ତଳସରାରେ କାହାର ହେବ ରାଜତିଳକ? କଂଗ୍ରେସର ଅଭେଦ୍ୟ ଦୁର୍ଗ ଭେଦ କରିବାକୁ ବିଜେଡିରୁ କିଏ , ପଞ୍ଚାୟତ ନିର୍ବାଚନର ସଫଳତା ଦୋହରାଇବାକୁ ବ୍ଲୁ-ପ୍ରିଣ୍ଟ କରୁଛି ବିଜେପି ।

186

କନକ ବ୍ୟୁରୋ : କଂଗ୍ରେସର ଗଡ କୁହାଯାଉଥିବା ତଳସରା ନିର୍ବାଚନମଣ୍ଡଳୀରେ ଚଳିତ ଥର ବିଗ୍ ଫାଇଟ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଖାସକରି ଗତ ଅଢେଇ ଦଶନ୍ଧି ଧରି ଏହି ଆସନ କଂଗ୍ରେସ କବଜାରେ ରହି ଆସିଛି । ବିଜେଡି ଗଠନ ପରଠାରୁ ଦଳ ଏଠାରେ ବିଜୟର ବାସ୍ନା ପାଇନାହିଁ । ଅନ୍ୟପଟେ ବିଜେପିର ମଧ୍ୟ ସମାନ ଅବସ୍ଥା । କଂଗ୍ରେସର ଏହି ଅଭେଦ୍ୟ ଦୁର୍ଗରେ ବିରୋଧୀ ବାରମ୍ବାର ପଶିବାକୁ ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ଫେଲ ମାରିଛନ୍ତି । ଗତ ନିର୍ବାଚନ ଗୁଡିକରେ ନବୀନଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଏଠାରେ କାମ କରିନଥିବା ବେଳେ ମୋଦିଙ୍କ ମ୍ୟାଜିକ ମଧ୍ୟ କଂଗ୍ରେସ ଆଗରେ ଫିକା ପଡିଛି ।

ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ତଳସରା ବିଧାନସଭା କ୍ଷେତ୍ରରେ ବିଜୟର ହ୍ୟାଟ୍ରିକ ମାରି ଆସୁଥିବା ପ୍ରଫୁଲ ମାଝୀ ଏହାକୁ କଂଗ୍ରେସର ଅଭେଦ୍ୟ ଦୁର୍ଗରେ ପରିଣତ କରିଛନ୍ତି । ପୂର୍ବରୁ ଏହି ଆସନରୁ ସର୍ବାଧିକ ୫ ଥର ବିଧାୟକ ହୋଇଥିବା ସ୍ୱର୍ଗତ ଗଜାଧର ମାଝୀଙ୍କ ଅନ୍ତେ ଏହି ଆସନର ଉତ୍ତରାଧିକାରୀ ଭାବେ ପ୍ରଫୁଲ କଂଗ୍ରେସର ଏହି ଗଡକୁ ସମ୍ଭାଳିଛନ୍ତି । କିନ୍ତୁ ନିର୍ବାଚନ ପୂର୍ବରୁ କଂଗ୍ରେସର ଏହି ଦୁର୍ଗ ଦୋହଲିବା ଆରମ୍ଭ ହୋଇଛି । ଖାସକରି ପଞ୍ଚାୟତ ନିର୍ବାଚନର ଫଳାଫଳ ତଳସରା ରାଜନୈତିକ ଗଣିତକୁ ଓଲଟପାଲଟ କରି ଦେଇଛି । ଏଭଳି ସ୍ଥିତିରେ ୨୦୧୯ ନିର୍ବାଚନରେ ତଳସରା ନିର୍ବାଚନମଣ୍ଡଳୀ ତାଜ୍ କିଏ ପିନ୍ଧିବ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

୨୦୦୪ରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ପ୍ରଫୁଲ ୨୦୦୯ରେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ସହଦେବ ଖାଖାଙ୍କୁ ୨୦ ହଜାର ଭୋଟରେ ମାତ୍ ଦେଇ ଗଡ ରକ୍ଷା କରିଥିଲେ । ତେବେ ବିଜୟର ହ୍ୟାଟ୍ରିକ ମାରିବାକୁ ପ୍ରଫୁଲଙ୍କୁ ନାକେଦମ ହେବାକୁ ପଡିଥିଲା । କାରଣ ୨୦୧୪ ନିର୍ବାଚନରେ ପ୍ରଫୁଲଙ୍କୁ କଡା ଟକ୍କର ଦେଇଥିଲେ ବିଜେଡିର ବିନୟ ଟପ୍ପୋ । ମାତ୍ର ୧୪ ଶହ ଭୋଟରେ ବିଜୟୀ ହୋଇ ନିର୍ବାଚନ ବୈତରଣୀ ପାର କରିଥିଲେ ପ୍ରଫୁଲ । କିନ୍ତୁ ଏହା ଭିତରେ ତଳସରାରେ ପ୍ରଫୁଲଙ୍କ ବିରୋଧରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି । ଯାହା ପ୍ରଫୁଲଙ୍କ ପାଇଁ ଆଗାମୀ ନିର୍ବାଚନରେ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଏପରିକି ବିଜୟର ଚୌକା ମାରିବାକୁ ନବ ଓ ଯୋଗେଶଙ୍କ ପରେ ପ୍ରଫୁଲ ମଧ୍ୟ କଂଗ୍ରେସର ହାତ ଛାଡି ବିଜେଡିକୁ ଯିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସାରା ଜୀବନ କଂଗ୍ରେସରେ ରହିବି ବୋଲି ଘୋଷଣା କରିବା ପରେ ପ୍ରଫୁଲ ବିଜେଡିକୁ ଯିବା ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଥିଲା । ବିଧାୟକ ଥିବାରୁ ଆଗାମୀ ନିର୍ବାଚନରେ ତାଙ୍କର ଟିକେଟ ଏକପ୍ରକାର ଫାଇନାଲ ହୋଇଛି । ତେବେ ପ୍ରଫୁଲଙ୍କ ବ୍ୟତୀତ ପୂର୍ବତନ ସାଂସଦ ମୋରିସ କୁଜୁରଙ୍କ ପୁତ୍ରବଧୂ ଅନିତା କୁଜୁର, ଗେରୋଟି ଖେସ୍ ମଧ୍ୟ କଂଗ୍ରେସ ଟିକେଟ ପାଇଁ ଲବି ଆରମ୍ଭ କରିଛନ୍ତି ।

