ତଳସରା ବିଧାନସଭା ଆସନକୁ ନେଇ ଚର୍ଚ୍ଚା ! ଗଡ ରକ୍ଷା କରିପାରିବ କି କଂଗ୍ରେସ ? ମୈଦାନରେ ଟକ୍କର ଦେଉଛନ୍ତି ବିଜେଡି ଓ ବିଜେପି

108

କନକ ବ୍ୟୁରୋ : ସୁନ୍ଦରଗଡର ତଲସରା ବିଧାନସଭା ଆସନ ଉପରେ ଏବେ ସମସ୍ତଙ୍କ ନଜର । ଏଠାରେ କଂଗ୍ରେସ ଗଡ ରକ୍ଷା କରିବ ନା ଅନ୍ୟ ଦଳ ବାଜିମାତ କରିବେ ତାକୁ ନେଇ ଚର୍ଚା ଜୋର ଧରିଛି । ତଲସରାରେ କଂଗ୍ରେସରୁ ପୁଣି ଥରେ ଲଢୁଛନ୍ତି ପ୍ରଫୁଲ୍ଲ ମାଝି । ବିଜେଡିରୁ ଷ୍ଟିଫେନ ସୋରେନ ଓ ବିଜେପିରୁ ଭବାନୀ ଭୋଇ ଏଠାରୁ ପ୍ରାର୍ଥୀ ହୋଇଛନ୍ତି । ତଲସରା ପାରମ୍ପରିକ ଭାବେ କଂଗ୍ରେସର ଗଡ ହୋଇ ରହିଛି । ୧୯୯୫ ମସିହାରୁ ଏଠାରେ କଂଗ୍ରେସ ଲଗାତାର ଭାବେ ଜିତିଆସୁଛି । ୨୦୦୬ ଉପନିର୍ବାଚନରେ ପ୍ରଫୁଲ୍ଲ ମାଝି ଏଠାରେ ବିଜୟୀ ହୋଇଥିଲେ । ଏହାପରଠାରୁ ସେ ୨୦୦୯ ଓ ୨୦୧୪ରେ ବିଜୟୀ ହୋଇଛନ୍ତି । ଏଠାରେ ଲଗାତାର ଚୁତର୍ଥ ଥର ଲାଗି ବିଜୟୀ ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି । ୩ ଦଳ ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର ହୋଇଛି ।

ବିଜେଡି ଗଠନ ପରଠାରୁ ଦଳ ଏଠାରେ ବିଜୟର ବାସ୍ନା ପାଇନାହିଁ । ଅନ୍ୟପଟେ ବିଜେପିର ମଧ୍ୟ ସମାନ ଅବସ୍ଥା । କଂଗ୍ରେସର ଏହି ଅଭେଦ୍ୟ ଦୁର୍ଗରେ ବିରୋଧୀ ବାରମ୍ବାର ପଶିବାକୁ ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ଫେଲ ମାରିଛନ୍ତି । ୨୦୦୪ରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ପ୍ରଫୁଲ ୨୦୦୯ରେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ସହଦେବ ଖାଖାଙ୍କୁ ୨୦ ହଜାର ଭୋଟରେ ମାତ୍ ଦେଇ ଗଡ ରକ୍ଷା କରିଥିଲେ । ତେବେ ବିଜୟର ହ୍ୟାଟ୍ରିକ ମାରିବାକୁ ପ୍ରଫୁଲଙ୍କୁ ନାକେଦମ ହେବାକୁ ପଡିଥିଲା । କାରଣ ୨୦୧୪ ନିର୍ବାଚନରେ ପ୍ରଫୁଲଙ୍କୁ କଡା ଟକ୍କର ଦେଇଥିଲେ ବିଜେଡିର ବିନୟ ଟପ୍ପୋ । ମାତ୍ର ୧୪ ଶହ ଭୋଟରେ ବିଜୟୀ ହୋଇ ନିର୍ବାଚନ ବୈତରଣୀ ପାର କରିଥିଲେ ପ୍ରଫୁଲ ।