ଶିଖ୍ ଯୁବକ ପରବିନ୍ଦର ସିଂ ଆକ୍ରମଣ ମାମଲାରେ ଚାର୍ଜସିଟ୍ । ୨୮ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କମିଶନରେଟ୍ ପୋଲିସ, ହେଲେ ଲଗାଇଛି କୋହଳ ଦଫା ।

355

କନକ ବ୍ୟୁରୋ : ଭୁବନେଶ୍ୱର ଝାରପଡାରେ ଶିଖ ଯୁବକ ପରବିନ୍ଦର ସିଂ ପାଲଙ୍କୁ ଆକ୍ରମଣ ଘଟଣାରେ ଦାଖଲ ହୋଇଥିବା ଚାର୍ଜସିଟ୍ ସାମ୍ନାକୁ ଆସିଛି । ଏଥିରେ ପୁଲିସ ହାଲୁକା ଦଫା ଲଗାଇଥିବାର ଜଣାପଡିଛି । ଆଇପିସିର ଦଫା ୨୯୪ ଅର୍ଥାତ ଅଶ୍ଲୀଳ ଆଚରଣ, ଦଫା ୩୪୧ ଅର୍ଥାତ ବେଆଇନ ଭାବେ କାହାକୁ ଅଟକ ରଖିବା ବା ଅବରୋଧ କରିବା, ଦଫା ୩୨୩ ଅର୍ଥାତ ଆଘାତ ପହଁଚାଇବା, ଦଫା ୩୨୫ ଅର୍ଥାତ ଗୁରୁତର ଭାବେ କାହାକୁ ଆଘାତ ପହଁଚାଇବା ବା ଗୁରୁତର ଆହତ କରିବା, ଦଫା ୫୦୬ ଅର୍ଥାତ ଧମକ ଦେବା ଓ ଦଫା ୩୪ ଅର୍ଥାତ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ନେଇ କୋର୍ଟଙ୍କୁ ଅବଗତ କରିଛି ପୁଲିସ । ଏଥିରୁ ଅଧିକାଂଶ ଦଫା ଜାମିନ ମୂଳକ ।

ସେପଟେ ପରବିନ୍ଦର ସିଂ କେମିତି ଆହତ ହୋଇଥିଲେ ସେନେଇ ବି ରିପୋର୍ଟ ଦାଖଲ କରାଯାଇଛି । ଏଥିରେ କୁହାଯାଇଛି ପରବିନ୍ଦର ସିଂଙ୍କ ଆଖି ଓ ନାକରେ କ୍ଷତ ପହଁଚିଛି । ଆକ୍ରମଣରେ ଆଖି ସାଧାରଣ ଭାବେ ଆଘାତ ପାଇଥିବା ନେଇ ପୁଲିସ ଚାର୍ଜସିଟରେ ଉଲ୍ଲେଖ ରହିଛି । ସେପଟେ କିନ୍ତୁ ପରବିନ୍ଦରଙ୍କ ମୁହଁରେ ଗଭୀର କ୍ଷତ ଲାଗିଥିବା ନେଇ ବି ପୁଲିସ ଚାର୍ଜସିଟରେ ଉଲ୍ଲେଖ ରହିଛି । ପରବିନ୍ଦର ସିଂଙ୍କୁ ଆକ୍ରମଣ କରିଥିବା ଆକ୍ରମଣକାରୀ ମାନେ ଗଭୀର ଭାବେ ତାଙ୍କ ନାକକୁ ଆଘାତ ଦେବାସହ ନାକ ହାଡ ଭାଙ୍ଗି ଦେଇଥିବା ନେଇ ଉଲ୍ଲେଖ କରାଯାଇଛି ।

ଏହା ସହ ଏହି ମାମଲାରେ ଗିରଫ ତିନି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟରେ ଉଲ୍ଲେଖ କରାଯାଇଛି । ତଦନ୍ତ ସମୟରେ ଆକ୍ରମଣରେ ବ୍ୟବହାର ହୋଇଥିବା ଏକ ଇଟା ଓ ପଥରକୁ ବି ଜବତ କରିଛି ପୁଲିସ । ଅଶ୍ଲୀଳ ଆଚରଣ, ବେଆଇନ ଭାବେ କାହାକୁ ଅବରୋଧ କରିବା, ଆଘାତ ଦେବା ସହ ଗୁରୁତର ଆହତ କରିବା ସହ ଧମକ ଦେବା ଭଳି ମାମଲା ରୁଜୁ କରାଯାଇଛି । ଅର୍ଥାତ ଗୋଟିଏ କଥା ସତ ଯେ ପରବିନ୍ଦରଙ୍କୁ ଇଟା ପଥରରେ ଆକମ୍ରଣ କରି ଗୁରୁତର ଘାଇଲା କରିଛନ୍ତି ଅଭିଯୁକ୍ତ ।