ଅନ୍ୟପଟେ ଏହି ଆସନରେ ଜନ୍ମରୁ ଜିତିନଥିବା ବିଜେଡି ଚଳିତଥର କଂଗ୍ରେସର ଅଭେଦ୍ୟ ଦୁର୍ଗକୁ ଭେଦ କରିବାକୁ ନୂଆ ରଣନୀତି ପ୍ରସ୍ତୁତ କରୁଛି । ଗତ ନିର୍ବାଚନରେ ମାତ୍ର ୧୪ ଶହ ଭୋଟରେ ପରାଜୟ ବରଣ କରିଥିବା ବିନୟ ଟପ୍ପୋ ଟିକେଟ ଆଶାୟୀ ରେସରେ ସର୍ବାଗ୍ରେ ରହିଛନ୍ତି । ଅନ୍ୟପଟେ ଏହି ଆସନ ହାତେଇବାକୁ ବିଜେଡି ବଡ ଅସ୍ତ୍ର ପ୍ରୟୋଗ କରିବାକୁ ଯାଉଛି । ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମରେ ନିଜ ଭାଷଣ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ମନ ଜିଣିବା ସହ ରାତାରାତି ଷ୍ଟାର ପାଲଟିଯାଇଥିବା ଜୟନ୍ତୀ ଏକ୍କାଙ୍କୁ ପ୍ରାର୍ଥୀ କରି ଶଙ୍ଖ ଧ୍ୱନିରେ ତଳସରାକୁ ପ୍ରକମ୍ପିତ କରିବାକୁ ବିଜେଡି ଶିବିରରେ ଅଙ୍କ କଷା ଯାଉଥିବା ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି ମୁଖ୍ୟମନ୍ତ୍ରୀଙ୍କ ମହିଳା କାର୍ଡ । ଏହାଛଡା ଆଶାୟୀ ତାଲିକାରେ ବାଲିଶଙ୍କରା ବ୍ଲକର ପୂର୍ବତନ ଚେୟାରମ୍ୟାନ କୁଞ୍ଜଲତା ଭିତିରିଆଙ୍କ ନାଁକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହେଉଛି । ଏମାନଙ୍କ ବ୍ୟତୀତ ଦାମୋଦର ମାଝି, ରମାକାନ୍ତ ସାଏ, ଷ୍ଟିଫେନ ସୋରେଙ୍ଗ, ଦେବେନ୍ଦ୍ର ମାଝୀ, ରଞ୍ଜିତ ଭିତିରିଆ, ପ୍ରବୋଧ ତିର୍କୀଙ୍କ ନାମ ବି ଆଶାୟୀ ତାଲିକାରେ ରହିଛି।

ସେହିଭଳି ପଞ୍ଚାୟତ ନିର୍ବାଚନ ଫଳାଫଳ ବିଜେପିକୁ ବଳ ଯୋଗାଇଛି । ବର୍ଷ ବିତିିବା ସହ ବିଜେପିର ଭୋଟହାର ମଧ୍ୟ ବଢି ବଢି ଚାଲିଛି । ଖାସକରି ପଞ୍ଚାୟତ ନିର୍ବାଚନର ଫଳାଫଳ ତଳସରା ରାଜନୀତିର ଗଣିତ ବଦଳାଇଦେଇଛି । ଏହି ନିର୍ବାଚନମଣ୍ଡଳୀ ଅଧିନରେ ଆସୁଥିବା ୭ଟି ଜିଲ୍ଲା ପରିଷଦ ଆସନରୁ ୫ଟିରେ ଗେରୁଆ ବାନା ଉଡାଇଥିଲା ବିଜେପି । ତେଣୁ ପଞ୍ଚାୟତ ନିର୍ବାଚନର ସଫଳତାକୁ ଚଳିତ ନିର୍ବାଚନରେ ଦୋହରାଇବାକୁ ଲକ୍ଷ୍ୟ ରଖିଛି ଦଳ । ତେବେ ବିଜେପି ପାଇଁ ଏକାଧିକ ଆଶାୟୀ ପ୍ରାର୍ଥୀ ଚିନ୍ତାର କାରଣ ପାଲଟିଛନ୍ତି । ଦଳ ପକ୍ଷରୁ ଭବାନୀ ଭୋଇ, ଧ୍ରୁବ କାଲୋ ଓ ଜଗବନ୍ଧୁ ଭୋଇ ଆଶାୟୀ ପ୍ରାର୍ଥୀ ଭାବେ ଟିକେଟ ରେସରେ ରହିଛନ୍ତି ।ତେବେ ଆଗାମୀ ନିର୍ବାଚନରେ ତଳସରାରେ କେଉଁ ଦଳର ରାଜତିଳକ କରିବେ ଭୋଟର ତାହା ଉପରେ ସମସ୍ତଙ୍କର ନଜର ରହିଛି ।