ଗଡିଲା ତାଳଧ୍ୱଜ ରଥ । ବଡଦାଣ୍ଡ ଛାଡି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଶ୍ରୀ ବଳଭଦ୍ରଙ୍କ ରଥ

41

କନକ ବ୍ୟୁରୋ : ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଲେ ବଡ ଠାକୁର । ସିଂହଦ୍ୱାର ଛାଡି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଲା ଶ୍ରୀ ବଳଭଦ୍ରଙ୍କର ତାଳଧ୍ୱଜ ରଥ । ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କର ରଥ ଟଣା ଯାଇଛି । ରଥରେ ଅଶ୍ୱ ଯୋଖା ହେବା ପରେ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଛି । ବିଭିନ୍ନ ନୀତିକାନ୍ତି ପରେ ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ଦେଢ ଘଣ୍ଟା ପୂର୍ବରୁ ତାଳଧ୍ୱଜ ରଥ ମାଉସୀ ମା’ ଅଭିମୁଖେ ଗଡିଛି । ଡାହୁକ ରଥ ଉପରେ ଛିଡା ହୋଇ ଳମ୍ବା ବେତ ଧରି ଭକ୍ତ ମାନଙ୍କୁ ରଥ ଟାଣିବାକୁ ଉତ୍ସାହିକ କରୁଛନ୍ତି । ରଥ ଗଡିବା ଆରମ୍ଭ ହେବା ମାତ୍ରେ ବଡଦାଣ୍ଡ ହରିବୋଲ ଓ ହୁଳହୁଳି ପ୍ରକମ୍ପିତ ହୋଇ ଉଠିଥିଲା ।

ପ୍ରତିବର୍ଷ ଭଳି ତିନି ରଥ ଟଣାଯିବା ପାଇଁ ସ୍ୱତନ୍ତ୍ର ଭାବେ ନିର୍ଦ୍ଦେଶକ ଦଳ ଗଢ଼ା ଯାଇଛି । ଏହି ଦଳରେ ପୂର୍ତ୍ତ ବିଭାଗର ବରିଷ୍ଠ ଇଂଜିନିୟର, ଶ୍ରୀମନ୍ଦିର ବିଭିନ୍ନ ପଦାଧିକାରୀ ତଥା କର୍ମଚାରୀ, ଭୋଇ ଓ ମହାରଣା, ଜିଲ୍ଲା ପ୍ରଶାସନ ତରଫରୁ ମାଜିଷ୍ଟ୍ରେଟମାନେ ସାମିଲ ହୋଇଥାନ୍ତି । ଏହା ବ୍ୟତୀତ ପ୍ରତି ରଥ ଉପରେ ଶ୍ରୀମନ୍ଦିରର ପୋଲିସ କର୍ମଚାରୀ ଏକ ନାଲି ରଙ୍ଗର ପତାକା ଧରି ରଥଟଣା ସମୟରେ ଭକ୍ତମାନେ ସମୟରେ ଭକ୍ତମାନଙ୍କୁ ଦିଗ ନିର୍ଦ୍ଦେଶ କରିବା ସହ ରଥ ଘେର ମଧ୍ୟରେ ଜଣେ ସରକାରୀ ପୋଲିସ ବିଗୁଲ ଓ ନାଲି ରଙ୍ଗର ପତାକା ଧରି ରଥ ଟଣାର ନିୟନ୍ତ୍ରଣରେ ସାହାଯ୍ୟ କରନ୍ତି । ସାଧାରଣତଃ ରଥଟଣା ବେଳେ ନନ୍ଦିଘୋଷ ରଥ ଦାୟିତ୍ୱରେ ପୁରୀ ଜିଲ୍ଲାପାଳ, ତାଳଧ୍ୱଜ ରଥ ତତ୍ତ୍ୱାବଧାନରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ପୁରୀ ଏବଂ ଦେବଦଳନ ରଥ ଦାୟିତ୍ୱରେ ଅତିରିକ୍ତ ଜିଲ୍ଲାପାଳ ରହିଥାନ୍ତି । ଯଦି ଗୋଟିଏ ଦିନରେ ତିନୋଟି ରଥ ଗୁଣ୍ଡିଚା ମନ୍ଦିରରେ ନ ପହଁଚି ପାରନ୍ତି, ତେବେ ତାପରଦିନ ସକାଳ ୯ଟାରୁ ୧୦ଟା ମଧ୍ୟରେ ରଥଟରା ହୋଇ ଗୁଣ୍ଡିଚା ମନ୍ଦିରରେ ପହଁଚିଥାନ୍ତି ।