଜଧାନୀ ରାଉରକେଲା ଏବଂ ରାଜଧାନୀ ଭୁବନେଶ୍ୱର ମଧ୍ୟରେ ଦୂରତା ମାତ୍ର ୩୦୮ କିମିକୁ କମିଯିବ । କେବଳ ସୁନ୍ଦରଗଡ଼ କି ଆଖପାଖ କେନ୍ଦୁଝର ଜିଲ୍ଲା ନୁହେଁ, ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ଖଣିଜ କ୍ଷେତ୍ରରୁ ବି ପାରାଦୀପ ବନ୍ଦରକୁ ସିଧାସଳଖ ପରିବହନ କରିହେବ ।

ରେଳ ବିଭାଗ କହିବାନୁସାରେ ରେଟ୍‌ ଅଫ୍‌ ରିଟର୍ଣ୍ଣ (ଆରଓଆର) ଦୃଷ୍ଟିରୁ ଏହି ରେଳ ପ୍ରକଳ୍ପ ଲାଭଜନକ ହେବ । ଏହା ସତ୍ତ୍ୱେ ରାଜ୍ୟର ଅନ୍ୟାନ୍ୟ ରେଳ ପ୍ରକଳ୍ପଗୁଡିକ ପ୍ରତି ସରକାରଙ୍କ ଆଦର, ଅଙ୍ଗୀକାରବଦ୍ଧତା ତୁଳନାରେ ଏହି ପ୍ରକଳ୍ପକୁ ‘ସାବତ ପୁଅ’ ଭଳି ବିବେଚନା କରାଯାଉଛି। ଏହି ପ୍ରକଳ୍ପର ଜମି ଅଧିଗ୍ରହଣ ସମସ୍ୟା କ୍ଷେତ୍ରରେ ପିସି ବା ଉତ୍କୋଚ କାରବାର ବଡ଼ ପ୍ରତିବନ୍ଧକ ସାଜିଛି। ପ୍ରକଳ୍ପର କାର୍ଯ୍ୟକାରିତା ନେଇ ମୁଖ୍ୟ ସଚିବଙ୍କ ନିର୍ଦେଶକୁ ତିଳେ ହେଁ ଖାତିର କରୁନାହାନ୍ତି ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ତହସିଲ କର୍ମଚାରୀଙ୍କ ପର୍ଯ୍ୟନ୍ତ ।

ରେଳ ପ୍ରକଳ୍ପଗୁଡିକୁ ସାଧାରଣତଃ ରେଳ ବିଭାଗ ନିଜସ୍ୱ ଖର୍ଚରେ ନିର୍ମାଣ କରିଥାଏ । କିନ୍ତୁ ରାଜ୍ୟର ପ୍ରାୟ ୧୦ଟି ରେଳ ପ୍ରକଳ୍ପ ନିମନ୍ତେ ସରକାର ଉଭୟ ମାଗଣା ଜମି ଏବଂ ୫୦ ପ୍ରତିଶତ ପର୍ୟ୍ୟନ୍ତ ଖର୍ଚଭାର ବହନ କରୁଛନ୍ତି । ସେହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଖୋର୍ଧା-ବଲାଙ୍ଗୀର, ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି, ପୁରୀ-କୋଣାର୍କ, ଜୁନାଗଡ଼-ନବରଙ୍ଗପୁର-ଆମ୍ବଗୁଡ଼ା-ରାୟଗଡ଼ା-ଗୋପାଳପୁର, ସମ୍ବଲପୁର-ବ୍ରହ୍ମପୁର, ତାଳଚେର-ଗୋପାଳପୁର, ବାଂଶପାଣି-ବରସୁଆଁ, ବରସୁଆଁ-ବଡ଼ବିଲ୍‌, ବାଙ୍ଗିରିପୋଷୀ-ବାଦାମପାହାଡ଼ ରେଳପଥ । ଏହି ତାଲିକାରେ ତାଳଚେର-ବିମଳାଗଡ଼ ଭଳି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପର ନାମ ନାହିଁ ।