ପୁଲିସ ଚାର୍ଜସିଟରେ ଦାଖଲ କରିଥିବା ଅଧିକାଂଶ ଦଫାରେ ଜାମିନ ବି ସହଜରେ ମିଳିଯିବ ବୋଲି ମତ ରଖିଛନ୍ତି ବରିଷ୍ଠ ଆଇନ ବିଶାରଦ । ଗୋଟିଏ ପଟେ ଶିଖ ଯୁବକ ପରବିନ୍ଦର ସିଂ ପାଲ ନିଜ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ ଠିକ ଭାବେ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କୋହଳ ଦଫା ଲଗାଯାଇଥିବା କହି ଆସୁଛନ୍ତି । ଏନେଇ ସେ ପୁଲିସ କମିସନରଙ୍କ ଠାରୁ ଆରମ୍ଭ କରି ମାନବାଧିକାର କମିଶନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରୁଛନ୍ତି ।

ଅନ୍ୟପଟେ ଆଇନ ବିଷାରଦ ମାନେ କହିଛନ୍ତି ପରବିନ୍ଦରଙ୍କ ଆକ୍ରମଣକାରୀଙ୍କ ବିରୋଧରେ ପୁଲିସ କୋହଳ ଦଫା ଲଗାଉଛି । କିଛି ଦିନ ତଳେ ଭୁବନେଶ୍ୱରର ଝାରପଡା ନିକଟରେ ଦିନ ଦ୍ୱିପ୍ରହରରେ ଶିଖ ଯୁବକଙ୍କ ଉପରେ କିଛି ସ୍ଥାନୀୟ ଯୁବକ ବଡ ଧରଣର ଆକ୍ରମଣ କରିଥିଲେ । ତାଙ୍କ ଆଖି ଓ ନାକକୁ ଆଘାତ ଦେଇଥିଲେ । ପୁଲିସ ସ୍ୱୀକାର କରୁଛି ଯେ ପରବିନ୍ଦରଙ୍କ ନାକରେ ଗୁରୁତର ଆଘାତ ଦିଆଯାଇଥିଲା । ହେଲେ ଅନ୍ୟପଟେ କୋହଳ ଦଫା ଲାଗାଉଥିବାର ଅଭିଯୋଗ ହେଉଛି ।

ପୁଲିସ ଉପସ୍ଥିତିରେ ଶିଖ ଯୁବକଙ୍କୁ ଆକ୍ରମଣ କରାଗଲା । ନାକ ଫାଟିଲା, ଆଖି ଫୁଲିଲା । କାର୍ଯ୍ୟରେ ଅବହେଳା ପାଇଁ ପିସିଆର ଭ୍ୟାନ କର୍ମଚାରୀ ପୁଲିସ ବିଭାଗରୁ ତଡା ଖାଇଲେ । ହେଲେ ଅଭିଯୁକ୍ତ ଗୋଟିଏ ଦିନରେ ଜାମିନ ପାଇଲେ । ସିଆରପିସି କହୁଛି ଜାମିନ ମିଳୁଥିବା ଦଫା ଲାଗିଲେ ଗିରଫ କରିବା ପୂର୍ବରୁ ନୋଟିସ ଦେବା କଥା । ହେଲେ ଏଠି ପୁଲିସ ତାହା କରିଛି ନା ନାହିଁ ସେନେଇ ପ୍ରଶ୍ନ କରିଛନ୍ତିି ଆଇନଜୀବୀ । କାହିଁକି ନା ଜାମିନ ମିଳୁଥିବା ଦଫା ଲଗାଇ ପୁଲିସ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କଲେ ଜାମିନ ମିଳିବା ସ୍ୱାଭାବିକ । ସେପଟେ କିନ୍ତୁ ପୁରା ଘଟଣାକୁ ନେଇ ପୁଲିସର ଆଭିମୁଖ୍ୟ ବାରମ୍ବାର ପ୍ରଶ୍ନ ଘେରକୁ ଆସୁଛି । କମିସନରେଟ ପୁଲିସ ଲଗାତାର ସମାଲୋଚନାର ଶିକାର ବି ହେଉଛି ।