ଗତବର୍ଷ ତାଳଚେରରୁ ସୁନାଖଣି ୨୦ କିମି ନବନିର୍ମିତ ରେଳପଥରେ ଟ୍ରେନ୍‌ ଚାଲି ପାରିଲାନାହିଁ । ମୁଖ୍ୟ ଶାସନ ସଚିବ ସଚିବାଳୟରେଏଭଳି ଭିିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ନେଇ ବାରମ୍ବାର ସମୀକ୍ଷା କରିଛନ୍ତି । ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦେଶନାମା ପରେ ନିର୍ଦେଶନାମା ଜାରି ହେଉଛି । ଜିଲ୍ଲାପାଳ କହୁଛନ୍ତି ଅତିରିକ୍ତ ଜିଲ୍ଲାପାଳଙ୍କୁ, ସେ କହୁଛନ୍ତି ଉପଜିଲ୍ଲାପାଳଙ୍କୁ, ବିଡିଓ, ତହସିଲଦାରଙ୍କୁ ନିର୍ଦେଶ ଦେଉଛନ୍ତି ଉପଜିଲ୍ଲାପାଳ । କିନ୍ତୁ ଜିଲ୍ଲାପାଳଙ୍କଠାରୁ ତହସିଲ୍‌ ଅଫିସ ପର୍ୟ୍ୟନ୍ତ ରେଳ ବିଭାଗ ଅଧିକାରୀ, ଯନ୍ତ୍ରୀମାନେ ଦୌଡ଼ାଦୌଡ଼ି କରି ହତାଶ ହେଉଛନ୍ତିି । ଜମି ଅଧିଗ୍ରହଣ ପାଇଁ ଗତବର୍ଷଠାରୁ ଅନୁଗୁଳ ଜିଲ୍ଲାପାଳଙ୍କ ନିକଟରେ ରେଳ ବିଭାଗ ୧୫୦ କୋଟି ଟଙ୍କା ଅଗ୍ରିମ ଜମା କରିଛି। ୧୬ ମାସ ହେଲାଣି ଗୋଟିଏ ଏକର ଜମି ବି ହସ୍ତାନ୍ତର ହୋଇନାହିଁ। ଗତ ଏପ୍ରିଲ ମାସରେ ରାଜସ୍ୱ ବିଭାଗ ସଚିବ କ୍ଷେତ୍ର ପରିଦର୍ଶନ କରିିଥିଲେ। ସେପ୍ଟେମ୍ବର ମାସ ହେଲାଣି। ବର୍ତମାନ ସୁଦ୍ଧା ଧାରା ୧୧ ବିଜ୍ଞପ୍ତି ପ୍ରକାଶ ପାଇଲାନି। ଗତବର୍ଷ ପ୍ରାୟ ୭୦ କୋଟି ଟଙ୍କା ଖର୍ଚ ହୋଇନପାରି ଫେରିଥିଲା। ଏଥର ବି ଟଙ୍କା ଫେରିବା ଆଶଙ୍କା ଉପୁଜିଲାଣି।

ପ୍ରକଳ୍ପ ନେଇ ଜଣେ ବରିଷ୍ଠ ରେଳ ଅଧିକାରୀଙ୍କ ଗଭୀର କ୍ଷୋଭପ୍ରକାଶ କରି କହିଛନ୍ତି ଯେ କେହି ସରକାରୀ ଅଧିକାରୀ ଏହାକୁ ଜାତୀୟ ପ୍ରକଳ୍ପ ମନେ କରୁନାହାନ୍ତି । ପ୍ରତ୍ୟେକ କାମ ପାଇଁ ପିସି ମାଗୁଛନ୍ତି । ରେଳ ବିଭାଗ ତ ଦେଇପାରିବ ନାହିଁ। ସଂପୃକ୍ତ ଠିକାଦାରମାନେ କିଛି କିଛି ଦେବାକୁ ବାଧ୍ୟ ହେଉଛନ୍ତିି। ତଥାପି କାମ ହେଉନି । ଲକ୍ଷ ଲକ୍ଷ ପ୍ଳଟ୍‌ ରହିଛି । ଏତେ ଟଙ୍କା କିଏ ଦେବ? ରେଳ ବିଭାଗ ପକ୍ଷରୁ ସୁନ୍ଦରଗଡ଼ ଏବଂ ଅନୁଗୁଳ ଜିଲ୍ଲା ପାଇଁ ୨ଜଣ ଏଲ୍‌ଏଓଙ୍କୁ ନିଯୁକ୍ତି ଦିଆଯାଇଛି। କିନ୍ତୁ ଜିଲ୍ଲାପାଳଙ୍କଠାରୁ ତହସିଲ୍‌ ଦୌଡ଼ିବାରେ ଅଧିକାଂଶ ସମୟ ବରବାଦ ହେଉଛି। ଅନ୍ୟ ରାଜ୍ୟରେ ରେଳ ପ୍ରକଳ୍ପ ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଉଥିବା ବେଳେ ଏଠାରେ ଏଭଳି ପ୍ରକଳ୍ପ ନେଇ କର୍ମଚାରୀ, ଅଧିକାରୀଙ୍କ ମଧ୍ୟରେ ନକାରାତ୍ମକ ଆଭିମୁଖ୍ୟ କାହିଁକି ସେ କଥା ବୁଝିହେଉନାହିଁ ବୋଲି ସଂପୃକ୍ତ ପଦାଧିକାରୀ କହିଛନ୍ତି ।

ଏ ସଂକ୍ରାନ୍ତରେ ପଚାରିବାରୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ଅଧିକାରୀ ତଥା ସିଆରସି ମନୋଜ ମିଶ୍ର କହିଲେ ଯେ ପିସି ମାଗିବା ନେଇ ଅଭିଯୋଗର କୌଣସି ସତ୍ୟତା ନାହିଁ। ଏହି ପ୍ରକଳ୍ପ ନେଇ ଯେତେଥର ସମୀକ୍ଷା ହୋଇଛି ଥରେ ବି ରେଳ ବିଭାଗର କେହି ଅଧିକାରୀ ଏଭଳି ଅଭିଯୋଗ ଆଣିନାହାନ୍ତି। ଏପରି କି ଜନସାଧାରଣଙ୍କ ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ। ବରଂ ଏହି ପ୍ରକଳ୍ପ ନେଇ ପୂର୍ବତଟ ରେଳ ଯେତେଟା ଅଗ୍ରଗତି କରିବା କଥା କରିନାହିଁ ବୋଲି ଶ୍ରୀ ମିଶ୍ର ସ୍ୱୀକାର କରିଛନ୍ତିି।